ରେଡିଓ ଚକଲେଟ୍‌ ଷ୍ଟୁଡିଓରେ ବଲିଉଡ୍‌ କଣ୍ଠଶିଳ୍ପୀ ଅମିତ୍‌ ସାନା ‘ଗୀତ ଗାଇବା ବି ଏକ ସମାଜସେବା’

ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌ ୱାନ୍‌ରେ ରନର୍ସଅପ୍ ହେବା ପରେ ଅମିତ୍‌ ସାନା ପାଲଟି ଯାଇଥିଲେ ଜଣେ ଚର୍ଚ୍ଚିତ ସେଲିବ୍ରିଟି। ଏହା ପରେ ବଲିଉଡ୍‌ରେ ତାଙ୍କ କଣ୍ଠନିସୃତ ଗୀତ ତାଙ୍କ ପରିଚୟକୁ ଆହୁରି ବ୍ୟାପକ କଲା। ଚଲ୍‌ ଦିୟେ…, ଥି ମେରି ଦସ୍ତାନ…, ୟାଦେଁ…, ମେରେ ଖୟାଲୋଁ ମୈ… ମହବତେ ଲୁଟାଉଙ୍ଗା… ଭଳି ଗୀତର ଏହି ଲୋକପ୍ରିୟ କଣ୍ଠଶିଳ୍ପୀ ରୋଟାରି କ୍ଲବ୍‌ କଳିଙ୍ଗ ପକ୍ଷରୁ ଆୟୋଜିତ ରୋଟାରି କଳିଙ୍ଗ ସମ୍ମାନ ଉତ୍ସବରେ ଯୋଗ ଦେବାକୁ ଆସିଥିବା ବେଳେ କାର୍ଯ୍ୟକ୍ରମର ରେଡିଓ ପାର୍ଟନର୍‌ ଥିବା ରେଡିଓ ଚକ୍‌ଲେଟ୍‌ର କାଉଣ୍ଟ୍‌ ଡାଉନ୍‌ ସୋ’ରେ ତାଙ୍କୁ ଭେଟିଥିଲେ ଆର୍‌. ଜେ କୋମଲ ଓ ଆର୍‌. ଜେ ଅନିଲ୍‌। ଅମିତ ସାନାଙ୍କ ସହ ହୋଇଥିବା ସାକ୍ଷାତକାରରୁ କିଛି…

ଆପଣ ଆଗରୁ କେବେ ଓଡ଼ିଶା ଆସିଛନ୍ତି ?
ଉ: ମୋ ମାମୁ ସୁନାବେଡ଼ାରେ ରହୁଥିବାରୁ ମୁଁ ଆଗରୁ ବହୁତ ଥର ଆସିଛି। ଓଡ଼ିଶା ମତେ ବହୁତ ଭଲ ଲାଗେ।
ଓଡ଼ିଶାର କେଉଁ ଖାଦ୍ୟ ଭଲ ଲାଗେ?
ଉ: ଡାଲମା ଓ ଛେନାପୋଡ଼
ଆପଣ ଆଗରୁ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ଥିଲେ, ବଲିଉଡ୍‌ରେ ପ୍ରଥମେ ଗାଇବାରେ କିଛି ସମସ୍ୟା ହୋଇଥିଲା କି?
ଉ: ଶାସ୍ତ୍ରୀୟ ସଂଗୀତ ଶିକ୍ଷା ଲାଭ କରିଥିଲେ କୌଣସି ବି ସଂଗୀତ ଗାଇବାରେ ସମସ୍ୟା ହୁଏ ନାହିଁ। ତେବେ ଗାଇବାର ଶୈଳୀ, ଭାବ ସବୁ କିଛି ଭିନ୍ନ ହୋଇଥିବାରୁ ପ୍ରଥମେ ଟିକେ କଷ୍ଟ ହୋଇଥିଲା।
ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌ -୧ ପରେ ଆପଣଙ୍କ ଖ୍ୟାତି ବଢ଼ି ଯାଇଥିଲା, ତା’ ପରେ ପ୍ରଶଂସକଙ୍କ ଗହଣରେ କେମିତି ଅନୁଭବ କରୁଥିଲେ?
ଉ: ସେତେବେଳେ ଯୁଆଡ଼େ ଯାଉଥିଲି, ଚାରିପାଖରେ କେବଳ ପ୍ରଶଂସକ। ଏମିତିକି ଦିନେ ଗୋଟେ ମହିଳା ମହାବିଦ୍ୟାଳୟକୁ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ମହିଳାମାନଙ୍କ ମଧ୍ୟରେ ମୁଁ ଜଣେ ମାତ୍ର ପୁରୁଷ। ବହୁ କଷ୍ଟରେ ସେଠାରୁ ଆସିଥିଲି।
ଇଣ୍ଡିଆନ୍‌ ଆଇଡଲ୍‌ ପୂର୍ବର ଅମିତ ଓ ପରର ଅମିତ ମଧ୍ୟରେ ପାର୍ଥକ୍ୟ କ’ଣ?
ଉ: ମୁଁ ବେଶି କିଛି ପରିବର୍ତନ ହୋଇନି। ତଥାପି ଅନୁଭବ ଓ ଅଭିଜ୍ଞତା ଅନେକ କିଛି ଶିଖାଇଦିଏ। ଜ୍ଞାନର ପରିଧି ବଢ଼ିଯାଏ। ତେବେ ମୁମ୍ବାଇ ଗଲେ ସବୁ ସହଜ ଭାବେ ନେଇ ହୁଏ ନାହିଁ। ତା’ ବ୍ୟତୀତ ଭିଲାଇ ଭଳି ଛୋଟ ସହରରୁ ଯାଇ ମୁମ୍ବାଇରେ ଏତେ ପ୍ରସିଦ୍ଧି ଅର୍ଜନ କରିବା କମ୍‌ କଥା ନୁହେଁ।
ଆପଣ ସମାଜ ସେବା ସହ ସମ୍ପୃକ୍ତ କି ?
ଉ: ମୁଁ ଭାବେ, ଗୀତ ଗାଇବା ବି ଏକ ସମାଜ ସେବା। ତେବେ ମୋ’ ପକ୍ଷରେ ଯେତିକି ସମ୍ଭବ ହୁଏ ମୁଁ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରେ। ତା’ ଛଡ଼ା କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ମଧ୍ୟ ସାହାଯ୍ୟ କରେ।
ଅମିତ ଯଦି କଣ୍ଠଶିଳ୍ପୀ ହୋଇନଥାନ୍ତେ, ତେବେ କଣ ହେବାକୁ ପସନ୍ଦ କରିଥାଆନ୍ତେ?
ଉ: ସଫ୍ଟୱେର୍‌ କ୍ଷେତ୍ରରେ ଯିବାକୁ ପସନ୍ଦ କରିଥାଆନ୍ତି।
କାହାକୁ ସବୁଠୁ ଅଧିକ ଭଲ ପାଆନ୍ତି?
ଉ: ଈଶ୍ୱରଙ୍କୁ।
ଆପଣଙ୍କ ମନ ପସନ୍ଦର କଣ୍ଠଶିଳ୍ପୀ କିଏ?
ଉ: ସୋନୁ ନିଗମ୍
ଆପଣ ଖାଲି ସମୟରେ କ’ଣ କରନ୍ତି?
ଉ: ମତେ ଚାଲିବାକୁ ଭଲ ଲାଗେ। ଫୋନ୍‌ରେ ଗପି ଗପି ମୁଁ ବହୁତ ଚାଲେ।
ଓଡ଼ିଶା ବିଷୟରେ କ’ଣ କହିବେ?
ଉ: ଏହା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୂଇଁ। ଯେତେବେଳେ ବି ଏଠାକୁ ଆସିଛି, ମତେ ଭଲ ଲାଗେ। ହିନ୍ଦୁ ପରମ୍ପରା ବିଷୟରେ ଯିଏ କିଛି ବି ଜାଣିବାକୁ ଚାହାନ୍ତି, ମୁଁ ସେମାନଙ୍କୁ କହିବି ସେମାନେ ଓଡ଼ିଶା ଆସନ୍ତୁ।
ଆଗକୁ ଆପଣଙ୍କ ଯୋଜନା କ’ଣ?
ଉ: କିଛି ଗୀତ ଲେଖିଛି, କମ୍ପୋଜ୍‌ ବି କରିଛି। ଆଗକୁ ମୋ’ ନିଜସ୍ବ ଗୀତ ଆଣିବାକୁ ଚାହୁଁଛି।

ସମ୍ବନ୍ଧିତ ଖବର