ଭୁବନେଶ୍ବର: ଭୁବନେଶ୍ବର ସମେତ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ ଉଚ୍ଚବିଦ୍ୟାଳୟର ବିଦ୍ୟାର୍ଥୀ ୨୦୨୬ ଦଶମ ବୋର୍ଡ ପରୀକ୍ଷାରେ ପାସ୍‌ କରିବେ। ପ୍ରତି ହାଇସ୍କୁଲର ଅତି କମ୍‌ରେ ଜଣେ ‘ଏ-୧’ ଗ୍ରେଡ୍‌ରେ ପାସ୍‌ କରିବେ। ଏଥିପାଇଁ୨୦୨୫-୨୬ ଶିକ୍ଷାବର୍ଷ ଆରମ୍ଭରୁ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ ପକ୍ଷରୁ ରିଭିଜନ୍‌ ଆସେସ୍‌ମେଣ୍ଟ ଇଣ୍ଟିଗ୍ରେସନ୍‌ ସପୋର୍ଟ ଆଣ୍ଡ୍‌ ଇଭାଲ୍ୟୁଏସନ୍‌(ରେଜ୍‌)-୨୦୨୬ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରି ସେମାନଙ୍କ ପାଠପଢ଼ାରେ ଉନ୍ନତି ସହ ଶତ ପ୍ରତିଶତ ପରୀକ୍ଷା ଫଳ ପାଇଁ ରୂପରେଖ ପ୍ରସ୍ତୁତ ହୋଇଛି। ଯୋଜନା ଅନୁଯାୟୀ ପ୍ରଧାନଶିକ୍ଷକମାନେ ୯ମ ଶ୍ରେଣୀ ବାର୍ଷିକ ପରୀକ୍ଷାର ବିଷୟଭିତ୍ତିକ ଫଳ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ଦକ୍ଷତା ସମୀକ୍ଷା କରିବେ। ଛାତ୍ରଛାତ୍ରୀଙ୍କୁ ଦୁଇଟି ଗ୍ରୁପ୍‌(ତ୍ବରାନ୍ବିତ ଓ ପ୍ରଗତିଶୀଳ)ରେ ବିଭକ୍ତ କରିବେ। ୯ମ ଶ୍ରେଣୀ ପରୀକ୍ଷାରେ ୬୫ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ପିଲାଙ୍କୁ ତ୍ବରାନ୍ବିତ ଗ୍ରୁପ୍‌ ଓ ଅନ୍ୟ ପିଲାମାନଙ୍କୁ ପ୍ରଗତିଶୀଳ ଗ୍ରୁପ୍‌ରେ ରଖିବେ। ବିଷୟଭିତ୍ତିକ ଶିକ୍ଷକମାନେ ଦୁଇଟି ଗ୍ରୁପ୍‌ର ପିଲାଙ୍କୁ ଚିହ୍ନଟ କରି ଆସେସ୍‌ମେଣ୍ଟ କରାଇବେ। ପ୍ରତି ଶିକ୍ଷକ ‘ମେଣ୍ଟର୍‌ ଶିକ୍ଷକ’ ଭାବେ ଶ୍ରେଣୀର ଜଣେ ଲେଖାଏ ହାଇ ଆଚିଭର୍‌ ଓ ଲୋ ଆଚିଭର୍‌ ଛାତ୍ରଛାତ୍ରୀଙ୍କୁ ନିଜ ଅଧୀନରେ ରଖି ମାର୍ଗଦର୍ଶନ କରିବେ। ଶିକ୍ଷକମାନେ ଅଭିଭାବକଙ୍କ ସହ ଯୋଗାଯୋଗରେ ରହିବେ। ‘ରେଜ୍‌’ର ସମୀକ୍ଷା କରିବାକୁ ବ୍ଲକ୍‌ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଧୀନରେ ଏକାଡେମିକ୍‌ କମିଟି ଗଠନ କରାଯିବ। ପ୍ରଶ୍ନପତ୍ର ବ୍ୟାଙ୍କ୍‌ ପ୍ରସ୍ତୁତ କରାଯାଇ ନିୟମିତ ବ୍ୟବଧାନରେ ପରୀକ୍ଷା କରାଯିବ। ଏଥିପାଇଁ ପ୍ରଧାନଶିକ୍ଷକମାନଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଇତିମଧ୍ୟରେ ଶେଷ ହୋଇଛି।
ଆକଳନ କରାଯାଇଛି ଯେ ୨୦୨୬ରେ ଜିଲ୍ଲାର ୨୯୧ଟି ବିଦ୍ୟାଳୟର ୨୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସମସ୍ତ ଛାତ୍ରଛାତ୍ରୀଙ୍କ ପାସ୍‌ ସହ ଅତିକମ୍‌ରେ ୩୮୦ ପିଲା ଯେପରି ‘ଏ-୧’ ଗ୍ରେଡ୍‌ ହାସଲ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ମିଳିଥିବା ତଥ୍ୟ ଅନୁଯାୟୀ ୨୦୨୩ରେ ଖୋର୍ଦ୍ଧା ଜିଲ୍ଲାରେ ପାସ୍‌ ହାର ୯୭.୪୮%, ୨୦୨୪ରେ ୯୭.୯୮% ଓ ୨୦୨୫ରେ ୯୭.୩୧% ହୋଇଥିଲା ଏବଂ ଯଥାକ୍ରମେ ୨୮୮, ୧୬୪, ୧୭୫ ଜଣ ଛାତ୍ରଛାତ୍ରୀ ‘ଏ-୧’ ଗ୍ରେଡ୍‌ ହାସଲ କରିଥିଲେ। ୨୦୨୪-୨୫ ଶିକ୍ଷାବର୍ଷରେ ଜିଲ୍ଲାର ମୋଟ ୨୯୧ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲ ମଧ୍ୟରୁ ୫୬ଟି ବିଦ୍ୟାଳୟ ଶତପ୍ରତିଶତ ରେଜଲ୍ଟ କରିଥିଲେ। ୭୦ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ‘ଏ୧’ ଗ୍ରେଡ୍‌ ପାଇଥିଲେ। ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳର ୫୯ଟି ବିଦ୍ୟାଳୟ ମଧ୍ୟରୁ ୧୩ଟିର ପାସ୍‌ହାର ଶତପ୍ରତିଶତ ରହିଥିବା ବେଳେ ୩୭ଜଣ ପିଲା ‘ଏ୧’ ଗ୍ରେଡ୍‌ ହାସଲ କରିଥିଲେ। ବାଲିଅନ୍ତା ବ୍ଲକ୍‌, ଭୁବନେଶ୍ବର ବ୍ଲକ୍‌ ଓ ‌ଖୋର୍ଦ୍ଧା ବ୍ଲକ୍‌ର ଜଣେ ବି ହେଲେ ପିଲା ‘ଏ୧’ ଗ୍ରେଡ୍‌ ପାଇ ନ ଥିଲେ। ଜିଲ୍ଲାର ୭୦୪ଜଣ ପରୀକ୍ଷାର୍ଥୀ ଫେଲ୍‌ ହୋଇଥିଲେ।