ଶାନ୍ତ ହେଉଛି ରଘୁନାଥନଗର

ଚାପା ଉତ୍ତେଜନା ବଳବତ୍ତର, ଅଗ୍ନି ଗିରଫ, ୭ ମାମଲା ରୁଜୁ, ଗଣ୍ଡଗୋଳକାରୀଙ୍କୁ ଖୋଜୁଛି ପୁଲିସ

ଖଣ୍ତଗିରି: ବୋମାମାଡ଼, ଦୋକାନ ପୋଡ଼ି ଏବଂ ପୁଲିସ-ଜନତା ଖଣ୍ଡଯୁଦ୍ଧକୁ ନେଇ ଅଶାନ୍ତ ହୋଇପଡ଼ିଥିବା ଖଣ୍ଡଗିରି ଥାନା ଅନ୍ତର୍ଗତ ରଘୁନାଥନଗର ଅଞ୍ଚଳରେ ଆଜି ମଧ୍ୟ ଉତ୍ତେଜନା ଲାଗି ରହିଛି। ଗତକାଲି ଠାରୁ ଡୁମୁଡୁମା-ସରକନ୍ତରା ରାସ୍ତା ଅବରୋଧ କରି ରଖିଥିବା ଲୋକମାନଙ୍କୁ ଘଉଡ଼ାଇବା ଲାଗି ପୁଲିସ ଆଜି ପ୍ରସ୍ତୁତ ହେଉଥିବା ବେଳେ ସଂପୃକ୍ତ ଅଞ୍ଚଳର ୪ ଜଣ କର୍ପୋରେଟର ଏବଂ କେତେକ ସ୍ଥାନୀୟ ଭଦ୍ର ଲୋକଙ୍କ ହସ୍ତକ୍ଷେପ ଯୋଗୁଁ ମୁହାଁମୁହିଁ ପରିସ୍ଥିତିକୁ ଟାଳି ଦିଆଯାଇଛି। ଆଜି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନଥିଲେ ମଧ୍ୟ ଚାପା ଉତ୍ତେଜନା ଲାଗି ରହିଛି। ଡୁମୁଡୁମା ହାଇସିଂ ବୋର୍ଡ କଲୋନୀ ଏବଂ ରଘୁନାଥନଗରରେ ପୁଲିସ ମୁତୟନ ରହିଛନ୍ତି। ଗତକାଲି ରାତିରେ ଉତ୍ତ୍ୟକ୍ତ ଲୋକଙ୍କ ଢେଲାମାଡ଼ ପରେ ପୁଲିସ ପଛଘୁଞ୍ଚା ଦେବାପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା। କେତେକ ଲୋକ ଗତରାତିରୁ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଆଜି ସକାଳେ ଡୁମୁଡୁମା କଲୋନୀ ବଜାର ଖୋଲୁଥିବା ବେଳେ କେତେକ ଦୁବୃ୍ର୍ତ୍ତ ମାରଣାସ୍ତ୍ର ସହ ଧମକଚମକ ଦେବାରୁ ଦୋକାନ ବଜାର ବନ୍ଦ ହୋଇଯାଇଥିଲା। ପୁଲିସ ଅନୁପସ୍ଥିତିରେ ସଂପୃକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ତେବେ ଆଜି ସନ୍ଧ୍ୟାରେ ପୁଣି ପରିସ୍ଥିତି ସ୍ବାଭାବିକ ହୋଇଛି। ଇତିମଧ୍ୟରେ ଗଣ୍ତଗୋଳର ମୁଖ୍ୟ କାରଣ ବୋଲି କୁହାଯାଉଥିବା ଅଗ୍ନି ଷଡ଼ଙ୍ଗୀକୁ ପୁଲିସ ଗିରଫ କରିଛି ଓ ତା’ର ସହଯୋଗୀମାନଙ୍କୁ ଖୁବ୍‌ ଶୀଘ୍ର ଗିରଫ କରିବାକୁ ଚଢ଼ାଉ ଜାରି ରହିଛି। ସେହିଭଳି ପୁଲିସକୁ ଆକ୍ରମଣକରି ଲହୁଲୁହାଣ କରିଥିବା