ଖଣ୍ଡଗିରିରେ ବିପଦକୁ ଆମନ୍ତ୍ରଣ କରୁଛି ଟ୍ରାଫିକ୍‌ ଡାଇଭର୍ସନ୍

ଭୁବନେଶ୍ୱର: ଟ୍ରାଫିକ୍‌ ସମସ୍ୟାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଖଣ୍ଡଗିରି ଛକରେ ନିର୍ମାଣ ହେଉଛି ଫ୍ଲାଏ ଓଭର। ଟ୍ରାଫିକ୍‌ ବାଧାପ୍ରାପ୍ତ ନ ହେବା ଓ ଶୀଘ୍ର କାମ ସାରିବା ପାଇଁ ଚାଲିଛି ରାତି ଅଧିଆ କାମ। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅନୁରୋଧକ୍ରମେ ଏଥିପାଇଁ କମିସନରେଟ୍‌ ପୁଲିସ ଟ୍ରାଫିକ୍‌ ପରିଚାଳନା‌ ପ୍ଲାନ୍‌ ପ୍ରସ୍ତୁତ କରିଛି। ଏଠାରେ ରାତି ୧୧ଟାରୁ ସକାଳ ୫ଟା ଯାଏଁ ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ଗୋଟିଏ ପାଖ ସର୍ଭିସ୍‌ ରୋଡ୍‌ ବନ୍ଦ ରହୁଛି। ତେଣୁ ଅନ୍ୟ ପାଖ ସର୍ଭିସ୍‌ ରୋଡ୍‌ରେ ସମସ୍ତ ଗାଡ଼ି ଯାତାୟାତ କରୁଛି। ଦୁଇ ଲେନ୍‌ ରାସ୍ତାରେ ୪ ଲେନ୍‌ ରାସ୍ତାର ଗାଡ଼ି ଚାଲୁଥିବାରୁ ଗୁରୁତର ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ସମ୍ପୃକ୍ତ ସର୍ଭିସ୍‌ ରୋଡ୍‌ ମଝିରେ ବାରିକେଡ୍‌ କରିବାକୁ ଏନ୍‌ଏଚ୍‌ଏଆଇ ବ୍ୟବସ୍ଥା କରିବ ବୋଲି କମିସନରଙ୍କ ଆଦେଶରେ ସ୍ପଷ୍ଟ ଥିଲେ ମଧ୍ୟ ବାରିକେଡ୍‌ ହୋଇ ନାହିଁ। ଏଣୁ ଆଗକୁ ମଧ୍ୟ ଧନଜୀବନ ପ୍ରତି ବିପଦ ରହିଥିବାରୁ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଓଭରବ୍ରିଜ୍‌ ନିର୍ମାଣ ପାଇଁ ହୋଇଥିବା ଟ୍ରାଫିକ୍‌ କଟକଣା ମୁତାବକ, ଖୋର୍ଦ୍ଧାରୁ ଭୁବନେଶ୍ବର ଆସୁଥିବା ଗାଡ଼ିଗୁଡ଼ିକ କୋଳଥିଆ ଛକରୁ ଡାହାଣ ପଟକୁ ବୁଲି (ରଙ୍ଗ୍‌ରୁଟ୍‌ରେ)ପ୍ରାଚୀ ହୋଟେଲ ଆଣ୍ଡ ରିସୋର୍ଟସ୍‌ ଛକରେ ପୁଣି ବାମପଟକୁ ଚାଲିଯିବେ। ଭୁବନେଶ୍ବରରୁ ଖୋର୍ଦ୍ଧା ଯାଉଥିବା ଗାଡ଼ି ଏହି ରାସ୍ତାରେ ପୂର୍ବବତ୍‌ ଯିବେ। ରାତି ୧୧ରୁ ସକାଳ ୫ଟା ଯାଏଁ ୪୧୨ ମିଟର ଲମ୍ବର ଏହି ରାସ୍ତାରେ ଏହି ନିୟମ ଦୀର୍ଘ ଦୁଇମାସ ପର୍ଯ୍ୟନ୍ତ ରହିବ। ମାତ୍ର ଉକ୍ତ ସର୍ଭିସ୍ ରୋଡ୍‌ ମଝିରେ ବାରିକେଡ୍‌ ନଥିବାବେଳେ ଷ୍ଟ୍ରିଟ୍‌ ଲାଇଟ୍‌ କିମ୍ବା ହାଇମାଷ୍ଟ ଲାଇଟ୍‌ ମଧ୍ୟ ନାହିଁ। ଫଳରେ ରାସ୍ତାଟି ସମ୍ପୂର୍ଣ୍ଣ ଅନ୍ଧାର ରହୁଛି। ସେଥିପାଇଁ ଦୁର୍ଘଟଣାର ସମ୍ଭାବନା ଅଧିକ ରହିଛି। ରାସ୍ତାଟିକୁ ପୂର୍ବରୁ ମରାମତି କରାଯାଇ ନାହିଁ। ଫଳରେ ଖାଲଖମା ମଧ୍ୟ ରହିଛି। ଏହି ରାସ୍ତାରେ ପେଟ୍ରୋଲ ଟାଙ୍କି ରହିଛି। ସେଠାରେ ରାସ୍ତା ସଙ୍କୁଚିତ ହୋଇଥିବାରୁ ଓ ଗ୍ରାହକଙ୍କର ଯିବା ଅସିବା ଯୋଗୁଁ ଦୁର୍ଘଟଣାର ସମ୍ଭାବନା ରହିଛି। ଏ ନେଇ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ରାତି ୧୧ଟା ପରେ ଗାଡ଼ି ଚଳାଚଳ କମ୍‌ ହେଉଥିବାରୁ ଦୁର୍ଘଟଣା ଆଶଙ୍କା କମ୍‌ ରହିଛି। ବାରିକେଡ୍‌ କରିବାକୁ ଏନ୍‌ଏଚ୍‌ଏଆଇକୁ କୁହାଯାଇଛି। ଅନ୍ୟପଟେ ଏନ୍‌ଏଚ୍‌ଏଆଇର ଜଣେ ବରି‌ଷ୍ଠ ଅଧିକାରୀ କହିଛନ୍ତି କି କେବଳ ରାତିରେ ହିଁ କଟକଣା ରହୁଥିବାରୁ ସ୍ଥାୟୀ ବାରିକେଡ୍‌ କଲେ ସାରା ଦିନର ଟ୍ରାଫିକ୍‌ ନିୟନ୍ତ୍ରଣ ସମସ୍ୟା ହେବ। ଗାଡ଼ିଚାଳକମାନେ ଦ୍ବନ୍ଦ୍ବରେ ପଡ଼ି‌ବେ ଓ ସଙ୍କୁଚିତ ରାସ୍ତାରେ ଦୁର୍ଘଟଣା ଆଶଙ୍କା ଅଧିକ ରହିବ। ତେବେ ଅଭିଯୋଗ ଉପରେ ବିଚାର କରାଯାଉଛି ବୋଲି ସେ କହିଛନ୍ତି। ଏ ନେଇ ନିଖିଳ ଓଡ଼ିଶା ଘରୋଇ ବସ୍‌ ମାଲିକ ସଂଘ ସଭାପତି ଦେବାଶିଷ ନାୟକ କହିଛନ୍ତି, ଏନ୍‌ଏଚ୍‌ଏଆଇ ଓ କମିସନରେଟ୍‌ ପୁଲିସ ପରସ୍ପର ମଧ୍ୟରେ ଉପଯୁକ୍ତ ସମନ୍ବୟ ରଖି ଜନସାଧାରଣଙ୍କ ଜୀବନ ପ୍ରତି ଯତ୍ନ ନେବା ଜରୁରୀ। ଏହି ରାସ୍ତାକୁ ଆଲୋକୀକରଣ କରିବା ସହ ହମ୍ପସ କିମ୍ବା ରମ୍ବଲର୍ସ ଏବଂ ବାରିକେଡ୍‌ ତିଆରି କରି ଟ୍ରାଫିକ୍‌ ଶୃଙ୍ଖଳିତ କରିବା ଆବଶ୍ୟକ। ବାରିକେଡ୍‌ ନିର୍ମାଣ ପାଇଁ କମିସନରେଟ୍‌ ପୁଲିସ ଓ ଏନ୍‌ଏଚ୍‌ଏଆଇକୁ ଅବଗତ କରାଯାଇଛି ବୋଲି ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର