ସୈନିକ ସ୍କୁଲରେ ରାଗିଂ, ଗଣଶିକ୍ଷା ସଚିବଙ୍କ ରିପୋର୍ଟ ତଲବ

ରାଗିଂ ରୋକିବାକୁ ପଦକ୍ଷେପ ନିଆଯାଇଛି: ଅଧ୍ୟକ୍ଷ

ଭୁବନେଶ୍ବର : ସିନିୟର ଛାତ୍ରମାନେ ଜୁନିୟର ଛାତ୍ରଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଛନ୍ତି। ଏହା କୌଣସି କଲେଜ୍‌ରେ ନୁହେଁ ବରଂ ସୈନିକ ସ୍କୁଲ୍‌ରେ। ଏଭଳି ସାଂଘାତିକ ଅଭିଯୋଗ ଆସିବା ପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହାକୁ ଗୁରୁତର ସହ ନେଇଛି। ଏଥିପାଇଁ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖି ରିପୋର୍ଟ ତଲବ କରିଛନ୍ତି। ରାଗିଂ ଦ୍ୱାରା ଛାତ୍ରଛାତ୍ରୀ ମାନସିକ ଦୁଶ୍ଚିନ୍ତାରେ ରହୁଛନ୍ତି। ୨୦୦୯ ଆଣ୍ଟି ରାଗିଂ ଆଇନକୁ ଏହା ସଂପୂର୍ଣ୍ଣ ଉଲ୍ଲଂଘନ କରୁଛି। ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ ରାଗିଂ ଅପରାଧିକ କାର୍ଯ୍ୟକଳାପ ରୋକିବାକୁ ନିଆଯାଇଥିବା ପଦକ୍ଷେପ ନେଇ ଜଣାଇବାକୁ ସ୍କୁଲ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ଗଣଶିକ୍ଷା ସଚିବଙ୍କ ଚିଠିର ଉତ୍ତରରେ ସ୍କୁଲ ଅଧ୍ୟକ୍ଷ ଦର୍ଶାଇଛନ୍ତି ଯେ, ରାଗିଂ ରୋକିବା ପାଇଁ ବିଦ୍ୟାଳୟ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଉଛି। ସ୍ବତନ୍ତ୍ର ଟିମ୍‌ ବି ରହିଛି। ବିଶେଷକରି ବିଦ୍ୟାଳୟର ନାମଲେଖା ସମୟରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଆଣ୍ଟି-ରାଗିଂ ସମ୍ପର୍କକରେ ଅବଗତ କରାଯାଏ। ଯଦି କୌଣସି ଛାତ୍ର ରାଗିଂ କରନ୍ତି ବା ରାଗିଂ କରିଥିବା ନେଇ କାହାକୁ ପ୍ରୋତ୍ସାହିତ କରନ୍ତି ବା ତାଙ୍କର ସମ୍ପୃକ୍ତି ପ୍ରମାଣ ହୁଏ ତେବେ ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିପାଇଁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଅଣ୍ଡରଟେକିଂ ଫର୍ମରେ ଦସ୍ତଖତ ମଧ୍ୟ ନିଆଯାଏ। ଏହାଛଡ଼ା ଛାତ୍ରମାନଙ୍କୁ ରାଗିଂ ରୋକିବା ପାଇଁ କ୍ଲାସରୁମ୍‌, ବିଭିନ୍ନ ସଭା ଏବଂ ସ୍ୱତନ୍ତ୍ର ସଭାରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଉଛି।
ସେହିପରି ଛାତ୍ରଛାତୀଙ୍କ ଉପରେ ନଜର ରଖିବା ପାଇଁ ଶ୍ରେଣୀଗୃହଠାରୁ ଆରମ୍ଭ କରି ଛାତ୍ରାବାସ, ଛାତ୍ରୀନିବାସ, ମେସ୍‌ ଭଳି ଗୁରୁତ୍ବପୂର୍ଣ୍ଣ ସ୍ଥାନର ପ୍ରବେଶ ଓ ପ୍ରସ୍ଥାନ ପଥରେ ସିସିଟିଭି କ୍ୟାମେରା ଲଗାଯାଇଛି। ହଷ୍ଟେଲ୍‌ରେ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି। ପ୍ରତ୍ୟେକ ଦିନ କ୍ୟାମ୍ପସ, ହଷ୍ଟେଲ, ମେସ୍, ଶ୍ରେଣୀଗୃହ ଆଦିକୁ ଶିକ୍ଷକ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ସମସ୍ୟା ନେଇ ଆଲୋଚନା କରନ୍ତି। ଛାତ୍ରଛାତ୍ରୀଙ୍କୁ ଅଧିକ ଦାୟୀତ୍ବବାନ ହେବା ପାଇଁ ବରିଷ୍ଠ ଛାତ୍ରମାନଙ୍କୁ ସ୍କୁଲ କ୍ୟାପଟେନ, ସ୍କୁଲ ଭାଇସ କ୍ୟାପଟେନ, ହାଉସ କ୍ୟାପଟେନ, ମେସ କ୍ୟାପଟେନ, ହାଉସ ଭାଇସ୍‌ କ୍ୟାପଟେନ, ଗେମ୍ସ କ୍ୟାପଟେନ, ବ୍ୟାଣ୍ଡ କ୍ୟାପଟେନ ଆଦି ଭାବରେ ନିଯୁକ୍ତି ଦିଆଯାଉଛି। ଯେଉଁଥିରେ ସେମାନେ ନିଜ ଜୁନିଅରଙ୍କୁ ସଠିକ୍ ମାର୍ଗଦର୍ଶନ କରିବେ। ହେଲେ ସେମାନଙ୍କ ସହପାଠୀ ବା କନିଷ୍ଠ ଛାତ୍ରଛାତ୍ରୀଙ୍କୁ କୌଣସି ଦଣ୍ଡ ଦେଇପାରିବେ ନାହିଁ କି କୌଣସି ନିର୍ଦେଶ ଦେଇପାରିବେ ନାହିଁ। ଆଗାମୀଦିନରେ ହଷ୍ଟେଲ ସମେତ ଅନ୍ୟାନ୍ୟ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବ ବୋଲି ଅଧ୍ୟକ୍ଷ ଚିଠିରେ ଲେଖିଛନ୍ତି।

ସମ୍ବନ୍ଧିତ ଖବର