ରେଡିଓ ଚକ୍‌ଲେଟ୍‌ର ରଜ : ବରଷକେ ଥରେ ଆସିଛି ରଜ…

ଭୁବନେଶ୍ୱର : ‘ରେଡିଓ ଚକ୍‌ଲେଟ୍‌’ ପକ୍ଷରୁ ଭବାନୀ ମଲ୍‌ରେ ପାରମ୍ପରିକ ରଜକୁ ନେଇ ଆୟୋଜିତ ହୋଇଛି  ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ବରଷକେ ଥରେ ଆସିଛି ରଜ’। ଲୋକପ୍ରିୟ କଣ୍ଠଶିଳ୍ପୀ ସତ୍ୟଜିତ, ଅନ୍ତରା ଚକ୍ରବର୍ତୀ, ଜାଗୃତି ମିଶ୍ର, ଗୌରବ, ଜ୍ୟୋତି ବୋଥ୍ରା, ସୌମିତ୍ରୀ ପଲାଇଙ୍କ ସଂଗୀତ ସାଙ୍ଗକୁ ମଞ୍ଚରେ ମଜାଦାର ପ୍ରତିଯୋଗିତା କରାଯାଇଥିଲା।

ଏହି ଅବସରରେ ରେଡିଓ ଚକ୍‌ଲେଟ୍‌ ପକ୍ଷରୁ ହୋଇଥିବା ରଜ ଗୀତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ ହୋଇଥିଲେ। ଯାଜପୁରର ପ୍ରଭାଙ୍କୁ ଅଭିନେତା ସବ୍ୟସାଚୀ ଏବଂ ଜିସାନ୍‌ ଏଣ୍ଟରପ୍ରାଇଜର୍ସର ଆଞ୍ଚଳିକ ସେଲ୍‌ସ ମ୍ୟାନେଜର୍‌ ମନୋଜ ଜେନା ଏଲ୍‌ଇଡି ଟିଭି ଦେଇ ପୁରସ୍କୃତ କରିଥିଲେ। ଜଗତସିଂହପୁରର ପୂଜା ମହାନ୍ତି ଦ୍ୱିତୀୟ ହୋଇଥିବା ବେଳେ ତାଙ୍କୁ ସ୍ମାର୍ଟ ଫୋନ୍‌ ଦେଇ ପୁରସ୍କୃତ କରାଯାଇଥିଲା। ଟେକ୍‌ନୋ ସ୍ମାର୍ଟଫୋନ୍‌ର ଶାଖା ପ୍ରବନ୍ଧକ ପଙ୍କଜ ଦାସ, ବରିଷ୍ଠ ମାର୍କେଟିଙ୍ଗ୍‌ ପ୍ରବନ୍ଧକ ରାକେଶ ପାଢ଼ୀ, ଅଜୟ ଦଳବେହେରା ଓ ବିଶ୍ୱଜିତ ପାତ୍ର ତାଙ୍କୁ ପୁରସ୍କୃତ କରିଥିଲେ। ସେହିପରି ପ୍ରିୟଦର୍ଶିନୀ ନାୟକ, ପ୍ରିୟଙ୍କା ଓ ରୁବିଙ୍କୁ ନ୍ୟୁରି ଲଣ୍ଡନ୍‌ର ମନୋଜ ଜେନା ଏବଂ ଏସ୍‌ ମହାନ୍ତି ସ୍ୱତନ୍ତ୍ର ଉପହାର ଦେଇ ପୁରସ୍କୃତ କରିଥିଲେ। ଏହି ଅବସରରେ ‘ଫୋର୍‌ ଇଡିଅଟ୍‌ସ’ର ଅଭିନେତା ସବ୍ୟସାଚୀ ଓ ଗୁଡ୍ଡୁ ଉପସ୍ଥିତ ରହି ଚଳଚ୍ଚିତ୍ର ସୁଟିଂ ସମୟର ମଜାଦାର ଅନୁଭୂତି ବାଣ୍ଟିଥିଲେ। ନ୍ୟୁରି ଲଣ୍ଡନ, ଏମ୍‌ଏସ୍‌ପି ଟିଏମ୍‌ଟିବାର୍‌, ଜିସାନ ଏଣ୍ଟରପ୍ରାଇଜର୍ସ, ଟେକ୍‌ନୋ ସ୍ମାର୍ଟ ଫୋନ୍‌ ଓ ଶ୍ୱେତା ପାରେଖ ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା। ଆର୍‌ଜେ କୋମଲ ଓ ଆର୍‌ଜେ ଅନିଲ ମଞ୍ଚ ପରିଚାଳନା କରିଥିଲେ।

ପୁଚି ଓ କବାଡ଼ି ପ୍ରତିଯୋଗିତା

ଭୁବନେଶ୍ୱର ପୁରୀ ଜାତୀୟ ରାଜପଥରେ ପଟ୍ଟନାୟିକା ଛକରେ ଥିବା ‘ଟିମ୍‌ ଯାଯାବର’ ପରିସରରେ ରଜ ମଉଜ ଗତକାଲିଠୁ ଆରମ୍ଭ ହୋଇଛି। ପ୍ରଥମ ଦିନ ପୁଚି ପ୍ରତିଯୋଗିତା ଆୟୋଜିତ ହୋଇଥିବା ବେଳେ ବହୁ ସଂଖ୍ୟାରେ ଝିଅମାନେ ଅଂଶଗ୍ରହଣ କରିଥିଲେ। ଆଜି ସକାଳେ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଭାଗ ନେବା ପାଇଁ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଉତ୍ସାହ ଦେଖିବାକୁ ମଳିଥିଲା। ଆସନ୍ତାକାଲି ଅପରାହ୍‌ଣ ୫ଟାରେ ପୁରସ୍କାର ବିତରଣ କରାଯିବା ସହ ଭଜନ ସମାରୋହ ଅନୁଷ୍ଠିତ ହେବ ବୋଲି ‘ଟିମ୍‌ ଆଡ୍‌ମାର୍କ ଇନ୍‌ଫ୍ରାକନ୍‌’ର ଅଧ୍ୟକ୍ଷ ନିଶିକାନ୍ତ ମିଶ୍ର ସୂଚନା ଦେଇଛନ୍ତି। ଟିମ୍‌ ଯାଯାବରରେ ରଜକୁ ଆହୁରି ଆକର୍ଷଣୀୟ କରିବା ପାଇଁ ସ୍ୱତନ୍ତ୍ର ବଫେଟ୍‌ ମଧ୍ୟାହ୍ନ ଭୋଜନ, ପିଠା, ପାନ ଓ ଦୋଳିର ବ୍ୟବସ୍ଥା କରାଯାଇଛି।

ଗୋପବନ୍ଧୁ ସ୍ମୃତି ସଂସଦ ପଡ଼ିଆରେ ରଜ ମଉଜ

ଓ୍ଵାର୍ଡ ନଂ ୪୭ ଗୋପବନ୍ଧୁ ନଗରସ୍ଥିତ ଗୋପବନ୍ଧୁ ସ୍ମୃତି ସଂସଦ, ଲକ୍ଷ୍ମୀପୂଜା ପଡ଼ିଆରେ ବିଜୁ ଯୁବ ବାହିନୀ ପକ୍ଷରୁ ରଜ ମହୋତ୍ସବ ଅନୁଷ୍ଠିତ ହୋଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ଅନନ୍ତ ନାରାୟଣ ଜେନା ଏହାକୁ ଉଦ୍‌ଘାଟନ କରିଥିଲେ। ଡେପୁଟି ମେୟର କେ. ଶାନ୍ତିଙ୍କ ସମେତ କିଛି କର୍ପୋରେଟର୍‌ ମଧ୍ୟ ସାମିଲ୍‌ ହୋଇଥିଲେ। ଏହି ଅବସରରେ ରଙ୍ଗୋଲି, ପିଠାପଣା, ମେହେନ୍ଦି, ମ୍ୟୁଜିକ୍‌ ଚେୟାର, ପୁଚି, ଦୌଡ଼ିଡିଆଁ ଆଦି ପ୍ରତିଯୋଗିତା କରାଯାଇଥିଲା। ଉତ୍ସବ ପରିସରରେ ପିଠାପଣାର ଷ୍ଟଲ୍‌ ସାଙ୍ଗକ ମିନି ଖାଦ୍ୟ ମାର୍କେଟ୍‌କୁ ଲୋକ ଉପଭୋଗ କରିଥିଲେ।

ପ୍ଲାନେଟୋରିୟମରେ ୨୦୩୧ ଦର୍ଶକ

ପୂର୍ବ ସୂଚନା ମୁତାବକ ପଠାଣି ସାମନ୍ତ ପ୍ଲାନେଟୋରିୟମ ଖୋଲା ରହିଥିବା ବେଳେ ଆଜି ରେକର୍ଡ ସଂଖ୍ୟକ ଦର୍ଶକ ପ୍ଲାନେଟୋରିୟମ ସୋ ଉପଭୋଗ କରିଥିଲେ। ଦିନ ସାଢ଼େ ୧୧ଟାରୁ ସୋ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ସାଢ଼େ ୭ଟା ପର୍ଯ୍ୟନ୍ତ ସୋ ଚାଲିଥିଲା। ପୂର୍ବ ସୂଚନା ମୁତାବକ ୧୧ଟି ସୋ ପରିବର୍ତେ ୧୩ଟି ସୋ ହୋଇଥିଲା। ପ୍ରଚଣ୍ଡ ଖରା ସତ୍ତ୍ୱେ ଆଜି ୨୦୧୩ ଜଣ ଦର୍ଶକ ସୋ’ ଉପଭୋଗ କରିଥିଲେ। ଯାହା ପୂର୍ବ ବର୍ଷ ରଜ ସଂକ୍ରାନ୍ତିର ଦର୍ଶକ ରେକର୍ଡଠାରୁ ଢେର୍‌ ଅଧିକ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି। ଆସନ୍ତ ୨ ଦିନ ମଧ୍ୟ ୧୩ଟି ସୋ’ ଚାଲିବ ବୋଲି ସେ କହିଛନ୍ତି।

ଦ୍ୱିତୀୟ ଦିନରେ ନୂଆପଲ୍ଲୀ ରଜ ମହୋତ୍ସବ 

ଭୁବନେଶ୍ୱର : ଓ୍ଵାରିଅସ୍‌ ଫାଉଣ୍ଡେସନ୍‌, ସାଇଜ୍ୟୋତି ଓ ଭୁବନେଶ୍ୱରୀ ମହାସଂଘର ମିଳିତ ଆନୁକୂଲ୍ୟରେ ଓ୍ଵାର୍ଡ ନମ୍ବର ୩୯ରେ  ରଜ ମହୋତ୍ସବ ଦ୍ୱିତୀୟ ଦିନରେ ପହଞ୍ଚିଛି। ‘ସମ୍ବାଦ’ର ସମ୍ପାଦକ ତଥା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୁରୁବାର ଅନୁଷ୍ଠିତ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ମେୟର ଅନନ୍ତ ନାରାୟଣ ଜେନା, ବିଜେଡି ମୁଖପାତ୍ର ସୁଲତା ଦେଓ, ପୂର୍ବତନ କର୍ପୋରେଟର୍‌ ରାମାନାଥ ସମାନ୍ତରାୟ, ୩୮ ନମ୍ବର ଓ୍ଵାର୍ଡର କର୍ପୋରେଟର୍‌ ନିଖିଳ କୁମାର ବଳବନ୍ତରାୟ, ଓ୍ଵାରିଅସ୍‌ ଫାଉଣ୍ଡେସନ୍‌ର ସଭାପତି ଡ. ନମିତା ପଟ୍ଟନାୟକ, ସାଇଜ୍ୟୋତି ମହାସଂଘର ସଭାପତି ଗୀତାଞ୍ଜଳି ମିଶ୍ର, ଭୁବନେଶ୍ୱରୀ ମହାସଂଘର ସଭାପତି କୃଷ୍ଣପ୍ରିୟା ପାଣିଗ୍ରାହୀ  ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ଥାନୀୟ କର୍ପୋରେଟର୍‌ ପ୍ରତିଭା ସାମନ୍ତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ମା’ ଖଣ୍ଡେଶ୍ୱରୀ ମହିଳା ସମିତି ପକ୍ଷରୁ ରଜ ଉତ୍ସବ

