ଭୁବନେଶ୍ବର: ଦୀର୍ଘ ୧୬ ବର୍ଷ ଧରି ଶ୍ରୋତାଙ୍କୁ ମିଠାମିଠା କାର୍ଯ୍ୟକ୍ରମ ପରିବେଷଣ କରି ରାଜ୍ୟର ସର୍ବାଧିକ ଲୋକପ୍ରିୟ ଏଫଏମ୍ ରେଡିଓ ଭାବେ ଓଡିଶାବାସୀଙ୍କ ମନ ଜିଣିଛି ରେଡିଓ ଚକଲେଟ୍ ୧୦୪ ଏଫଏମ୍। ୨୦୦୭ ମସିହା ମେ ୪ ତାରିଖରେ ଆରମ୍ଭ ହୋଇଥିବା ‘ରେଡିଓ ଚକ୍ଲେଟ୍ ୧୦୪ ଏଫ୍ଏମ୍’ ଆଜି ୧୭ ବର୍ଷରେ ପଦାର୍ପଣ କରିଛି। ଏହି ଅବସରରେ ‘ସମ୍ବାଦ’ ଭବନ ପରିସରରେ ଥିବା ରେଡିଓ ଚକଲେଟ୍ କାର୍ଯ୍ୟାଳୟରେ ପ୍ରତିବର୍ଷ ପରି ଏ ବର୍ଷ ବି ଛେନାପୋଡ଼ କଟାଯାଇ ସ୍ବନକ୍ଷତ୍ର ଉତ୍ସବ ପାଳନ କରାଯାଇଛି।
‘ରେଡିଓ ଚକ୍ଲେଟ୍ ୧୦୪ ଏଫ୍ଏମ୍’ର ଜନ୍ମଦିନ ଉତ୍ସବରେ ଉପସ୍ଥିତ ରହି ‘ସମ୍ବାଦ ଗ୍ରୁପ୍’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ରେଡିଓ ଚକଲେଟର ସହକର୍ମୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସଫଳତାକୁ ନେଇ ଖୁସି ବ୍ୟକ୍ତ କରିଥିଲେ। ସେ କହିଥିଲେ, ରେଡିଓର ପ୍ରଚଳନ ପ୍ରାୟ ଶେଷ ହୋଇ ସାରିଥିବା ସମୟରେ ‘ରେଡିଓ ଚକ୍ଲେଟ୍’ର ଆରମ୍ଭ ଏକ ଆଶଙ୍କା ଭିତରେ ହୋଇଥିଲା। ମାତ୍ର ୧୬ ବର୍ଷ ମଧ୍ୟରେ ସେ ସମସ୍ତ ଆଶଙ୍କାକୁ ଦୂର କରିପାରିଛି ‘୧୦୪ ଏଫ୍ଏମ୍’। ସେ ଆହୁରି ବି କହିଥିଲେ ଯେ ଆମେ ‘ରେଡିଓ ଚକ୍ଲେଟ୍’ ଆରମ୍ଭ କରିବା ପୂର୍ବରୁ ୧୦ ଜଣଙ୍କ ଘର ବୁଲିଲୁ। ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ଘରେ ରେଡିଓ ନଥିଲା। ମାତ୍ର ଜଣଙ୍କ ଘରେ ଏକ ଛୋଟିଆ ଟ୍ରାନ୍ଜିଷ୍ଟର୍ଟେ ଥିଲା। ମୋର ଜଣେ ବନ୍ଧୁ ମୋତେ କହିଥିଲେ ଏଭଳି ପରିସ୍ଥିତିରେ ଶ୍ରୋତାଙ୍କ ନିକଟରେ ରେଡିଓ ପହଞ୍ଚାଇବା ଅସମ୍ଭବ। ହେଲେ ଇଚ୍ଛାଶକ୍ତି ଦୃଢ଼ ଥିଲା, ‘ରେଡିଓ ଚକ୍ଲେଟ୍’ର ଶୁଭାରମ୍ଭ ହେଲା। ଆଜି ‘୧୦୪ ଏଫ୍ଏମ୍’ ଶ୍ରୋତାଙ୍କ ମନରେ ନିଜର ସ୍ବତନ୍ତ୍ର ସ୍ଥାନ ଗଢ଼ିବାରେ ସମର୍ଥ ହୋଇଛି। ଯେତେଦିନ ପର୍ଯ୍ୟନ୍ତ ଲୋକ ମୋବାଇଲ୍ ଫୋନ୍ ବ୍ୟବହାର କରୁଥିବେ ଓ ଚାରିଚକିଆ ଗାଡ଼ି ଚଢୁଥିବେ ସେତେଦିନ ପର୍ଯ୍ୟନ୍ତ ଯେ ‘ରେଡିଓ ଚକଲେଟ୍ ୧୦୪ ଏଫ୍ଏମ୍’ ଶୁଣିବାକୁ ମିଳୁଥିବ ଏଥିରେ କୌଣସି ସନ୍ଦେହ ନାହିଁ।
ସେହିପରି ରେଡିଓ ଚକଲେଟର ଆରମ୍ଭ ସମୟର ଘଟଣାବଳି ସ୍ମୃତିଚାରଣ କରି ‘ସମ୍ବାଦ ଗ୍ରୁପ୍’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ କହିଥିଲେ ରେଡିଓ ମାଧ୍ୟମରେ ମୁଁ ସମ୍ବାଦ ଗ୍ରୁପ ସହ ଯୋଡ଼ି ହୋଇଥିଲି। ଏହିଠାରୁ ମୋର କାର୍ଯ୍ୟଧାରା ଆରମ୍ଭ ହୋଇଥିଲା। ରେଡିଓର ସଫଳତାକୁ ନେଇ ସେ ଖୁସି ବ୍ୟକ୍ତ କରିଥିଲେ। ଏହି ଅବସରରେ ସେ ନିକଟ ଅତୀତରେ ଚକ୍ଲେଟ୍ ପ୍ରଡକ୍ସନ୍ ପକ୍ଷରୁ ମଞ୍ଚସ୍ଥ ହୋଇ ବ୍ୟାପକ ଲୋକପ୍ରିୟତା ଅର୍ଜନ କରିଥିବା ଐତିହାସିକ ନାଟକ ‘ଆହେ ନୀଳଶଇଳ’ ପ୍ରସଙ୍ଗ ବି ଉପସ୍ଥାପନ କରିଥିଲେ। ଚକ୍ଲେଟ୍ ପ୍ରଡକ୍ସନ୍ ଆଗକୁ ଆହୁରି ନୂଆ ନୂଆ ମଞ୍ଚ ନାଟକ ପ୍ରସ୍ତୁତ କରିବ ବୋଲି ସୂଚନା ଦେଇଥିଲେ।
ଏହି ଉତ୍ସବରେ ଉପସ୍ଥିତ ରହି ‘ରେଡିଓ ଚକ୍ଲେଟ୍ ୧୦୪ ଏଫ୍ଏମ୍’ର ପ୍ରୋଗ୍ରାମିଂ ହେଡ୍ ସଂଗ୍ରାମ ମିଶ୍ର ସ୍ବାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ବାଦ ଗ୍ରୁପର ବହୁ ବରିଷ୍ଠ କର୍ମକର୍ତ୍ତା ଓ ରେଡିଓ ଚକଲେଟର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।