ଲୋକଙ୍କୁ ମଧୢ ପୁଲିସ ଗିରଫ କରିବାକୁ ଯୋଜନା ଚଳାଇଛି। ଏ ପର୍ଯ୍ୟନ୍ତ ଏହି ମାମଲାରେ ପୁଲିସ ୭ଟି ମାମଲା ରୁଜୁ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତକାଲି ରାତିରେ ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ମୁକାବିଲା କରି ନପାରି ଫେରିଯାଇଥିଲା। କିନ୍ତୁ ଆଜି ସକାଳୁ ପୁଣି ନଗର ଲୋକେ ରାସ୍ତା ଉପରକୁ ଆସି ସରକନ୍ତରା-ଡୁମୁଡୁମା ରାସ୍ତାକୁ ବନ୍ଦ କରିଥିଲେ। ଶହଶହ ମହିଳା ଓ ପୁରୁଷ ରାସ୍ତା ଅବରୋଧ କରିଥିଲେ। ଗଣ୍ତଗୋଳର ମୁଖ୍ୟ କାରଣ ଅଗ୍ନି, ଆକାଶ ଓ ବଳିଆ ଗିରଫ ନ ହେବା ପର୍ଯ୍ୟନ୍ତ ସେମାନଙ୍କ ଆନ୍ଦୋଳନ ଜାରି ରହିବ ବୋଲି ଜିଦ୍‌ ଧରିଥିଲେ। ଖବର ପାଇ ଖଣ୍ତଗିରି ଥାନା ପୁଲିସ ୫ ପ୍ଲାଟୁନ୍‌ ଫୋର୍ସ ନେଇ ପୂରା ପ୍ରସ୍ତୁତିରେ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସକୁ ଦେଖି ପୁରୁଷ ଲୋକମାନେ ପଛକୁ ହଟିଯାଇଥିଲେ ବି ମହିଳାମାନେ ହଟିନଥିଲେ। ପଛକୁ ହଟି ଯାଇଥିବା ପୁରୁଷମାନେ ମୁକାବିଲା ପାଇଁ ତୟାର‌୍‌ ହୋଇପଡ଼ିଥିଲେ। ପରିସ୍ଥିତି ପୁଣି ଜନତା-ପୁଲିସ ଖଣ୍ତଯୁଦ୍ଧ ଆଡ଼କୁ ମୁହାଁଇଥିଲା। କିନ୍ତୁ ଖଣ୍ତଗିରି ଅଞ୍ଚଳର ୪ ଜଣ କର୍ପୋରେଟର ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାଶୁଝା କରିଥିଲେ। ଆଇନକୁ ତା ବାଟରେ ଯିବାକୁ ଦେଇ ଶାନ୍ତି ବଜାୟ ରଖିବାକୁ ଆଲୋଚନା କରାଯାଇଥିଲା। ଲୋକଙ୍କ ଦାବି ଅନୁସାରେ ପୁଲିସ ତୁରନ୍ତ ଅଗ୍ନିକୁ ଗିରଫ କରିଥିଲା। ଆକାଶ ଓ ବଳିଆକୁ ମଧ୍ୟ ଗିରଫ କରାଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେଇଥିଲା। ସେହିଭଳି ପୁଲିସକୁ ଆକ୍ରମଣ କରିଥିବା ଓ ଦୋକାନ ପୋଡ଼ାଜଳା କରିଥିବା ଗଣ୍ତଗୋଳକାରୀଙ୍କୁ ଆଇନ ଅନୁସାରେ ଗିରଫ କରାଯିବ ବୋଲି ଆଲୋଚନାରେ ସ୍ଥିର ହୋଇଥିଲା। ପୁଣି ଯେମିତି ଗଣ୍ତଗୋଳ ନ ହୁଏ, ସେଥିପାଇଁ ପୁଲିସ ମୁତୟନ ରହିବାକୁ ସ୍ଥିର କରାଯାଇଥିଲା। ଫଳରେ ସନ୍ଧ୍ୟାରେ ବ୍ୟବସାୟୀମାନେ ଦୋକାନ ବଜାର ଖୋଲିଥିଲେ। ଆଜି ସନ୍ଧ୍ୟାରେ ପୁଲିସ କମିସନର ଓ ଡିସିପି ଖଣ୍ତଗିରି ଥାନାରେ ପହଞ୍ଚି ଏସିପି ଓ ଆଇଆଇସିଙ୍କ ସହ ପରିସ୍ଥିତିର ସମୀକ୍ଷା କରିଥିଲେ। ଗଣ୍ତଗୋଳକାରୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିପି ସତ୍ୟଜିତ୍‌ ମହାନ୍ତି କହିଛନ୍ତି। ପୁଲିସ ନିଜ ଆଡ଼ୁ ମାମଲା ସହ ମୋଟ୍‌ ୭ଟି ମାମଲା ରୁଜ୍ଜୁ କରିଛି। ଗିରଫ କରାଯାଇଥିବା ଆହତ ଅଗ୍ନିକୁ ପୁଲିସ ମେଡିକାଲରେ ଭର୍ତି କରିଛି ଓ ଆସନ୍ତାକାଲି ମେଡିକାଲ ରିପୋର୍ଟ ଅନୁସାରେ ତାକୁ କୋର୍ଟ ଚାଲାଣ କରାଯାଇପାରେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ ଜେଲ୍‌ ଫେରନ୍ତା ଦୁଇ ଭାଇ ଆକାଶ, ଅଗ୍ନି, ବଳିଆକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଶନିବାର ସନ୍ଧ୍ୟାରେ ରଘୁନାଥନଗର ଲୋକେ ଗଣ୍ତଗୋଳବେଳେ ଅଗ୍ନିକୁ କାବୁ କରି ବହେ ଛେଚିବା ପରେ ପୁଲିସ ଜିମା ଦେଇଥିଲେ। ଗୁରୁତର ଆହତ ଅଗ୍ନିକୁ ପୁଲିସ ହସ୍ପିଟାଲରେ ଚିକିତ୍ସିତ କରାଇବା ପରେ ତା ମା’ଙ୍କ ଜିମା ଦେଇଥିଲା। ସେ ସୁସ୍ଥ ହେବା ପରେ ପୁଣି ଥାନାରେ ହାଜର କରାଇବାକୁ ନୋଟିସ୍‌ କରାଯାଇଥିଲା। କିନ୍ତୁ ଏହି ଘଟଣା ରଘୁନାଥନଗର ଲୋକଙ୍କୁ କ୍ଷୁବ୍‌ଧ କରିଥିଲା। ପୁଲିସ ଜଣେ ଅପରାଧୀକୁ ଛାଡ଼ି ଦେଲା ବୋଲି ପ୍ରଚାର ହୋଇଗଲା। ଏ ପଟେ ରବିବାର ରାତିରେ ବଳିଆ ବାପା ଟୁଟୁଙ୍କ ହୋଟେଲରେ ପଶି ରଘୁନାଥନଗରର କିଛି ଯୁବକ ଭଙ୍ଗାରୁଜା କରିଥିଲେ। ଏହାର ଜବାବ୍‌ ଦେବାକୁ ଯାଇ ରବିବାର ସନ୍ଧ୍ୟାରେ ବଳିଆ ଓ ଆକାଶ ମିଶି ରଘୁନାଥନଗରର ଦୁଇଟି ଦୋକାନ ଉପରେ ବୋମାମାଡ଼ କରି ଫେରାର‌୍‌ ହୋଇଯାଇଥିଲେ। ଫଳରେ ରଘୁନାଥନଗର ଲୋକେ ଅଧିକ କ୍ରୋଧାନ୍ବିତ ହୋଇ ବଳିଆ ହୋଟେଲକୁ ଜାଳି ଦେବା ସହ ପୁଲିସକୁ ଆକ୍ରମଣ କରିଥିଲେ।

ସମ୍ବନ୍ଧିତ ଖବର