ଭୁବନେଶ୍ୱର : ସଂଗୀତର ମଧୁମୟ ଆସର ସାଙ୍ଗକୁ ଓଡ଼ିଆ ସଂଗୀତ ଜଗତ ପାଇଁ ସମ୍ମାନ ଓ ପୁରସ୍କାରର ମହାମଞ୍ଚ ସୃଷ୍ଟି ହୋଇଥିଲା ଆଜି ସ୍ଥାନୀୟ ଉତ୍କଳ ମଣ୍ଡପରେ। ଅବସର ଥିଲା ରେଡିଓ ଚକ୍ଲେଟ୍ ପକ୍ଷରୁ ଆୟୋଜିତ ଚକ୍ଲେଟ୍ ମ୍ୟୁଜିକ୍ ଆଓ୍ଵାର୍ଡ। ଏହି ଅବସରରେ ଚକ୍ଲେଟ୍ ଲିଜେଣ୍ଡ୍ ଆଓ୍ଵାର୍ଡ ପାଇଥିଲେ ବିଶିଷ୍ଟ ସଂଗୀତ ନିର୍ଦେଶକ ପଦ୍ମଶ୍ରୀ ପ୍ରଫୁଲ୍ଲ କର। ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଶ୍ରୀ କରଙ୍କୁ ଏହି ସମ୍ମାନ ସହ ୧୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଗୀତ କ୍ଷେତ୍ରରେ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ଶାସ୍ତ୍ରୀୟ ସଂଗୀତ ପାଇଁ ଗୁରୁ ରାମହରି ଦାସ ଏବଂ ଲୋକ ସଂଗୀତ ପାଇଁ ନିଶିକାନ୍ତ ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା।
ସଂଗୀତ ପ୍ରେମୀଙ୍କ ଭୋଟିଂ ଆଧାରରେ ଆଜି ମୋଟ୍ ୨୧ଟି ବିଭାଗରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ‘ତୁ ମୋ ଲଭ୍ ଷ୍ଟୋରି’ରେ ସଂଗୀତ ପାଇଁ ଚଳିତ ବର୍ଷ ଶ୍ରେଷ୍ଠ ସଂଗୀତ ନିର୍ଦେଶକ ସମ୍ମାନ ଗ୍ରହଣ କରିଥିଲେ ପ୍ରେମ ଆନନ୍ଦ। ଲଭ୍ ପାଇଁ କୁଛ୍ ଭି କରେଗା ଚଳଚ୍ଚିତ୍ରର ‘ଶେହଜାଦୀ ଶେହେଜାଦୀ..କୁ ଶ୍ରେଷ୍ଠ ମ୍ୟୁଜିକ୍ ଭିଡିଓ ସମ୍ମାନ ପ୍ରଦାନ କରାଯାଇବା ବେଳେ ‘ଅଭୟ’ ଚଳଚ୍ଚିତ୍ରର ଗଜଲ ଗଜଲ..କୁ ଶ୍ରେଷ୍ଠ ଫିଲ୍ମ ଗୀତ ଭାବେ ପୁରସ୍କୃତ କରାଯାଇଥିଲା। ‘ଅଭୟ’ର ଗଜଲ ଗଜଲ ଗୀତ ଗାଇଥିବା ହ୍ୟୁମାନ ସାଗରଙ୍କୁ ଶ୍ରେଷ୍ଠ ଗାୟକ(ଚଳଚ୍ଚିତ୍ର) ଏବଂ ‘ଅଭୟ’ର ରବା ରବା..ଗାଇଥିବା ଅନନ୍ୟା ଶ୍ରୀତମ ନନ୍ଦଙ୍କୁ ଶ୍ରେଷ୍ଠ ଗାୟିକା (ଚଳଚ୍ଚିତ୍ର) ସମ୍ମାନ ପ୍ରଦାନ କରାଯାଇଥିଲା। ସେହିଭଳି ଗଜଲ ଗଜଲ ଗୀତ ଲେଖିଥିବା ବସନ୍ତରାଜ ସାମଲଙ୍କୁ ଶ୍ରେଷ୍ଠ ଗୀତିକାର, ସିଷ୍ଟର ଶ୍ରୀଦେବୀ ଚଳଚ୍ଚିତ୍ରର ନାଗିନ ନାଗିନ୍.. ଗୀତକୁ ବ୍ୟାଣ୍ଡ୍ ବାଜା ବାରାତ ଗୀତ, ହିରୋ ନଂ୧ ଚଳଚ୍ଚିତ୍ରର ଡିଜେ ବାଲା ଡ୍ୟାନ୍ସ..