ଭୁବନେଶ୍ୱର : ମା’ ଖଣ୍ଡେଶ୍ୱରୀ ମହିଳା ସମିତି ଓ ଖଣ୍ଡେଶ୍ୱରୀ ଯୁବକ ସଂଘର ମିଳିତ ସହଯୋଗରେ ଆଜି ପଳାଶୁଣୀସ୍ଥିତ ବିଜୁ ପଟ୍ଟନାୟକ ପଡ଼ିଆଠାରେ ରଜ ଉତ୍ସବ ପାଳିତ ହୋଇଯାଇଛି। ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ଖୋର୍ଧା ଜିଲ୍ଲା ବିଜେଡି ଉପସଭାପତି ସୁବାସ ପାତ୍ର ଓ ରାଜ୍ୟ ଯୁବ ବିଜେଡିର ଉପଦେଷ୍ଟା ଚିନ୍ମୟ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ଆଇନଜୀବୀ ରମେଶ ସାହୁ ଏଥିରେ ସଭାପତିତ୍ୱ କରିଥିଲେ। ଉତ୍ସବରେ କପିଳେଶ୍ୱର ମହିଳା ସ୍ୱୟଂ ସହାୟକ ମହାସଂଘ, ବଙ୍ଗୁଆ ବସ୍ତି, ବାଲିଆପଟା ଆଦି ବସ୍ତିର ଶତାଧିକ ଲୋକ ଏଥିରେ ଯୋଗ ଦେଇଥିଲେ। ସମିତି ସଦସ୍ୟା ପୂଜାରାଣୀ ପାର୍ବତୀ ବିଶ୍ୱାଳ, ଜୟନ୍ତୀ ସାହୁ, ସୀତା ମଲ୍ଲିକ, ପ୍ରଭାସିନୀ ସାହୁ, ମା’ ଖଣ୍ଡେଶ୍ୱରୀ ମହିଳା ସମିତିର ସଭାପତି ରଞ୍ଜିତା କାନୁନ୍‌ଗୋ, ସଂପାଦିକା ବିଷ୍ଣୁପ୍ରିୟା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ସମିତି ସଦସ୍ୟା ପୂଜାରାଣୀ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ଦୋଳି, ଫୁଟବଲ୍‌ ଖେଳ ସମେତ ଶିଶୁମାନଙ୍କ ପାଇଁ ବହୁ ମନୋରଞ୍ଜନ କାର୍ଯ୍ୟକ୍ରମ ଓ ଖେଳର ଆୟୋଜନ କରାଯାଇଥିଲା।

ବନମାଳିପୁରରେ ନିଆରା ରଜ ମହୋତ୍ସବ

ବାଲିପାଟଣା : ବନମାଳିପୁର ଦୁର୍ଗାମଣ୍ଡପ ପଡ଼ିଆରେ ଆଜି ପ୍ରଥମଥର କରି ଆରମ୍ଭ ହୋଇଛି ନିଆରା ‘ରଜ-ମହୋତ୍ସବ’। ଏହି ଦିନିକିଆ ଉତ୍ସବରେ ମଝିହରା, ଭାପୁର ଓ ଭାକରସାହି ପଞ୍ଚାୟତର ଶହଶହ କୁନିକୁନି ପିଲା, ମହିଳା ଓ ପୁରୁଷ ସାମିଲ ହୋଇ ରଜ ଉତ୍ସବର ମଜା ନେଇଥିଲେ। ସ୍ଥାନୀୟ ‘ଉମିଦ୍‌’ ନାମକ ଏକ ସଂଗଠନ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ  ପ୍ରାୟ ୨୩୭ଜଣ କୁନିକୁନି ପିଲାଙ୍କ ମଧ୍ୟରେ ଝୋଟି, ପୁଚି, ମ୍ୟୁଜିକ୍‌ ଚେୟାର, ସ୍କିପିଂ ଓ ଶହେ ମିଟର ଦୌଡ଼ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ନୂଆସାହିର ସୁଭଦ୍ରା ସାହୁଙ୍କୁ ‘ବନମାଳିପୁର ରଜ କୁଇନ୍‌’ ଓ ବିଭିନ୍ନ ପ୍ରତିଯୋଗିତାରେ ସଫଳ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରତି ବର୍ଷ ଏପରି ଉତ୍ସବ ପାଳନ ସହ କାର୍ଯ୍ୟକ୍ରମକୁ ଆହୁରି ଲୋକାଭିମୁଖୀ କରିଯିବ ବୋଲି ସଭ୍ୟମାନେ କହିଛନ୍ତି। କାର୍ଯ୍ୟକ୍ରମକୁ ‘ଉମିଦ’ର ସମସ୍ତ ସଭ୍ୟ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର