‘ରେଡିଓ-ମଣିଷ ସଂପର୍କ ଅତି ପୁରୁଣା’ ‘ସିଫା’ରେ ବିଶ୍ବ ରେଡିଓ ଦିବସ

ଧଉଳି: ରେଡିଓ ଓ ମଣିଷର ସଂପର୍କ ଅତି ପୁରୁଣା। ଦିନ ଥିଲା, ରେଡିଓ ହିଁ ଖବର ଓ ମ‌େନାରଂଜନର ଏକମାତ୍ର ମାଧ୍ୟମ ଥିଲା। କିନ୍ତୁ ଟିଭି, ଇଣ୍ଟରନେଟ୍‌ ଆସିବା ପରେ ବି ରେଡିଓ ନିଜର ସ୍ଥିତି ବଜାୟ ରଖିଛି। ଆଜିର କମ୍ପ୍ୟୁଟର୍‌ ଯୁଗରେ ରେଡିଓର ଚାହିଦା କମିନି। ସବୁ କ୍ଷେତ୍ର ସହ ଯୋଡ଼ି ହୋଇଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦୁର୍ଗମ ଅଞ୍ଚଳରେ ସୂଚନା ପହଞ୍ଚାଇବାର ଏହା ଏବେ ବି ଏକ ପ୍ରମୁଖ ମାଧ୍ୟମର ଭୂମିକା ନିର୍ବାହ କରୁଛି ବୋଲି କୌଶଲ୍ୟାଗଙ୍ଗସ୍ଥିତ କେନ୍ଦ୍ରୀୟ ମଧୁର ଜଳଜୀବ ପାଳନ ପ୍ରତିଷ୍ଠାନ, କୃଷି ବିଜ୍ଞାନ କେନ୍ଦ୍ର ଖୋର୍ଧା ଓ ରେଡିଓ କ୍ଲବ ଓଡ଼ିଶା ମିଳିତ ଆନୁକୂଲ୍ୟରେ ଆଜି ଆୟୋଜିତ ୧୦ମ ବିଶ୍ବ ରେଡିଓ ଦିବସ-୨୦୨୧ ପାଳନ ଅବସରରେ ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି।

ପଦ୍ମଶ୍ରୀ ବଟକୃଷ୍ଣ ସାହୁ କାର୍ଯ୍ୟକ୍ରମକୁ ଉଦଘାଟନ କରି ରେଡିଓ ସହ ତାଙ୍କ ଅନୁଭୂତି ସଂପର୍କ‌ରେ ସୂଚନା ଦେଇଥିଲେ। ରେଡିଓ କ୍ଲବର ସଂପାଦକ ପି.କେ ଦତ୍ତ କାର୍ଯ୍ୟାଳୟର କାର୍ଯ୍ୟ ପ୍ରକ୍ରିୟା ସଂପର୍କରେ ତଥ୍ୟ ପ୍ରଦାନ କରିଥିଲେ। ଜମ୍ମୁ କଶ୍ମୀର ରେଡିଓ ଶ୍ରଦ୍ଧାର ନିର୍ଦ୍ଦେଶକ ଡ. ରମେଶ ହଙ୍ଗୁଲ ଭାରତୀୟ ବିବିଧ ସଂସ୍କୃତିକୁ ପ୍ରଚାର କରାଇବା ଦିଗରେ ରେଡିଓର ପ୍ରମୁଖ ଭୂମିକା ଥିବା କହିଥିଲେ। ରାଜସ୍ଥାନର ରେଡିଓ ଜନବାଣୀ ସଚିବ ଡ. ଡି.ପି ସିଂହ ଗୋଷ୍ଠୀ ସଂପର୍କ ବଢ଼ାଇବା ତାତ୍ପର୍ଯ୍ୟ ନେଇ ବକ୍ତବ୍ୟ ରଖିଥିଲେ। ଖୋର୍ଧା କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ଡ. ଏସ୍‌ଏସ୍‌ ଗିରି ଓ ସିଫାର ନିର୍ଦ୍ଦେଶକ ଡ. ସରୋଜ ସ୍ବାଇଁ ରେଡିଓର ବିଭିନ୍ନ ଦିଗ ଉପରେ ବକ୍ତବ୍ୟ ଦେଇଥିଲେ। ଏହି ଅବସରରେ ଅତିଥିମାନେ ରେଡିଓ ଫର ପିପୁଲ ଶୀର୍ଷକ ସ୍ମରଣିକା ଉନ୍ମୋଚନ କରିଥିଲେ। ଉଦ୍‌ଯାପନୀ ସଂଧ୍ୟାରେ ରାଜସ୍ଥାନସ୍ଥିତ ରେଡିଓ ମଧୁବନର ମୁଖ୍ୟ ଯଶୋବନ୍ତ ପାଟିଲ ଅନ୍ୟତମ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଝୁନା କୁମାରୀ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର