ରାଧାବଲ୍ଲଭ ମଠ ମହନ୍ତଙ୍କ ବିରୋଧରେ ଅନିୟମିତତା ଅଭିଯୋଗ: ସାନି ତଦନ୍ତ ପାଇଁ ଆଇନ ସଚିବଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ବର): ପୁରୀ ରାଧାବଲ୍ଲଭ ମଠ ମହନ୍ତଙ୍କ ବିରୋଧରେ ଅଭିଯୋଗ ଆସିଲା। ଅଭିଯୋଗକୁ ଆଧାର କରି ଦେବୋତ୍ତର କମିସନ ପକ୍ଷରୁ ତଦନ୍ତ ହେଲା। ତଦନ୍ତରେ ରିପୋର୍ଟ ଆସିଲା କି ଅଭିଯୋଗରେ ସତ୍ୟତା ଅଛି। ଏଣୁ ଅଭିଯୋଗକୁ ଯୋଗ୍ୟ ବୋଲି ଗ୍ରହଣ କରାଯାଉ। ତା’ସହିତ ମଠର ସୁରକ୍ଷା ତଥା ସୁପରିଚାଳନା ପାଇଁ ବୋର୍ଡ ଗଠନ କରାଯାଉ ବୋଲି ତଦନ୍ତ କରିଥିବା ଦେବୋତ୍ତର ଡେପୁଟି କମିସନର ରିପୋର୍ଟ ଦେଇଥିଲେ। ଏହି ରିପୋର୍ଟ ଆସିବା ପରେ ମାମଲା ଚପି ହୋଇ ରହିଥିଲା। ଦୀର୍ଘଦିନ ପରେ ଏହି ଅଭିଯୋଗର ତଦନ୍ତ ଆଉ ଜଣେ ଅଧିକାରୀ କଲେ। ହେଲେ ରିପୋର୍ଟ ସମ୍ପୂର୍ଣ୍ଣ ବଦଳିଗଲା। ନୂଆ ତଦନ୍ତ ରିପୋର୍ଟ ମଠ ମହନ୍ତଙ୍କୁ କ୍ଲିନ୍‌ଚିଟ୍‌ ଦେଲା। ଗୋଟିଏ କାର୍ଯ୍ୟାଳୟରେ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କର ଏହି ଭିନ୍ନ ଭିନ୍ନ ରିପୋର୍ଟ ଦେବା ପରେ ଦେବୋତ୍ତର କମିସନ ମାମଲାର ରାୟ ଶୁଣାଇଥିଲେ। ତେବେ ଏହି ଆଦେଶକୁ ହାଇକୋର୍ଟରେ ଚାଲେଞ୍ଜ ହେବା ପ‌ରେ ହାଇକୋର୍ଟ ଏହାର ସାନି ତଦନ୍ତ ପାଇଁ ଆଇନ ସଚିବଙ୍କୁ ଆଦେଶ ଦେଇଛନ୍ତି। ଯେଉଁ ରିପୋର୍ଟକୁ ଅଣଦେଖା କରାଯାଇ ଆଦେଶ ହୋଇଛି; ସେହି ରିପୋର୍ଟକୁ ବିଚାରକୁ ନେଇ ପୁନଃତଦନ୍ତ କରାଯାଉ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।
ରାଧାବଲ୍ଲଭ ମଠ ମହନ୍ତଙ୍କ ବିରୋଧରେ ଅଭିଯୋଗ କରିଥିଲେ ବୈକୁଣ୍ଠ ମହାପାତ୍ର। ତାଙ୍କ ଅଭିଯୋଗ ମୁତାବକ, ମହନ୍ତ ରାମକୃଷ୍ଣ ଦାସ ମଠ ସମ୍ପତ୍ତି ନିଜ ନାମରେ କରି ଦେଇଛନ୍ତି। ମହନ୍ତ ବିଭିନ୍ନ ବ୍ୟାଙ୍କ୍‌ରେ ନିଜ ନାମରେ ୭ ଲକ୍ଷ ଟଙ୍କା ଜମା କରିଛନ୍ତି। ଏହି ଆୟକୁ ଲୁଚାଇଛନ୍ତି। ସେ ଦୁଇଟି ପ୍ୟାନ୍‌ ନମ୍ବର କରିଛନ୍ତି। କୋଟିଏ ତାଙ୍କ ନାମରେ ଓ ଅନ୍ୟଟି ‘ମହନ୍ତ-କମ୍‌-ହେରିଡେଟାରି ଟ୍ରଷ୍ଟି’ଙ୍କ ନାମରେ, ଯାହା ବେଆଇନ। ସାହାରା ଇଣ୍ଡିଆ ନିମାପଡ଼ା ଶାଖାରେ ସେ ନିଜ ନାମରେ ୨ ଲକ୍ଷ ଜମା କରିଛନ୍ତି। ଅନ୍ୟପକ୍ଷ‌ରେ ମଠର ପୂର୍ବତନ ମହନ୍ତ ତାଙ୍କ ଘୋଷଣାନାମାରେ କହିଛନ୍ତି; ୧୯୭୯ରେ ବର୍ତ୍ତମାନର ମହନ୍ତ ରାମକୃ‌ଷ୍ଣ ଏହି ମଠକୁ ଆସିଛନ୍ତି, କିନ୍ତୁ ସେତେବେଳେ ସେ ନିଜ ଘରେ ଥାଇ ୧୯୮୫ରେ ମାଟ୍ରିକ ପରୀକ୍ଷା ଦେଇଥିଲେ। ଏଣୁ ଏହା କିପରି ସମ୍ଭବ ହେଲା ତାହା ତଦନ୍ତସାପେକ୍ଷ। ମଠ ମହନ୍ତ ଭାବରେ ସେ ଧର୍ମ କାର୍ଯ୍ୟ କରିବା କଥା, କିନ୍ତୁ ସେ କାର୍‌ ବ୍ୟବହାର କରିବା ସହ ବିଳାସପୂର୍ଣ୍ଣ ଜୀବନ ଉପଭୋଗ କରୁଛନ୍ତି। କାର୍‌ କିଣିବାକୁ ହେଲେ ଦେବୋତ୍ତର କମିସନରଙ୍କ ସ୍ବୀକୃତିର ଆବଶ୍ୟକତା ଅଛି। ହେଲେ ସ୍ବୀକୃତି ନିଆଯାଇ ନାହିଁ।