କୁ ଶ୍ରେଷ୍ଠ ଆଇଟମ ଗୀତ, ତୁ ମୋ ଲଭ୍ ଷ୍ଟୋରି ଚଳଚ୍ଚିତ୍ରର ପ୍ରେମରେ ପାପ କେତେ..କୁ ଶ୍ରେଷ୍ଠ କରୁଣ ଗୀତ, ସିଷ୍ଟର ଶ୍ରୀଦେବୀ ଚଳଚ୍ଚିତ୍ରରେ ଗାଇଥିବା ତାରିକ ଅଜିଜ୍ଙ୍କୁ ଉଦୀୟମାନ ଗାୟକ, ଖାଣ୍ଟି ଓଡ଼ିଆ ଝିଅ ଚଳଚ୍ଚିତ୍ରରେ ଗାଇଥିବା ଅସୀମା ପଣ୍ଡାଙ୍କୁ ଉଦୀୟମାନ ଗାୟିକା ସମ୍ମାନ ପ୍ରଦାନ କରାଯାଇଥିଲା।
ଏଥର ମ୍ୟୁଜିକାଲ୍ ସେନ୍ସେସନ୍ ଅଫ୍ ଦି ଇୟର ସମ୍ମାନ ପାଇଥିଲେ ସତ୍ୟଜିତ୍ ଜେନା (ଜୁନିୟର)। ସେହିଭଳି ସାର୍ଥକ ମ୍ୟୁଜିକ୍ର ‘ନିଃଶ୍ୱାସ ତୋ ବିନା..ଗୀତ ଶ୍ରେଷ୍ଠ ମ୍ୟୁଜିକ୍ ଭିଡିଓ (ନନ୍ଫିଲ୍ମ), ଗୋଟେ କପ୍ କଫି ଗୀତର ନିର୍ଦେଶକ ମଳୟ ମିଶ୍ରଙ୍କୁ ଶ୍ରେଷ୍ଠ ସଂଗୀତ ନିର୍ଦେଶକ (ନନ୍ ଫିଲ୍ମ), ଭରଦ୍ୱାଜ ପଣ୍ଡାଙ୍କୁ ନନ୍ ଫିଲ୍ମ ବର୍ଗରେ ଶ୍ରେଷ୍ଠ ଗୀତିକାର, ପିଆର୍ଏସ୍ ମ୍ୟୁଜିକ୍ର ତୁ ମୋର ନିହାତି ଦରକାର..ଗୀତକୁ ଶ୍ରେଷ୍ଠ ଗୀତ (ନନ୍ଫିଲ୍ମ) ସମ୍ମାନ ପ୍ରଦାନ କରାଯାଇଥିଲା। ସେହିଭଳି ‘ରୋମିଓ ଜୁଲିଏଟ୍’ ଚଳଚ୍ଚିତ୍ରର ନାହିଁ ମୋ ପାଦେ ଆଜି ନୁପୂର…କୁ ଶ୍ରେଷ୍ଠ ରିମିକ୍ସ ଗୀତ, ଲଭ୍ ପାଇଁ କୁଛ୍ ଭି କରେଗା ଚଳଚ୍ଚିତ୍ରର ଶକ୍ତିଶ୍ୱର ମହାପାତ୍ରଙ୍କୁ ଶ୍ରେଷ୍ଠ ସାଉଣ୍ଡ୍ ଇଂଜିନିୟର, ବାଏ ବାଏ ଦୁବାଇର ନିତ୍ୟ ଶ୍ରୀରଂଜନଙ୍କୁ ଶ୍ରେଷ୍ଠ ମ୍ୟୁଜିକ୍ ଆରେଞ୍ଜର, ରେଡିଓ ଚକ୍ଲେଟ୍ର ଗଣପତୟେ ନମଃ..କୁ ଶ୍ରେଷ୍ଠ ଭକ୍ତି ଗୀତ, ବେବି ଚଳଚ୍ଚିତ୍ରର କୁନି କଣ୍ଠଶିଳ୍ପୀ ଚୁନ୍ମୁନ୍ଙ୍କୁ ଶ୍ରେଷ୍ଠ କନିଷ୍ଠ କଣ୍ଠଶିଳ୍ପୀ ଏବଂ ଗ୍ରେଟ୍ ଇଷ୍ଟର୍ଣ୍ଣ ଅପେରାର ‘ଡିଜେ ବଜେଇ ଦେଲୁ..ଗୀତକୁ ଶ୍ରେଷ୍ଠ ଅପେରା ଗୀତ ସମ୍ମାନ ମିଳିଥିଲା।
ଏହି ଅବସରରେ ଦେବଦାସ ଛୋଟରାୟ, ଅର୍ଜୁନ ଚରଣ ସାମଲ, ମନ୍ମଥ ମିଶ୍ର, ଅମରେନ୍ଦ୍ର ମହାନ୍ତି, ସୁବାସ ଦାସ, ପଞ୍ଚାନନ ନାୟକ,ଅକ୍ଷୟ ପରିଜା, ଶୀର୍ଷାନନ୍ଦ ଦାସ କାନୁନ୍ଗୋ, ଇରା ମହାନ୍ତି, ବସନ୍ତରାଜ ସାମଲ, ମହମ୍ମଦ ମୁସିର୍, ମନୋରଂଜନ ନାୟକ, ଡ.