ଆରମ୍ଭ ହେଲା ରେଡିଓ ‌ମେଳା, ୩ ହଜାର ପୁରୁଣା ରେଡିଓର ସମାହାର

‘ପ୍ରତ୍ୟେକଙ୍କ ନିକଟରେ କିଛି ନୂଆ କରି ଦେଖାଇବାର କ୍ଷମତା ଅଛି’

ଭୁବନେଶ୍ବର: ପ୍ରତ୍ୟେକଙ୍କ ନିକଟ‌‌ରେ କିଛି ନୂଆ କରି ଦେଖାଇବାର କ୍ଷମତା ଅଛି। ତେବେ ଏଥିପାଇଁ ସ୍ବପ୍ନ ଦେଖନ୍ତୁ। କେବେ ହାର୍‌ ନମାନି ବାରମ୍ବାର ମଇଦାନକୁ ଓହ୍ଲାନ୍ତୁ। ଏମିତି କାମ କରନ୍ତୁ, ଯେମିତି ଦୁନିଆ ଆପଣଙ୍କୁ ଅନୁକରଣ କରିବ। ଏହା କହିଛନ୍ତି ପ୍ରେରଣାଦାୟୀ କାହାଣୀରେ ‘ମାଇଁ ଏଫ୍‌ଏମ୍‌’ରେ କୋଟି କୋଟି ଶ୍ରୋତାଙ୍କୁ ବାନ୍ଧି ରଖିଥିବା ଆର୍‌.ଜେ କାର୍ତିକ। ରେଡିଓ ପାଇଁ ସମର୍ପିତ ଅନୁଷ୍ଠାନ ‘ଆଉଟରିଚ୍‌’ ପକ୍ଷରୁ ଭଞ୍ଜ କଳାମଣ୍ଡପରେ ଅନୁଷ୍ଠିତ ଷଷ୍ଠ ଅନ୍ତର୍ଜାତୀୟ ରେଡିଓ ମେଳାରେ ଅତିଥି ଭାବେ ଯୋଗଦେଇ କାର୍ତିକ କହିଲେ, ରେଡିଓର ସବୁଠୁ ବଡ଼ ସୌନ୍ଦର୍ଯ୍ୟ ହେଉଛି ‘ସରପ୍ରାଇଜ୍‌’। ରେଡିଓ ହିଁ ଅକସ୍ମାତ କିଛି ଭେଟି ଦେଇ ଶ୍ରୋତାଙ୍କୁ ପୁଲକିତ କରିପାରେ।

କାର୍ଯ୍ୟକ୍ରମକୁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉଦ୍‌ଘାଟନ କରି କହିଲେ, ଲୋକେ ଧୀରେଧୀରେ ପୁଣି ରେଡିଓ ଆଡ଼କୁ ଫେରୁଥିବାରୁ ଏହା ବିଶ୍ବ ରେଡିଓ ଦିବସରେ ଏକ ଭଲ ସଙ୍କେତ। ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାର୍ଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ବିପର୍ଯ୍ୟୟ ସମୟରେ ରେଡିଓର ମହତ୍ତ୍ବପୂର୍ଣ୍ଣ ଭୂମିକା ରହୁଛି ଏବଂ ରହିଥିବ ମଧ୍ୟ। ତେଣୁ ଏହା ସମାଜ‌ରେ ସବୁବେଳେ ଗ୍ରହଣୀୟ ହୋଇ ରହିଥିବ ବୋଲି ସେ କହିଥିଲେ। ‘ସମ୍ବାଦ ଗ୍ରୁପ’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ କହିଲେ, ଆଜିର ଦିନରେ ପ୍ରଧାନମନ୍ତ୍ରୀ ରେଡିଓ ଜରିଆରେ ‘ମନ୍‌କି ବାତ୍‌’ କାର୍ଯ୍ୟକ୍ରମରେ ଲୋକଙ୍କ ପାଖରେ ପହଞ୍ଚୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ‘ଗାଁ ରେଡିଓ’ ଆଣିବାକୁ ଯୋଜନା କରୁଛନ୍ତି। ତେଣୁ କିଛି ବର୍ଷ ତଳେ ଲୋକେ ରେଡିଓର ମୃତ୍ୟୁ ହେବ ବୋଲି କହୁଥିବା ବେଳେ ତାହା ଏବେ ଭୁଲ ପ୍ରମାଣିତ ହୋଇଛି। ‘ଆଉଟ୍‌ରିଚ୍‌’ର ପ୍ରତିଷ୍ଠାତା ତଥା ରେଡିଓ ମେଳାର ଆବାହକ ସୁବ୍ରତ କୁମାର ପତି କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ସ୍ମରଣିକା ‘ବେତାର ବାଣୀ’ ଉନ୍ମୋଚିତ ହୋଇଥିଲା। ଉତ୍ସବରେ ଶ୍ରେଷ୍ଠ ଉପସ୍ଥାପକ ଭାବେ ଆର୍‌.ଜେ କାର୍ତିକ, ଶ୍ରେଷ୍ଠ କମ୍ୟୁନିଟି ରେଡିଓ ଭାବେ ‘ରେଡିଓ ବ୍ରହ୍ମପୁତ୍ର’ର ଭାସ୍କର ଜ୍ୟୋତି ଭୂୟାଁ ଏବଂ ଶ୍ରେଷ୍ଠ ରେଡିଓ ଶ୍ରୋତା ଭାବେ ସିଦ୍ଧାର୍ଥ ଭଟ୍ଟାଚାର୍ଜୀଙ୍କୁ ପୁରସ୍କୃତ କରାଯାଇଥିଲା। ଶାଶ୍ବତୀ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଯାଉଥିବା ଏହି ରେଡିଓ ମେଳା ମଧ୍ୟରେ ଆକର୍ଷଣ ସାଜିଛି ୩ ହଜାର ପୁରୁଣା ରେଡିଓ। ଏଥିସହ ୩୪ଟି ଷ୍ଟଲ୍‌ରେ ରେଡିଓ ସଂକ୍ରାନ୍ତ ସାମଗ୍ରୀ ପ୍ରଦର୍ଶିତ ହେଉଥିବା ବେଳେ ଜାପାନ, ବାଂଲାଦେଶ ସମେତ ବିହାର, ତ୍ରିପୁରା, ତେଲେଙ୍ଗାନା ଆଦିରୁ ରେଡିଓ ସହ ସମ୍ପୃକ୍ତ ବ୍ୟକ୍ତିବିଶେଷ ସାମିଲ୍‌ ହୋଇଛନ୍ତି।

ସମ୍ବନ୍ଧିତ ଖବର