ରେଡିଓ ଚକଲେଟ୍‌ର ‘ମିଠା ମିଠା ଖ୍ରୀଷ୍ଟମାସ’

ଭୁବନେଶ୍ବର: ପବିତ୍ର ଖ୍ରୀଷ୍ଟମାସ ଉପଲକ୍ଷେ ‘ରେଡିଓ ଚକଲେଟ୍‌’ ପକ୍ଷରୁ କଳ୍ପନା ଛକସ୍ଥିତ ଉତ୍କଳ ଗ୍ୟାଲେରିଆ ମଲ୍‌ରେ ‘ମିଠା ମିଠା ଖ୍ରୀଷ୍ଟମାସ୍‌’ର ଚତୁର୍ଥ ସଂସ୍କରଣ ଆୟୋଜିତ ହୋଇଯାଇଛି। ଏଥିରେ ସମାଜସେବୀ ରୋଜାଲିନ୍ ପାଟ୍ଟଶାଣୀ, ସଫଳ ଉଦ୍ୟୋଗୀ ସ୍ବୀକୃତି ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇ ରେଡିଓ ଚକଲେଟ୍‌ର ଏଭଳି ଭିନ୍ନଧରଣର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ‘ସମ୍ବାଦ ଗ୍ରୁପ୍‌’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଉପସ୍ଥିତ ଦର୍ଶକଙ୍କୁ ବଡ଼ଦିନର ଶୁଭେଚ୍ଛା ଜଣାଇ କହିଲେ, ଲୋକଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ରେଡିଓ ଚକଲେଟ୍‌ ତା’ର ପ୍ରୟାସ ଜାରି ରଖିଛି। ନୂଆ ନୂଆ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ନିକଟତର ହେଉଛି। ଚଳିତବର୍ଷ ପୂରା ବିଶ୍ବରେ କରୋନା ମହାମାରୀ ଭଳି ସଂକଟ ଦେଖାଦେଇଥିଲେ ହେଁ ରେଡିଓ ଚକଲେଟ୍‌ ପକ୍ଷରୁ ଭର୍ଚୁଆଲରେ କ୍ରିକେଟ୍ ମାଷ୍ଟର୍, ଆଜାଦି, ହାପି ଫ୍ୟାମିଲି ହାପି ଦିଵାଲି, ଘରେ ଘରେ ଦାଣ୍ଡିଆ ଭଳି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଆଗାମୀ ଦିନରେ ମଧ୍ୟ ରେଡିଓ ଚକଲେଟ୍ ପକ୍ଷରୁ ଏହିଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ।

ଏହି ଅବସରରେ ଉପରୋକ୍ତ ପ୍ରତିଯୋଗିତାଗୁଡ଼ିକର ମୋଟ ୬୮ କୃତୀ ପ୍ରତିଯୋଗୀମାନଙ୍କୁ ମଞ୍ଚରେ ପୁରସ୍କୃତ କରାଯାଇଥିଲା। ଉପହାରସ୍ବରୂପ ସେମାନଙ୍କୁ ରୁପା ମୁଦ୍ରା, ସୌକିନ୍ ମ୍ୟାଟ୍ରେସ୍‌, ଛତୁଆ ଆଦି ପ୍ରଦାନ କରାଯାଇଥିଲା। ‘ଘରେ ଘରେ ଦାଣ୍ଡିଆ’ ପ୍ରତିଯୋଗିତାର ବିଜେତା ଶାଶ୍ବତୀ ନାରାୟଣୀ ଆଚାର୍ଯ୍ୟ ଓ ଦୀପ୍ତିଙ୍କୁ ଇଲେକ୍ଟ୍ରିକ୍ ସ୍କୁଟି ପ୍ରଦାନ କରାଯାଇଥିଲା। ପରେ କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତା ଓ ଦେବାଶିଷ ପ୍ରିୟଦର୍ଶୀ ‘ତୁ ଚିଜ୍ ବଡି ହେ ମସ୍ତ ମସ୍ତ…, ‘ଜନମ୍ ଜନମ୍…, ‘ଶାରି କା ଫଲ୍ ସା… ଭଳି ବଲିଉଡ୍‌ ସଂଗୀତ ପରିବେଷଣ କରି ଦର୍ଶକଙ୍କ ମନ ଜିଣିଥିଲେ। ସେହିପରି ମଲ୍‌ରେ ଉପସ୍ଥିତ ଦର୍ଶକଙ୍କୁ ନେଇ ଆର୍‌.ଜେ ଆକ୍ଟିଭିଟି ପ୍ରତିଯୋଗିତା କରାଯିବା ସହ ପ୍ରତିଯୋଗୀଙ୍କୁ ପୁରସ୍କାର ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଆର୍‌.ଜେ ଅନିଲ ଓ ଆର୍‌.ଜେ କୋମଲ ସଂଯୋଜନା ରିଥିଲେ। ‘ସମ୍ବାଦ’ ଡିଜିଟାଲ୍ ଓ ରେଡିଓ ଚକଲେଟ୍‌ର ପ୍ରୋଗ୍ରାମିଂ ମୁଖ୍ୟ ସଂଗ୍ରାମ ମିଶ୍ରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ ଡିଜିଟାଲ୍ ଓ ରେଡିଓ ଚକଲେଟ୍‌ର ସେଲ୍ସ ଆଣ୍ଡ୍ ମାର୍କେଟିଂର ମୁଖ୍ୟ ଲିଙ୍ଗରାଜ ଲେଙ୍କାଙ୍କ ସମେତ ରେଡିଓ ଚକଲେଟ୍‌ର ଆର୍‌.ଜେ ସଂଗ୍ରାମ, ନିଭି, ନୀଲ୍‌, ପୂଜା, ଅବକାଶ, ପ୍ରଶାନ୍ତ, ମନୋଜ, ରମାକାନ୍ତ, ରାଣା, ସୌମ୍ୟ, ସୁବ୍ରତ, ଶ୍ରୀକାନ୍ତ, ବିମଳ, ହରପ୍ରିୟା ପ୍ରମୁଖ ଉପସ୍ଥିତ ଥିଲେ। ସତ୍ୟ ଚକଲେଟ୍ ସାଣ୍ଟା ହୋଇ ଦର୍ଶକମାନଙ୍କୁ ଚକଲେଟ୍ ଏବଂ ଉପହାର ବାଣ୍ଟିଥିଲେ।

ସମ୍ବନ୍ଧିତ ଖବର