ରେଡିଓ ଚକ୍‌ଲେଟ୍ ପାଳିଲା ୧୪ତମ ଜନ୍ମ ଦିବସ ‘ମିଠା କଥାରେ, ମିଠା ଗୀତରେ ଶ୍ରୋତାଙ୍କୁ ବାନ୍ଧି ରଖିବାକୁ ହେବ’

ଭୁବନେଶ୍ବ: କରୋନା ମହାମାରୀ ସାରା ଭାରତରେ କାୟା ବିସ୍ତାର କରିଚାଲିଛି। ମନରେ ଭରି ଦେଇଛି ଆଶଙ୍କା, ନୈରାଶ୍ୟ। କିନ୍ତୁ ଭାଙ୍ଗି ଦେଇନି ରେଡିଓ ଚକ୍‌ଲେଟ୍‌ର ମନୋବଳକୁ ଓ ତା’ର ଉତ୍ସାହକୁ। ସବୁ ବର୍ଷ ପରି ଏ ବର୍ଷ ଆଡ଼ମ୍ବରରେ ନହେଲେ ମଧ୍ୟ ରେଡିଓ ଚକ୍‌ଲେଟ୍ ଭର୍ଚୁଆଲ୍ ମିଟ୍‌ରେ ପାଳନ କରିଛି ତା’ର ୧୪ତମ ଜନ୍ମ ଦିବସ। ଏହି ମିଳନ କାର୍ଯ୍ୟକ୍ରମରେ ସର୍ବ ପ୍ରଥମେ ସମ୍ବାଦ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ନିଜର ଅନୁଭୂତି ପ୍ରକାଶ କରି କହିଥିଲେ ଯେ, ରେଡିଓ ଚକ୍‌ଲେଟ୍‌ର ସ୍ଥାନ ତାଙ୍କ ପାଇଁ ସବୁବେଳେ ସ୍ୱତନ୍ତ୍ର ହୋଇ ରହିଥିବ। ସମ୍ବାଦ ପରିବାରରେ କାର୍ଯ୍ୟ ଆରମ୍ଭ କଲାବେଳେ ରେଡିଓ ଚକ୍‌ଲେଟ୍‌ର ମନ ମତାଣିଆ କାର୍ଯ୍ୟକ୍ରମ ରଙ୍ଗବେରଙ୍ଗର ଇଭେଣ୍ଟସ୍ ତାଙ୍କୁ ଆକର୍ଷିତ କରିଥିଲା।

ସମ୍ବାଦ ଗ୍ରୁପ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ରେଡିଓ ଚକ୍‌ଲେଟ୍ କିପରି ଭାବରେ ଓଡ଼ିଶାରେ ୧୪ ବର୍ଷ ଧରି ପ୍ରଥମ ସ୍ଥାନ ଅଧିକାର କରିଆସିଛି ସେ ସମ୍ପର୍କରେ ସୂଚନା ଦେଇଥିଲେ। ରେଡିଓ ଚକ୍‌ଲେଟ୍‌କୁ ମିଠା କଥାରେ, ମିଠା ଗୀତରେ ଶ୍ରୋତାଙ୍କ ମନକୁ ବାନ୍ଧି ରଖିବାକୁ ହେବ। ନୂଆ ନୂଆ ଚିନ୍ତାଧାରାରେ ଶ୍ରୋତାଙ୍କ ମନକୁ ଜିଣିବାକୁ ହେବ। ଆଜି ରେଡିଓ ଚକ୍‌ଲେଟ୍ ଯେଉଁ ଅଗଣିତ ଶ୍ରୋତାଙ୍କ ପାଇଁ ନମ୍ବର ୱାନ୍ ହୋଇ ପାରିଛି, ସେହି ଶ୍ରୋତା ମାନଙ୍କ ପସନ୍ଦକୁ ସବୁବେଳେ ଧ୍ୟାନରେ ରଖିବାକୁ ପଡ଼ିବ। ଆଜିର ସଫଳତାରେ ଉତ୍‌ଫୁଲ୍ଲିତ ନହୋଇ ନିରହଂକାର ହୋଇ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସମ୍ବାଦର ସିଓଓ ତଥା ପ୍ରକାଶକ କମଳାକାନ୍ତ ମହାପାତ୍ର ରେଡିଓ ଚକ୍‌ଲେଟ୍‌ର ଟିମ୍ ସ୍ପିରିଟ୍‌କୁ ପ୍ରଶଂସା କରିଥିଲେ। ଡିଜିଏମ୍‌ (ମାନବ ସମ୍ବଳ) ବୈଜୟନ୍ତୀ କର ରେଡିଓ ଚକ୍‌ଲେଟ୍‌କୁ ଆରମ୍ଭରୁ ଭଲ ପାଇ ଆସିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ‘ଆମ ଓଡ଼ିଶା’ର ସଂପାଦକ ସ୍ୱରାଜ ମିଶ୍ର ରେଡିଓ ଚକ୍‌ଲେଟ୍‌ର ନୂଆ ନୂଆ ଚିନ୍ତାଧାରାରେ କାର୍ଯ୍ୟକ୍ରମକୁ ଜାରି ରଖିବାକୁ ଉପଦେଶ ଦେଇଥିଲେ। ରେଡିଓ ଚକ୍‌ଲେଟ୍‌ର ସେଲ୍ସ ହେଡ୍‌ ଲିଙ୍ଗରାଜ ଲେଙ୍କା ନିଜର ପୁରୁଣା ସ୍ମୃତି ସମ୍ପର୍କରେ କହିଥିଲେ। ଏଣ୍ଟରଟେନ୍‌ମେଣ୍ଟ ଡିଭିଜନ୍‌ର ଜେନେରାଲ୍ ମ୍ୟାନେଜର୍ ଈରା ମହାନ୍ତି ମଧ୍ୟ ରେଡିଓ ଚକ୍‌ଲେଟ୍‌ରେ ତାଙ୍କ ଅନୁଭୂତି ବଖାଣିବା ସହିତ ବର୍ତ୍ତମାନ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଏବଂ ଆର୍‌ଜେ ମାନଙ୍କ ପ୍ରଶଂସା କରିଥିଲେ। ଟିମ୍ ମେମ୍ବରମାନଙ୍କ ମଧ୍ୟରେ ଆର୍‌ଜେ ଅନିଲ୍‌, ଆର୍‌ଜେ କୋମଲ୍‌, ଆର୍‌ଜେ ପୂଜା, ଆର୍‌ଜେ ନିଲ୍‌, ଆର୍‌ଜେ ଆର୍ଯ୍ୟ, ଗୁରୁ ଶତପଥୀ, ପବିତ୍ର, ତାପସ, ପ୍ରଶାନ୍ତ, ମନୋଜ, ସ୍ମୃତି, ସୁନୀଲ୍ ଏବଂ ଚିନ୍ମୟୀ ରେଡିଓ ଚକ୍‌ଲେଟ୍‌ରେ ବିତାଇଥିବା ନିଜର ଅଭୁଲା ସ୍ମୃତି ବାଣ୍ଟି ଥିଲେ। ଶେଷରେ ପ୍ରୋଗ୍ରାମିଂ ହେଡ୍ ସଂଗ୍ରାମ ମିଶ୍ର ରେଡିଓ ଚକ୍‌ଲେଟ୍‌ର ଅଗାମୀ କାର୍ଯ୍ୟକ୍ରମ ସବୁ ନୂତନ ତଥା ଭରପୂର ମନୋରଞ୍ଜନ ଧର୍ମୀ ହେବ ବୋଲି ପ୍ରତିଶ୍ରୁତି ଦେବା ସହ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର