ମନ ମୋହୁଛି ମହୀଶୂର ସ୍ୱତନ୍ତ୍ର କାଠ ତିଆରି ଚିତ୍ରକଳା

ତୃତୀୟ ଭୁବନେଶ୍ୱର ବାଣିଜ୍ୟ ମେଳା

ଭୁବନେଶ୍ୱର : ରାଧାକୃଷ୍ଣଙ୍କ ପ୍ରେମ କାହାଣୀ ହେଉ କି ଗାଉଁଲି ଜୀବନର ନିଚ୍ଛକ ଛବି; ପୁଣି ବିଭିନ୍ନ ପ୍ରକାର ପଶୁ ପକ୍ଷୀ ଓ ଆହୁରି ବହୁତ କିଛି ଶୋଭା ପାଉଛନ୍ତି ଚିତ୍ରକଳାରେ। କିନ୍ତୁ କୌଣସି ପ୍ରକାର ରଙ୍ଗ କିମ୍ବା ରସାୟନର ବ୍ୟବହାର କରାଯାଇନାହିଁ। ଏପରିକି ତୂଳୀ କିମ୍ବା ପେନ୍‌ସିଲ୍‌କୁ କାନ୍‌ଭାସ୍‌ରେ ଚଲାଯାଇନି। କାଠ ଉପରେ କାଠ ଖୋଦେଇ କାମ କରି ପ୍ରସ୍ତୁତ ହୋଇଛି ଏସବୁ ଚିତ୍ରକଳା। ଏସବୁ ଚିତ୍ରକଳା ଦେଖିବାକୁ ମିଳୁଛି ସ୍ଥାନୀୟ ଜନତା ମଇଦାନଠାରେ ଚାଲିଥିବା ‘ତୃତୀୟ ଭୁବନେଶ୍ୱର ବାଣିଜ୍ୟ ମେଳା’ ଅବକାଶରେ ପସରା ମେଲିଥିବା ‘ମହୀଶୂର ସ୍ୱତନ୍ତ୍ର କାଠ ଚିତ୍ରକଳା’ ଷ୍ଟଲ୍‌ରେ। ବିଭିନ୍ନ ଗଛର କାଠକୁ ନେଇ ଖୋଦେଇ କରି ତିଆରି କରାଯାଉଛି ଏହିସବୁ।

ଏହା ଏବେ ନୁହେଁ ଦୀର୍ଘ ୩୦୦ବର୍ଷ ତଳର ଲୋକକଳା। କଳା ଶିଶୁ କାଠ, ଚନ୍ଦନ କାଠ, ରବର୍‌ କାଠ, ପଣସ ଗଛ କାଠ, ରକ୍ତ ଚନ୍ଦନ ଭଳି ଅନେକ ଗଛର କାଠକୁ ଏଥିରେ ବ୍ୟବହାର କରାଯାଇଥାଏ। ମହୀଶୂର୍‌ରୁ ଆସିଥିବା କୌଶର ଅହମ୍ମଦ କୁହନ୍ତି, ପୂର୍ବରୁ ଚାଲି ଆସୁଥିବା ଏହି କୌଳିକ ବୃତ୍ତିରୁ ସେ ବେଶ୍‌ ଦୁଇ ପଇସା ରୋଜଗାର କରନ୍ତି। ଖାଲି ଦେଶରେ ନୁହେଁ ବିଦେଶରେ ମଧ୍ୟ ଏହି କାଠ ଚିତ୍ରକଳାର ଚାହିଦା ଅନେକ ରହିଛି। ଏଥିରେ ବିଭିନ୍ନ ରଙ୍ଗ ଦେବା ପାଇଁ ବିଭିନ୍ନ ପ୍ରକାର ଗଛର କାଠକୁ ବ୍ୟବହାର କରାଯାଏ। ଯେମିିତିକି ନାରଙ୍ଗୀ ରଙ୍ଗ ପାଇଁ ପଣସ କାଠ, ହଳଦିଆ ପାଇଁ ଗୁଟ୍‌ଲି ପିର୍‌ ଗଛ, ବାଲି ରଙ୍ଗ ପାଇଁ ନଡ଼ିଆ ଗଛର କାଠ ବ୍ୟବହୃତ ହୋଇଥାଏ।

କଳା ରଙ୍ଗ ପାଇଁ କଳା ଶିଶୁ କାଠ ବ୍ୟବହାର ହୁଏ। ଧଳା ରଙ୍ଗ ପାଇଁ ପୂର୍ବରୁ ହାତୀ ଦାନ୍ତ ବ୍ୟବହାର କରାଯାଉଥିଲା। କିନ୍ତୁ ବର୍ତ୍ତମାନ ସରକାରଙ୍କ ଅନୁମତିକ୍ରମେ ହାତୀ ଦାନ୍ତ ଗୁଣ୍ଡକୁ ତରଳାଇ ଧଳା ରଙ୍ଗ ଦିଆଯାଉଛି। କିନ୍ତୁ ଆକାଶିଆ ନୀଳ ଓ ସବୁଜ ଆଦି ରଙ୍ଗର କାଠ ନଥିବାରୁ ସେହି ରଙ୍ଗ ବଦଳରେ ଅଲଗା କିଛି ରଙ୍ଗ ଦିଆଯାଉଥିବା ସେ କହିଛନ୍ତି। ବର୍ତ୍ତମାନ ସେଠାରେ ୭୦ଖଣ୍ଡ ଚିତ୍ରକଳା ରହିଛି। ଏଗୁଡ଼ିକର ୨ହଜାରରୁ ଆରମ୍ଭ କରି ୩୪ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ପୁଣି ଚିତ୍ରକଳାଗୁଡ଼ିକ ବହୁ ବର୍ଷ ଧରି ରହିପାରିବ ଓ ଉଇ ଖାଇବାର ଆଶଙ୍କା ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର