ଭୁବନେଶ୍ବର: ପାର୍ବଣ ଋତୁରେ ଲୋକମାନଙ୍କ ମଧ୍ୟରେ ଖୁସିକୁ ଦ୍ବିଗୁଣିତ କରିବାକୁ ରେଡିଓ ଚକ୍ଲେଟ୍ ପ୍ରତିବର୍ଷ କିଛି ନିଆରା କାର୍ଯ୍ୟକ୍ରମ ଯୋଡ଼ିଆସିଛି। ଗତବର୍ଷ ‘ଚକ୍ଲେଟ୍ ମହାରାଣୀ’ କାର୍ଯ୍ୟକ୍ରମରେ ରେଡିଓ ଚକ୍ଲେଟ୍ର ଆର୍.ଜେମାନେ କଟକ ଓ ଭୁବନେଶ୍ବରର ବିଭିନ୍ନ ଆପାର୍ଟମେଣ୍ଟ୍ ଓ ସୋସାଇଟିକୁ ଯାଇ ପ୍ରତିଯୋଗିତା ଆୟୋଜନ କରିଥିଲେ। ଏହା ଖୁବ୍ ପ୍ରଶଂସା ସାଉଁଟିବା ସହ ବିପୁଳ ଲୋକପ୍ରିୟ ହୋଇପାରିଥିଲା। ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ କଟକଣା ଥିଲେ ହେଁ ଉତ୍ସାହକୁ ଫିକା ପଡ଼ିବାକୁ ଦେବ ନାହିଁ ରେଡିଓ ଚକ୍ଲେଟ୍। ଖାସ୍ ଏଇଥି ପାଇଁ ଶ୍ରୋତାମାନଙ୍କୁ ମନୋରଂଜନ ଭେଟି ଦେବା ଉଦ୍ଦେଶ୍ୟରେ ରେଡିଓ ଚକ୍ଲେଟ୍ ଏଥର ଭେଟିଦେବ ‘ଘରେ ଘରେ ଦାଣ୍ଡିଆ’ କାର୍ଯ୍ୟକ୍ରମ। ଦାଣ୍ଡିଆ ଖେଳି ପୁରସ୍କାର ଜିତିବା ପାଇଁ ଅବକାଶ ଆଣିଦେବ।
ଦାଣ୍ଡିଆ ଓଡ଼ିଶାର ପରମ୍ପରା ହୋଇନଥିଲେ ହେଁ ପୂଜାରେ ଖୁସିର ପରିବେଶ ସୃଷ୍ଟି କରିବାରେ ଦାଣ୍ଡିଆର ଭୂମିକାକୁ ଅସ୍ବୀକାର କରାଯାଇପାରିବ ନାହିଁ। ତେଣୁ ବନ୍ଧୁ ଓ ପରିବାର ଗହଣରେ ଲୋକେ ଦାଣ୍ଡିଆ ନୃତ୍ୟକୁ ଖୁବ୍ ଉପଭୋଗ କରନ୍ତି। ଏହାକୁ ଦୃଷ୍ଟିରେ ରଖି ଏଥର ରେଡିଓ ଚକ୍ଲେଟ୍ ‘ଘରେ ଘରେ ଦାଣ୍ଡିଆ’ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି। ଏଥିରେ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିବା ପାଇଁ ଦାଣ୍ଡିଆ ନୃତ୍ୟର ଏକ ଭିଡିଓ ପ୍ରସ୍ତୁତ କରି ପଠାଇବାକୁ ପଡ଼ିବ। ପୋଷାକ କିମ୍ବା ସରଞ୍ଜାମରେ କୌଣସି ବାଧ୍ୟବାଧକତା ନାହିଁ। ଭିଡିଓଟିକୁ ରେଡିଓ ଚକ୍ଲେଟ୍ର ହ୍ବାଟ୍ସଆପ୍ ନମ୍ବର ୮୯୦୮୮୨୦୧୦୪ ଓ ୭୫୩୭୦୦୪୧୦୪ରେ ପଠାଇପାରିବେ। ଭିଡିଓ ପହଞ୍ଚିବାର ଶେଷ ତାରିଖ ଚଳିତ ମାସ ୨୫ ତାରିଖ। ସମସ୍ତ ଭିଡିଓ ରେଡିଓ ଚକ୍ଲେଟ୍ର ଫେସ୍ବୁକ୍ରେ ଅପଲୋଡ୍ କରାଯିବ। ପ୍ରତିଯୋଗୀମାନେ ନିଜର ଭିଡିଓକୁ ପରେ ସେୟାର କରିବେ। ଅଧିକ ଦର୍ଶକ ଦେଖିଥିବା ଭିଡିଓ ପାଇଁ ସ୍ବତନ୍ତ୍ର ପୁରସ୍କାରର ବ୍ୟବସ୍ଥା କରାଯିବ। ମନୋନୀତ ଶ୍ରେଷ୍ଠ ୧୦ଟି ଭିଡିଓକୁ ପୁରସ୍କାର ପ୍ରଦାନ କରାଯିବ। ରୁଚି ଫ୍ରୋଜିଟ୍, ଏସ୍ଇଏସ୍ ଇଲେକ୍ଟ୍ରିକ୍ ବାଇକ୍, ତୁସି ମୋଟର୍ସ, ରିତ୍ବିକା ଗୋଲ୍ଡ, ସୌକିନ ମ୍ୟାଟ୍ରେସ୍, ଆହାନା ଗାଇନି କେୟାର, ବୟନିକା, ଜୟରାମ ଲେଙ୍କା, ଓଡ଼ିଶା ଅଭିଭାବକ ମହାସଂଘ ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ରହିଛନ୍ତି। ବ୍ୟକ୍ତିବିଶେଷ ଘରେ ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଦାଣ୍ଡିଆ ନୃତ୍ୟର ମଜା ଉଠାଇବା ସହ ଏହି କାର୍ଯ୍ୟକ୍ରମରେ ଅଂଶୀଦାର ହୋଇ ପୁରସ୍କାର ଲାଭର ଫାଇଦା ଉଠାଇପାରିବେ।