ରେଡିଓ ଚକ୍‌ଲେଟ୍‌ରେ ‘ଏଜେଣ୍ଟ୍‌ ଯୋଗ’

ଭୁବନେଶ୍ବର: ଯୋଗ ଦିବସକୁ ନିଆରା ଢଙ୍ଗରେ ଶ୍ରୋତାଙ୍କ ପାଖରେ ପହଞ୍ଚାଇଛି ‘ରେଡିଓ ଚକ୍‌ଲେଟ୍‌’। ଏହି ପରିପ୍ରେକ୍ଷୀରେ ସକାଳ ୭ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ‘‌ଏଜେଣ୍ଟ୍‌ ଯୋଗ’ ମାଧ୍ୟମରେ ଯୋଗର ମାହାତ୍ମ୍ୟକୁ ଶ୍ରୋତାଙ୍କ ନିକଟରେ ପହଞ୍ଚାଇଥିଲା ରାଜ୍ୟର ୧ ନମ୍ବର ଏଫ୍‌ଏମ୍‌ ରେଡିଓ ଚକ୍‌ଲେଟ୍‌। ଏଥିରେ ଆର୍‌ଜେଙ୍କ ସହ ଯୋଗ ପ୍ରଶିକ୍ଷକମାନେ ସାମିଲ୍‌ ହୋଇ ଯୋଗ ଓ ଏହାର ମହତ୍ତ୍ବ ସମ୍ପର୍କରେ କହିଥିଲେ। ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ‘ସକାଳର ପହିଲି ଗାଡ଼ିରେ’ କାର୍ଯ୍ୟକ୍ରମରେ ଆର୍‌ଜେ କୋମଲଙ୍କ ସହ ଯୋଗଗୁରୁ ପ୍ରଫୁଲ୍ଲ ମିଶ୍ର ସାମିଲ୍‌ ହୋଇଥିଲେ। ପୂର୍ବାହ୍ନ ୧୧ଟାରୁ ୧ଟା ପର୍ଯ୍ୟନ୍ତ ‘ଭାଉଜ ନମସ୍କାର’ କାର୍ଯ୍ୟକ୍ରମରେ ଆର୍‌ଜେ ଅନିଲଙ୍କ ସହ ଯୋଗଗୁରୁ ପୁନମ ଗୁପ୍ତା, ମଧ୍ୟାହ୍ନ ୧ଟାରୁ ‘ତୁମ ପାଇଁ ଗୀତଟିଏ’ କାର୍ଯ୍ୟକ୍ରମରେ ଆର୍‌ଜେ ନିଭିଙ୍କ ସହ ଗାୟିତା ଓ ଯୋଗ ପ୍ରଶିକ୍ଷକ ସୁସ୍ମିତା ଦାସ, ସନ୍ଧ୍ୟା ୬ରୁ ୮ଟା ପର୍ଯ୍ୟନ୍ତ ‘ଦୁଷ୍ଟ ଏଇ ଝିଅକୁ ନେଇ’ କାର୍ଯ୍ୟକ୍ରମରେ ଆର୍‌ଜେ ଅଭି ଓ ନିଭିଙ୍କ ସହ ଆକ୍ଟ ଅଫ୍‌ ଲିଭିଙ୍ଗ୍‌ର ଯୋଗଗୁରୁ ରଶ୍ମିତା ମହାପାତ୍ର, ଅମିତା, ରାଜେଶ, ଜିତେନ୍ଦ୍ର, ବିଜୟଲକ୍ଷ୍ମୀ ଏବଂ ରାତି ୧୦ରୁ ୧୨ଟା ପର୍ଯ୍ୟନ୍ତ ‘ପ୍ରେମର ଫର୍ମୁଲା’ କାର୍ଯ୍ୟକ୍ରମରେ ଆର୍‌ଜେ କୋୟଲଙ୍କ ସହ ଯୋଗଗୁରୁ ମମତା ବିଶ୍ବାଳ ଯୋଡ଼ି ହୋଇଥିଲେ। ଏଥିରେ କେବଳ ଯୋଗ ଯୋଗଗୁରୁମାନେ ଯୋଗ ସମ୍ବନ୍ଧରେ କହିନଥିଲେ, ଶ୍ରୋତାମାନେ ମଧ୍ୟ ଫୋନ୍‌ କରି ଶାରୀରିକ ଓ ମାନସିକ ସମସ୍ୟାର ସମାଧାନ କ୍ଷେତ୍ରରେ ଯୋଗର ସୂତ୍ର ପଚାରି ବୁଝିଥିଲେ।

ସମ୍ବନ୍ଧିତ ଖବର