ଏ ନେଇ ଗତ ୨୦୧୩ ମସିହାରେ ଏଭଳି ଅଭିଯୋଗ କରିଥିଲେ ବୈକୁଣ୍ଠ ମହାପାତ୍ର। ଅଭିଯୋଗକୁ ଆଧାର କରି ତତ୍‌କାଳୀନ ଦେବୋତ୍ତର କମିସନରଙ୍କ ଆଦେଶରେ ଏହାର ତଦନ୍ତ କରିଥିଲେ ଡେପୁଟି କମିସନର। ୨୦୧୩ ମସିହା ଜୁନ୍‌ ୧୮ ତାରିଖରେ ସେ ଦେବୋତ୍ତର କମିସନଙ୍କୁ ରିପୋର୍ଟ ଦାଖଲ କରିଥିଲେ। ରିପୋର୍ଟରେ ଏହି ସବୁ ଅଭିଯୋଗର ସତ୍ୟାସତ୍ୟ ଥିବା ସ୍ପଷ୍ଟ କରିଥିଲେ। ମ‌ାତ୍ର ସେତେବେଳେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା। ପୁରୀ ଦେବୋତ୍ତର ଇନ୍‌ସ୍‌ପେକ୍ଟର ମଧ୍ୟ ତଦନ୍ତ ରିପୋର୍ଟ ଦେଇଥିଲେ। ଏହା ଦୀର୍ଘ ଦିନ ପଡ଼ିରହିବା ପରେ ଆଉଥରେ ଆଉ ଜଣେ ଡେପୁଟି କମିସନର ଏହାର ତଦନ୍ତ କରି ରିପୋର୍ଟ ଉପସ୍ଥାପନ କରିଥିଲେ। ଏଥିରେ ମହନ୍ତଙ୍କୁ କ୍ଲିନ୍‌ ଚିଟ୍‌ ମିଳିଥିଲା। ରିପୋର୍ଟରେ ଏହା ବି ଉଲ୍ଲେଖ ଥିଲା କି ଅଭିଯୋଗକାରୀ ବୈକୁଣ୍ଠ ମହାପାତ୍ର ଏହି ମଠରେ ଦୀର୍ଘ ଦିନ ହେବ ରହି ଆସୁଥିଲେ। ମଠର ଭୁବନେଶ୍ବର ଶାଖାରେ ସେ ତାଙ୍କର ସମ୍ପର୍କୀୟଙ୍କୁ ରଖିବା ପାଇଁ ଚାହୁଥିଲେ। ହେଲେ ମହନ୍ତ ମନା କରିବା ସହ ତାଙ୍କୁ ମଠରୁ ବାହାର କରିଦେବାରୁ ବୈକୁଣ୍ଠ ତାଙ୍କ ପଛରେ ଲାଗିଛନ୍ତି। ବିଭିନ୍ନ ସମୟରେ ପିଟିସନ୍‌ ଦାଖଲ କରୁଛନ୍ତି।

ଏହି ସବୁ ରିପୋର୍ଟକୁ ଆଧାର କରି ଦେବୋତ୍ତର କମିସନ ମାମଲାର ରାୟ ଶୁଣାଇଥିଲେ। ମାମଲାର ବିଚାର କଲା ବେଳେ ପ୍ରଥମେ ଯେଉଁ ଡେପୁଟି କମିସନର ତଦନ୍ତ ରିପୋର୍ଟ ଦେଇଥିଲେ ତାହାକୁ ବିଚାରକୁ ନିଆ ଯାଇନଥିବା ଦର୍ଶାଇ ବୈକୁଣ୍ଠ ହାଇକୋର୍ଟ ଯାଇଥିଲେ। ଏବେ ଆଇନ ସଚିବ ଏହାର ତଦନ୍ତ କରିବାକୁ ହାଇକୋର୍ଟ ଆଦେଶ ଦେଇଥିବାରୁ ପ୍ରକୃତ ସତ୍ୟାସତ୍ୟ ଉନ୍ମୋଚନ ହେବାର ଆଶା ସୃଷ୍ଟି ହୋଇଛି ବୋଲି ଅଭିଯୋଗକାରୀ କହିଛନ୍ତି।

ସମ୍ବନ୍ଧିତ ଖବର