କଟକ: ସାଂସଦ ଅନୁଭବ ମହାନ୍ତିଙ୍କ ସହଯୋଗୀ ସୁଜିତ ଦଳାଇଙ୍କ ବିରୋଧରେ ଜାତିଆଣ ମନ୍ତବ୍ୟ ମାମଲାରେ ବର୍ଷା ପ୍ରିୟଦର୍ଶିନୀ ଓ ଅନ୍ୟ ଦୁଇ ଜଣଙ୍କୁ ତିନି ସପ୍ତାହ ଅନ୍ତରୀଣ ସୁରକ୍ଷା ହାଇକୋର୍ଟ ପ୍ରଦାନ କରିଛନ୍ତି। ଏଥିସହିତ ଏ ସଂପର୍କିତ ଆଗୁଆ ଜାମିନ ଆବେଦନର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବର୍ଷା, ତାଙ୍କ ମା’ ଦୀପା ସାହୁ ଓ ଝିଆରୀଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ପୁଲିସ ନୋଟିସର ଉତ୍ତର ରଖିବାକୁ ବର୍ଷା ଓ ଅନ୍ୟ ଦୁଇ ଆବେଦନକାରୀଙ୍କୁ ହାଇକୋର୍ଟ କହିଛନ୍ତି। ଅନ୍ୟପକ୍ଷରେ ହାଇକୋର୍ଟ ପ୍ରଦାନ କରିଥିବା ଅନ୍ତରୀଣ ସୁରକ୍ଷା ଅବଧି ଶେଷ ହେବା ପରେ ଜାତିଆଣ ଆକ୍ଷେପ ଅଭିଯୋଗ ମାମଲାରେ ବର୍ଷା କ’ଣ ପଦକ୍ଷେପ ଗ୍ରହଣ କରିବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Advertisment

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସୁଜିତଙ୍କ ପ୍ରତି ଜାତିଆଣ ଆକ୍ଷେପ ଅଭିଯୋଗ ସଂପର୍କିତ ମାମଲାରେ ଦିଲ୍ଲୀ ପୁଲିସ୍‌ ନୋଟିସ୍‌ ଜାରି କରିବା ପରେ ବର୍ଷା, ତାଙ୍କ ମା’ ଓ ଝିଆରୀ ଜୁଲାଇ ୨୯ରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରିଥିଲେ। ଅଗଷ୍ଟ ୪ରେ ହାଇକୋର୍ଟ ଆବେଦନର ଶୁଣାଣି କରି ବର୍ଷା ଓ ଅନ୍ୟ ଦୁଇ ଆବେଦନକାରୀଙ୍କୁ ଦିଲ୍ଲୀ ନର୍ଥ ଆଭେନ୍ୟୁ ଥାନା ମାମଲା ନମ୍ବର ୪୨/ ୨୦୨୨ରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଗିରଫ ନ କରିବାକୁ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଅଗଷ୍ଟ ୧୭ରେ ହାଇକୋର୍ଟ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି କରିଥିବା ବେଳେ ଆଜି ରାୟ ପ୍ରକାଶ ପାଇଛି। ଏଠାରେ ସୂଚନା ଯୋଗ୍ୟ ଦିଲ୍ଲୀ ପୁଲିସ ଏସ୍‌ସି ଓ ଏସ୍‌ଟି ଆଇନ୍‌ ଅନୁଯାୟୀ ମାମଲା ରୁଜୁ କରିଥିଲା। ଗତ ମାସ ୨୫ ତାରିଖରେ ଦିଲ୍ଲୀ ପୁଲିସର ଏକ ଟିମ୍‌ ପୁରୀଘାଟ ଥାନାରେ ପହଞ୍ଚି ସ୍ଥାନୀୟ ପୁଲିସ ଜରିଆରେ ବର୍ଷାଙ୍କୁ ନୋଟିସ୍‌ କରିଥିଲା। ବର୍ଷାଙ୍କ ତରଫରୁ ଆଇନଜୀବୀ ସୁଜାତା ଜେନା ମାମଲା ପରିଚାଳନା କରୁଥିଲେ।