ରଜନୀ ରଂଜନ, ବର୍ଷା ପ୍ରିୟଦର୍ଶିନୀ, ନାଜିଆ ଆଲାମ, ସଚ୍ଚି ମହାନ୍ତି, ଶୈଳଭାମା, ଏଲିନା, ପରମାନନ୍ଦ ମିଶ୍ର, ଲାଲ୍ଚାନ୍ଦର ଅଂଶୁମାନ ହଂସ, ସାଗର, ସ୍ୟାଣ୍ଡିସ୍ ଟାଓ୍ଵାରର ସରୋଜ, ‘ସମ୍ବାଦ’ ଗ୍ରୁପ୍ର ଏମ୍ଡି ମୋନିକା ନୈୟାର ପଟ୍ଟନାୟକ, କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସମ୍ମାନ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଆର୍ ଜେ ସଂଗ୍ରାମ ଓ ସମସ୍ତ ରେଡିଓ ଚକ୍ଲେଟ୍ ସହଯୋଗୀବୃନ୍ଦ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଆର୍ଜେ କୋମଲ୍ ଓ ଆର୍ ଜେ ଅନିଲ୍।
ଓଡ଼ିଆ ଗୀତକୁ ନେଇ ଗର୍ବ କରିବା: ସୌମ୍ୟରଂଜନ
‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ପ୍ରଫୁଲ୍ଲ କରଙ୍କୁ ସମ୍ମାନ ପ୍ରଦାନ କରି କହିଲେ, ଏହି ସମ୍ମାନ ପାଇ ପ୍ରଫୁଲ୍ଲ ବାବୁ ଯେତିକି ଖୁସି ମୁଁ ତାଙ୍କୁ ପୁରସ୍କାର ଦେଇ ତାଙ୍କଠାରୁ ଆହୁରି ଆନନ୍ଦିତ। ଓଡ଼ିଆ ଜାତି କୌଣସି ଗୋଟେ କଥାକୁ ନେଇ ଏକାଠି ହୋଇପାରୁନଥିବା ବେଳେ ସଂଗୀତ ଏହି ଯୋଡ଼ିବାର ଯୋଗସୂତ୍ର। ପୁରୁଣା ଗୀତକୁ ନେଇ ନୂଆ ଏବଂ ନୂଆ ଗୀତର ପରିକଳ୍ପନା କରାଯାଉଥିବା ବେଳେ ଓଡ଼ିଆ ଗୀତକୁ ନେଇ ଗର୍ବ କରିବାର ଏକ ବାତାବାରଣ ତିଆରି କରିବା ବୋଲି ସେ କହିଥିଲେ।
ବୁଢ଼ା ବୟସରେ ଏ ପୁରସ୍କାର ଭାରି ଭଲ ଲାଗୁଛି: ପ୍ରଫୁଲ୍ଲ କର
ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କୁ ଚକ୍ଲେଟ୍ ଲିଜେଣ୍ଡ୍ ସମ୍ମାନ ପ୍ରଦାନ କରାଯିବା ପରେ ସେ ଏହାର ପ୍ରତିକ୍ରିୟାରେ ସଂଗୀତ ପ୍ରତି ତାଙ୍କ ଅସୀମ ପ୍ରେମକୁ ବ୍ୟକ୍ତ କରିଥିଲେ। ପ୍ରଥମତଃ ସେ କହିଥିଲେ ବୁଢ଼ା ବୟସରେ ଏ ପୁରସ୍କାର ମତେ ଭାରି ଭଲ ଲାଗୁଛି। ମୁଁ ଏବେ ବି ଥକି ଯାଇନି। ଏବେ ବି ମୁଁ ଭଲ ଓଡ଼ିଆ ଗୀତ ତିଆରି କରିବାର କ୍ଷମତା ରଖେ ବୋଲି ସେ ମନର କଥା ବ୍ୟକ୍ତ କରିଥିଲେ। ସେ ଏକଥା ମଧ୍ୟ କହିଲେ, ରେଡିଓ ଚକ୍ଲେଟ୍ ନାମକରଣ ମତେ ଭାରି ଭଲ ଲାଗିଥିଲା। ଚକ୍ଲେଟ୍ ପିଲାଙ୍କୁ ଯେମିତି ଭଲ ଲାଗେ ବୁଢ଼ାଙ୍କୁ ମଧ୍ୟ ସେମିତି ଭଲ ଲାଗେ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଥିଲେ। ରେଡିଓର ସ୍ୱତନ୍ତ୍ର ଆଦର ସବୁକାଳେ ରହିଛି ଓ ରହିଥିବ ବୋଲି ସେ କହିଥିଲେ।
