ଲକ୍ଷେଶ୍ବର ମନ୍ଦିରରେ ‘ଚକଲେଟ୍‌ ଭଜନସନ୍ଧ୍ୟା’: ଭକ୍ତିରସରେ ଭିଜିଲେ ଶ୍ରୋତା

ଭୁବନେଶ୍ବର: ପବିତ୍ର ମହାଶିବରାତ୍ରି ଅବସରରେ ରାଜଧାନୀ ଉପକଣ୍ଠ ବରିମୁଣ୍ଡ ଲକ୍ଷେଶ୍ବର ମହାଦେବ ମନ୍ଦିର‌ ପରିସରରେ ଆଜି ଓଡ଼ିଶାର ଅଗ୍ରଣୀ ଏଫ୍‌.ଏମ୍‌ ରେଡିଓ ଚକଲେଟ୍‌ ପକ୍ଷରୁ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ‘ଚକଲେଟ୍‌ ଭଜନ ସଂଧ୍ୟା’ ପରିବେଷିତ ହୋଇଯାଇଛି। ଏଥିରେ ଓଡ଼ିଶାର ନାମକରା କଣ୍ଠଶିଳ୍ପୀମାନେ ଯୋଗଦେଇ ଉଭୟ ଓଡ଼ିଆ ଓ ହିନ୍ଦୀ‌ରେ ଭଜନ ଗାଇ ଦର୍ଶକଙ୍କୁ ଭକ୍ତିରସରେ ଭିଜାଇଥିଲେ। ବିଶିଷ୍ଟ କଣ୍ଠଶିଳ୍ପୀ ମହାପ୍ରସାଦ କରଙ୍କ କଣ୍ଠରେ ‘ଭଜରେ ମାନସ ଶୈବ ପଦଂ’ରୁ ସଂଗୀତ ସଂଧ୍ୟାର ଆରମ୍ଭ ହୋଇଥିଲା। ପରେ ସେ ‘ଗୋଡ଼ ଯୋଡ଼ିକ ଥାଇ’ ଜଗନ୍ନାଥ ଭଜନ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ତାଙ୍କ ପରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଇରା ମହାନ୍ତିଙ୍କ କଣ୍ଠରୁ ଝରି ଆସିଥିଲା, ‘ତୁମେ ସତ୍ୟ ତୁମେ ସୁନ୍ଦର…’, ରସିଆ-ରତ୍ନ ସିଂହାସନରୁ ଉଠିଆ…, ବାହୁଡ଼ି ଯାଏ ମୋ ଆହେ ବାହୁଡ଼ାବ୍ରହ୍ମ…, ଏକ ରାଧା, ଏକ ମୀରା…. ଭଳି ଭକ୍ତି ସଂଗୀତ। ପରେପରେ କଣ୍ଠଶିଳ୍ପୀ ପ୍ରଫୁଲ୍ଲ ବେହେରା, ସୋହିନୀ ମିଶ୍ର, ଲୋପାମୁଦ୍ରା ପ୍ରିୟଦର୍ଶୀ, ବରୁଣ କୁମାର ଏବଂ ଲୀନା ମହାନ୍ତି ମଧ୍ୟ ବିଭିନ୍ନ ଭକ୍ତିସଂଗୀତ ପରିବେଷଣ କରି ଦର୍ଶକଙ୍କୁ ବିଳମ୍ବିତ ରାତି ଯାଏ ମନ୍ଦିର ପରିସରରେ ବାନ୍ଧି ରଖିଥିଲେ। ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ ଯୋଗୀରାଜ ସ୍ବାଇଁ(ତବଲା), ଏନ୍ ବାବୁଲ(ଢୋଲକ୍), ସନ୍ତୋଷ କର(ପ୍ୟାଡ୍‌), ଭାଗୀରଥି (କି-ବୋର୍ଡ),  କରୁଣାକର (ବଂଶୀ), ବାପୁନ୍ (ଢୋଲ୍ ) ପ୍ରମୁଖ।

ପରେ ଶିଶୁ କଳାକାରମାନଙ୍କୁ ନେଇ ନାଟକ ‘ଭସ୍ମାସୁର ବଧ’ ଓ ‘ଚୋର ଭୁଜବଳର ମୋକ୍ଷପ୍ରାପ୍ତି’ ପରିବେଷଣ କରାଯାଇଥିଲା। ଗୁରୁ ଶତପଥୀ ନାଟକ ଦୁଇଟିର ରଚନା କରିଥିବା ବେଳେ ଆର.ଜେ କୋମଲ୍, ଆର.ଜେ ପୂଜା ନିର୍ଦ୍ଦେଶନା ଦେଇଥିଲେ। ସେହିପରି ବିଭିନ୍ନ ଭୂମିକାରେ ବୈଭବ, ପ୍ରଜ୍ଞା, କ୍ରିଷ୍ଣା, ମୋହିନୀ, କ୍ରିତିକା, ଆଦ୍ୟାଶ ଶିଶୁ କଳାକାରମାନେ ଉଚ୍ଚକୋଟୀର ଅଭିନୟ କରି ଦର୍ଶକଙ୍କ କରତାଳି ସାଉଁଟିଥିଲେ। ପରିଶେଷରେ ନୃତ୍ୟ ପରିବେଷଣ କରାଯାଇଥିଲା। ଏଥିରେ ନୃତ୍ୟଶାଳା କଟକର ନୃତ୍ୟ ଶିଳ୍ପୀବୃନ୍ଦ ଏବଂ ନୃତ୍ୟଗୁରୁ ଚିତ୍ତରଞ୍ଜନ ସାହାଣୀ ନୃତ୍ୟ ପରିବେଷଣ କରିଥିଲେ।

କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ଦିରର ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ବାରୋପ କରିଥିଲେ। ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର (ଉତ୍ତର) ବିଧାୟକ ସୁଶାନ୍ତ ରାଉତ ଯୋଗଦେଇ ରେଡିଓ ଚକଲେଟ୍‌ର ଏପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ‘ସମ୍ବାଦ’ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, ଭୁବନେଶ୍ବର ବାଲିଯାତ୍ରାର ମହାସଚିବ ତପନ କୁମାର ବଳିୟାରସିଂ, ଲକ୍ଷେଶ୍ବର ମହାଦେବ ମନ୍ଦିର ଟ୍ରଷ୍ଟି ତପନ ଦାସ, ଯଶୋବନ୍ତ ଓଝା, ଆଧ୍ୟାତ୍ମିକ ପ୍ରବକ୍ତା ପ୍ରଫେସର୍‌ ଡ. ରଘୁନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର