ରେଡିଓ ଚକଲେଟର ନୂଆ କାର୍ଯ୍ୟକ୍ରମ ‘ଡିଟେକ୍ଟିଭ ଅର୍ଜୁନ’

ପ୍ରଥମ ଡିଟେକ୍ଟିଭ୍‌ କାହାଣୀର ସିରିଜ

ଭୁବନେଶ୍ୱର : ଡିଟେକ୍ଟିଭ ବା ଗୁଇନ୍ଦା କାହାଣୀର ଲୋକପ୍ରିୟତା କାହିଁ କେଉଁ କାଳରୁ ରହି ଆସିଛି। ଏହାର ଏକ ଉଦାହରଣ ହେଲା ସାର ଆର୍ଥର୍‌ କନାନ୍‌ ଡୟଲ୍‌ଙ୍କ ସେରଲକ ହୋମ୍‌ସ ଯାହା ଆଜି ବି ଜନମାନସରେ ଅଛି। ଭାରତରେ ମଧ୍ୟ କରମଚନ୍ଦ, ବ୍ୟୋମକେଶ ବକ୍ସି, ଟାଇଗର, ଡିଟେକ୍ଟିଭ କରଣ, ଶ୍ୟାମ ଡିସିଲଭା, ଜାସୁସ ବିଜୟ ପରି ଡିଟେକ୍ଟିଭ ଚରିତ୍ର ଖୁବ୍‌ ଲୋକପ୍ରିୟ ହୋଇପାରିଥିଲେ। ଓଡ଼ିଆ ସାହିତ୍ୟରେ ବି ନବେ ଦଶକରେ ଡିଟେକ୍ଟିଭ୍‌ କାହାଣୀ ପାଠକମାନଙ୍କ ମଧ୍ୟରେ ଖୁବ ଆଦୃତ ଥିଲା। କିନ୍ତୁ ବର୍ତମାନ ସମୟରେ ଡିଟେକ୍ଟିଭ କାହାଣୀ କ୍ରମଶଃ ତା’ର ଲୋକପ୍ରିୟତା ହରାଇ ବସିଛି। କେବଳ ଗୀତରେ ସୀମିତ ନ ଥାଇ ସବୁବେଳେ କିଛି ନୂଆ କରୁଥିବା ରେଡିଓ ଚକଲେଟରେ ଆଜିଠାରୁ ପ୍ରସାରିତ ହେବ ପ୍ରଥମ ରେଡିଓ ଡିଟେକ୍ଟିଭ ସିରିଜ ‘ଡିଟେକ୍ଟିଭ ଅର୍ଜୁନ’। ଏହି କାର୍ଯ୍ୟକ୍ରମରେ ନିଶାନ୍ତ ମଜିଠିଆ ସ୍ୱର ଦେଇଥିବା ବେଳେ କାହାଣୀ ରଚନା କରିଛନ୍ତି ମାନସ ପଢ଼ିଆରୀ। ସାଉଣ୍ଡ ପ୍ୟାକେଜିଂ କରିଛନ୍ତି ସୈାମିତ୍ରୀ, ଶ୍ରୀକାନ୍ତ ଓ ସତ୍ୟ। ‘ଡିଟେକ୍ଟିଭ ଅର୍ଜୁନ’ର କାହାଣୀ ନବେ ଦଶକରେ ଅର୍ଜୁନ ନାମକ ପ୍ରାଇଭେଟ୍‌ ଡିଟେକ୍ଟିଭ ମୋବାଇଲ, ଇଣ୍ଟରନେଟ ଓ ଅତ୍ୟାଧୁନିକ ସାଜ ସଂରଜାମ ବିନା ନିଜର ବୁଦ୍ଧି, ଜ୍ଞାନ ଓ କୋଶଳ ଦ୍ୱାରା ଜଟିଳ କେସ୍‌ ସବୁ କିପରି ସମାଧାନ କରି ପାରୁଥିଲେ, ତାହା ବର୍ଣ୍ଣନା କରାଯାଇଛି। ଏହି କାର୍ଯ୍ୟକ୍ରମ ପ୍ରତି ଶନିବାର ଓ ରବିବାର ରାତି ୧୦ରେ ପ୍ରସାରିତ ହେବ। ରେଡିଓ ଚକଲେଟର ୟୁ ଟ୍ୟୁବ ପେଜ୍‌ରେ ବି ଉପଲବ୍ଧ ହେବ। ପୂର୍ବରୁ ଏହିପରି ଆଉ ଏକ ଭିନ୍ନ ସ୍ୱାଦର କାର୍ଯ୍ୟକ୍ରମ ହରର କାହାଣୀ ‘ଭୟ’ ରେଡିଓ ଚକଲେଟରେ ପ୍ରସାରିତ ହୋଇ ଖୁବ ଲୋକପ୍ରିୟ ହୋଇ ପାରିଥିଲା। ତେଣୁ ‘ଡିଟେକ୍ଟିଭ ଅର୍ଜୁନ’ ବି ସେହିପରି ଶ୍ରୋତାମାନଙ୍କ ମଧ୍ୟରେ ଆଦୃତ ହେବ ବୋଲି ଟିମ୍‌ ଚକଲେଟ୍‌ ଆଶା ରଖିଛି।

ସମ୍ବନ୍ଧିତ ଖବର