ଜମିଲା ନାଚ-ଗୀତ-କମେଡିର ତଡ଼କା
ପୁରସ୍କାର ସାଙ୍ଗକୁ ଢେର୍ ଜମିଥିଲା ନାଚ ଗୀତ ଓ କମେଡିର ତଡ଼କା। ଜୁନିୟର ସତ୍ୟଜିତ୍ ପୁରସ୍କାର ନେବା ପାଇଁ ମଞ୍ଚ ଉପରକୁ ଆସିବା ମାତ୍ରେ ମଞ୍ଚ ତଳେ ସମସ୍ତ ଦର୍ଶକଙ୍କର ଥିଲା ଗୋଟିଏ ନିବେଦନ ‘ମିଲେ ହୋ ତୁମ୍ ହମ୍ସେ..। ଲିଟିଲ୍ ଚାମ୍ପ୍ର ଚର୍ଚିତ ଓଡ଼ିଆ ପୁଅ ସତ୍ୟଜିତ୍ ବି ଶ୍ରୋତାମାନଙ୍କୁ ନିରାଶ କରି ନଥିଲେ। ଗୀତଟି ଗାଇବା ମାତ୍ରେ ତାଳି ବର୍ଷା ହୋଇଥିଲା। ସେହିପରି ଷ୍ଟାଇଲିଷ୍ଟ୍ ସତ୍ୟଜିତ୍ ପ୍ରଧାନଙ୍କ କଣ୍ଠରେ ମୋ ହୃଦୟରେ ସ୍ପନ୍ଦନରେ.. ଫଗୁ ଫଗୁ ଏଇ ଆକାଶ ତଳେ.., ଅସୀମା ପଣ୍ଡାଙ୍କ କଣ୍ଠରେ ‘ଚେନ୍ନାଇଠାରୁ ଚାଇନା ଯାଏ.., ଇରା ମହାନ୍ତିଙ୍କ କଣ୍ଠରେ ପବନରେ ପବନ.. ସାଙ୍ଗକୁ ସଂଗ୍ରାମ, ତାରିକ୍, ସୁଶାନ୍ତ, କରୁଣାକର ଓ ସୋହିନୀ ପ୍ରମୁଖଙ୍କ କଣ୍ଠରୁ ମିଠାମିଠା ଗୀତ ଶୁଣିବାକୁ ମିଳିଥିଲା। ଖାଲି ସେତିକି ନୁହେଁ ପପୁ ପମ୍ପମ୍ଙ୍କ ଦମ୍ଦାର କମେଡି ସାଙ୍ଗକୁ ସିଜ୍ଲର୍ସ ଗ୍ରୁପ୍ର ବିଦୁଙ୍କ ନୃତ୍ୟ ସଂଯୋଜନାରେ ଭୂମିକା ଓ ସହଶିଳ୍ପୀଙ୍କ ନୃତ୍ୟର ତଡ଼କା ଖୁବ୍ ଜମିଥିଲା। ରେଡିଓ ଚକ୍ଲେଟ୍ ପକ୍ଷରୁ ଏକ ସୁନ୍ଦର କ୍ଷୁଦ୍ର ନାଟକ ମଧ୍ୟ ଦେଖିବାକୁ ମିଳିଥିଲା।
ରେଡିଓ ଚକ୍ଲେଟ୍ ମୋତେ ଜନ୍ମ ଦେଇଛି: ପପୁ ପମ୍ପମ୍
ବାପା ମା’ ମୋ ନାଁ ଦେଇଥିଲେ ପୁପୁ। ୨୦୦୦ ମସିହାରେ ଭୁବନେଶ୍ୱରକୁ ଆସିବା ପରେ କେମିତି ଚଳିବି କୂଳ କି ନାରା ପାଉ ନଥିଲି। ଏମିତିକି ଆତ୍ମହତ୍ୟା କରିବାକୁ ବସିଥିଲି। ସେତେବେଳେ ରେଡିଓ ଚକ୍ଲେଟ୍ ହିଁ ମତେ ପୁପୁରୁ ପପୁ ପମ୍ପମ୍ କରି ତିଆରି କଲା। ମତେ ଏକ ନୂଆ ଜନ୍ମ ଦେଲା। ମୁଁ ସେବେଠୁ ଆଜିଯାଏଁ ସବୁ ଦର୍ଶକଙ୍କ ଭିତରେ ପପୁ ପମ୍ପମ୍ ହୋଇ ଠିଆ ହୋଇଛି ବୋଲି ଆଜି ପପୁ ଭାବପ୍ରବଣ ହୋଇ କହିଥିଲେ।