ଭୁବନେଶ୍ବର: ବଡ଼ ଦିନର ଅବ୍ୟବହିତ ପୂର୍ବରୁ ସାନ୍ତାକ୍ଲଜ୍ର ଉପହାର ପାଇ ପିଲାମାନେ ଖୁସିରେ ଝୁମିଥିଲେ। ମନମତାଣିଆ ଉପହାର ସହ ଚକ୍ଲେଟ୍ ସାନ୍ତାକୁ ପାଖରେ ପାଇ ପିଲାମାନେ ସାନ୍ତା ସହ ସେଲ୍ଫି ନେବାରେ ନିମଗ୍ନ ଥିଲେ। ସପିଂ ପାଇଁ ମଲ୍ ବୁଲି ଆସିଥିବା ଗ୍ରାହକମାନେ କଣ୍ଠଶିଳ୍ପୀମାନଙ୍କ ସଙ୍ଗୀତର ମୂର୍ଚ୍ଛନାରେ କିଛି ସମୟ ମନ୍ତ୍ରମୁଗ୍ଧ ହୋଇପଡ଼ିଥିଲେ। ପିଲାଙ୍କ ସହ ପିଲା ହେବାକୁ ବଡ଼ମାନଙ୍କୁ ବି ଅବସରଟିଏ ମିଳିଥିଲା। ଚାମଚରେ ବଲ୍ ଉଠାଇବା, ଗ୍ଲାସ୍ରେ ପିରାମିଡ୍ ତିଆରି କରିବାଠାରୁ ଆରମ୍ଭ କରି ଟମ୍ କ୍ରୁଜ୍ ଖେଳ ପର୍ଯ୍ୟନ୍ତ ବହୁ କୌତୁକିଆ ଖେଳ ଖେଳି ନିଜ ପିଲା ଦିନର ସ୍ମୃତିକୁ ପୁଣି ଥରେ ଉଜ୍ଜୀବିତ କରାଇବାର ସୁଯୋଗଟିଏ ମିଳିଥିଲା ବଡ଼ମାନଙ୍କୁ। ଅବସର ଥିଲା, ରେଡିଓ ଚକ୍ଲେଟ୍ ୧୦୪ ଏଫ୍ଏମ୍ ପକ୍ଷରୁ ଏସ୍ପ୍ଲାନେଡ୍-ୱାନ୍ ମଲ୍ଠାରେ ଆୟୋଜିତ ଖ୍ରୀଷ୍ଟ୍ମାସ୍ ଉତ୍ସବର ତୃତୀୟ ସଂସ୍କରଣ। କାର୍ଯ୍ୟକ୍ରମରେ ଉପସ୍ଥିତ ଦର୍ଶକମାନଙ୍କ ମଧ୍ୟରେ ବିଭିନ୍ନ ଖେଳର ଆୟୋଜନ କରି ବିଜେତାଙ୍କ ସହ ସମସ୍ତ ପ୍ରତିଯୋଗୀଙ୍କୁ ଉପହାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଅବସରରେ କଣ୍ଠଶିଳ୍ପୀ ଜେମ୍ସ୍ ସର୍ଫୁଦ୍ଦିନ୍, ମନସ୍ବିନୀ ପଟ୍ଟନାୟକ, ଭାଗ୍ୟଶ୍ରୀ ମହାନ୍ତି ପ୍ରମୁଖ ଯୋଗଦେଇ ଦର୍ଶକଙ୍କ ଖୁବ୍ ମନୋରଞ୍ଜନ କରାଇଥିଲେ। ବଲିଉଡ୍ ରୋମାଣ୍ଟିକ୍ ନମ୍ବର ୱାନ୍ ସଂଗୀତଠାରୁ ଆରମ୍ଭ କରି ଆଇଟମ୍ ସଙ୍ଗୀତ ଆଦି ଗୋଟିଏ ମଞ୍ଚରେ ପରିବେଷଣ କରି ଦର୍ଶକଙ୍କୁ ଶୀତୁଆ ସଂଧ୍ୟାରେ ନାଚିବାକୁ ବାଧ୍ୟ କରିଥିଲେ।
ଏହାପରେ ଭୁବନେଶ୍ବର ଆଇଏନ୍ଆଇଏଫ୍ଡି ପକ୍ଷରୁ ଛୋଟ ଓ ବଡ଼ କଳାମାରମାନଙ୍କ ଦ୍ବାରା ଫ୍ୟାସନ୍ ସୋ’ ପରିବେଷିତ ହୋଇଥିଲା। ଆଜିର କାର୍ଯ୍ୟକ୍ରମକୁ ଆର୍.ଜେ ଅନିଲ୍ ଓ ଆର୍.ଜେ କୋମଲ୍ ସଂଯୋଜନା କରିଥିବା ବେଳେ ଆର୍.ଜେ ସଂଗ୍ରାମ, ଆର୍.ଜେ ନୀଲ୍ ଓ ଆର୍ଜେ ନିଭି ପ୍ରମୁଖ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ପୃଷ୍ଠପୋଷକ ଭାରତ ମସଲା ଥିବା ବେଳେ ଡୁନ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ, ଇଭ୍, ନିନ୍ଜା ବ୍ରେନ୍, ଭୁବନେଶ୍ବର ଆଇଏନ୍ଆଇଏଫ୍ଡି, ଜିନସ୍ ନେଟ୍, ରାଜ୍ ଇଲେକ୍ଟ୍ରୋନିକ୍ସ୍, କନକ ମହାଲକ୍ଷ୍ମୀ ଜୁଏଲର୍ସ, ଜୁଗାଡ ଜଙ୍କସନ୍, ୟୁସିମାସ୍, ଅଖିଲ ଫଟୋଗ୍ରାଫି ପ୍ରମୁଖ ସହଯୋଗର ହାତ ବଢ଼ାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/df6jh54dfg98jh74df65h4fsd65h465sdf7h98sfd4h65fs4h65fshsfhsfhsfhsf.jpg)