ବିଜେବି ଛାତ୍ରୀ ନିବାସରେ ରାଗିଂ! ରଶି ଲଗାଇ ଝୁଲିପଡ଼ିଲେ ରୁଚିକା

ସୁଇସାଇଡ୍‌ ନୋଟ୍‌ ଜବତ, ପୁଲିସର ଛାନ୍‌ଭିନ୍ ଜାରି

ଭୁବନେଶ୍ବର : ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ‌ର ଯୁକ୍ତ ୩ ପ୍ରଥମ ବର୍ଷ କଳା ଛାତ୍ରୀ କଟକ ଆଠଗଡ଼ର ରୁଚିକା ମହାନ୍ତି ଶନିବାର ପୂର୍ବାହ୍ନରେ କାରୁବାକୀ ଛାତ୍ରୀନିବାସରେ ଆତ୍ମହତ୍ୟା କରିଛନ୍ତି। ବେକରେ ରଶି ବାନ୍ଧି ସେ ଆତ୍ମହତ୍ୟା କରିଛନ୍ତି। ୩ ସିନିୟର୍‌ ଛାତ୍ରୀଙ୍କ ମାନସିକ ନିର୍ଯାତନା ଅସହ୍ୟ ହେବାରୁ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି ବୋଲି ରୁଚିକାଙ୍କ ପକେଟ୍‌ରୁ ପୁଲିସ କରିଥିବା ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ ଥିବା ଜଣାପଡ଼ିଛି। ରାଗିଂ ଭଳି ସଂଗିନ୍‌ ଅଭିଯୋଗ ପ୍ରସଙ୍ଗ ଉଠିବା ପରେ ବଡ଼ଗଡ଼ ଥାନା ପୁଲିସ ଘଟଣାକୁ ଗୁରୁତ୍ବର ସହ ନେଇ ଛାନ୍‌ଭିନ୍ ଆରମ୍ଭ କରିଛି। ରୁଚିକାଙ୍କ ମା’ ବିଦ୍ୟୁତ୍‌ପ୍ରଭା ମହାନ୍ତି ମଧ୍ୟ କଲେଜ ହଷ୍ଟେଲ୍‌ରେ ଚାଲିଥିବା ରାଗିଂ ପାଇଁ ତାଙ୍କ ଝିଅର ଜୀବନ ଯାଇଛି ବୋଲି ଏତଲା ଦେଇଛନ୍ତି ଓ ଦୋଷୀ ଛାତ୍ରୀମାନଙ୍କୁ ଠାବ କରି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେହିଭଳି ବିଜେବି କଲେଜରେ ଏଭଳି ସମ୍ବେଦନଶୀଳ ମାମଲା ହୋଇଥିବାରୁ ବିଭିନ୍ନ ସାମାଜିକ ସଂଗଠନ ମଧ୍ୟ ଉପଯୁକ୍ତ ତଦନ୍ତ ଦାବି କରିଛନ୍ତି। ଅପରପକ୍ଷେ ଆଜି ଶବ ବ୍ୟବଚ୍ଛେଦ ପରେ ଏକ ଶୋକାକୁଳ ପରିବେଶରେ ଗାଁ ମଶାଣିରେ ରୁଚିକାଙ୍କ ଅନ୍ତିମ ସଂସ୍କାର କରାଯାଇଛି।

ସୁଇସାଇଡ୍‌ ନୋଟ୍‌ରୁ…
ମୁଁ ଜୀବନରେ ବହୁତ ଥକି ଗଲିଣି। ମୋ ବାପା ବୋଉ ଏତେ କଷ୍ଟ କରି ମୋତେ ପାଠ ପଢ଼େଇଲେ। ମୋ ପାଠପଢ଼ା ପାଇଁ ଆମ ଘରର ଲୋକଙ୍କ ଚଳିବା କଷ୍ଟକର ହୋଇପଡ଼ିଛି। ହେଲେ ହଷ୍ଟେଲରେ ମୋତେ ସିନିୟର୍‌ମାନେ ବହୁତ ଟର୍ଚର କଲେ। ୩ ଜଣ ସିନିୟର୍ ମୋତେ ମେଣ୍ଟାଲି କଷ୍ଟ ଦେଲେ। ଆଉ ସହିପାରିଲିନି। କି ଘରେ ବି କହିପାରିଲିନି….।

ଛାତ୍ରୀନିବାସର ଅନ୍ତେବାସୀ, ସହପାଠୀ ଓ କଲେଜ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ ଶନିବାର ଦିନ ରୁଚିକା କ୍ଲାସ୍ ଯାଇନଥିଲେ। ପ୍ରାୟ ୧୧ଟା ବେଳେ ତାଙ୍କୁ ରୁମ୍‌ମେଟ୍‌ମାନେ କ୍ଲାସ୍‌ରୁ ଫେରି ରୁଚିକାଙ୍କୁ ଡାକିଥିଲେ। ମାତ୍ର ରୁଚିକା ରୁମ୍‌ କବାଟ ଖୋଲିନଥିଲେ କି ଭିତରୁ କିଛି ଜବାବ୍ ଦେଇନଥିଲେ। ସନ୍ଦେହ କରି ସେମାନେ ୱାର୍ଡେନ୍‌ଙ୍କୁ ଖବର ଦେଇଥିଲେ। ଖବର ପାଇ ୱାର୍ଡେନ୍‌ ଓ କଲେଜ ଅଧ୍ୟାପିକା ସେଠାରେ ପହଞ୍ଚିଥିଲେ। ସେମାନେ ଝରକା ବାଟେ ଦେଖିଥିଲେ ଯେ ରୁଚିକା ଖଟରେ ମୁହଁ ମାଡ଼ି ପଡ଼ିଛନ୍ତି। ଏନେଇ ତୁରନ୍ତ ବଡ଼ଗଡ଼ ଥାନାକୁ ଖବର ଦିଆଯାଇଥିଲା। ପୁଲିସ ସେଠାରେ ପହଞ୍ଚି ଶାବଳରେ କବାଟ ତାଡ଼ି ଭିତରକୁ ପଶିଥିଲା। କିନ୍ତୁ ସେତେବେଳକୁ ରୁଚିକାଙ୍କ ମୃତ୍ୟୁ ହୋଇସାରିଥିଲା। ପୁଲିସ୍‌ ଓ ଫରେନ୍‌ସିକ୍‌ ଟିମ୍ ଯାଞ୍ଚ କଲାବେଳେ ରୁଚିକାଙ୍କ ବେକରେ ଏକ ପ୍ଲାଷ୍ଟିକ୍ ରଶି ଲାଗିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ରୁଚିକାଙ୍କ ମା’ ବିଦ୍ୟୁତ୍‌ପ୍ରଭା ଓ ସମ୍ପର୍କୀୟମାନେ ସେଠାରେ ପହଞ୍ଚିବା ପରେ ପୁଲିସ ଶବ ଜବତ କରିଥିଲା। ଏହି ସମୟରେ ତାଙ୍କ ପକେଟ୍‌ରୁ ଏକ ସୁଇସାଇଡ୍‌ ନୋଟ୍ ମିଳିଥିଲା।

ବଡ଼ଗଡ଼ ଥାନା ପୁଲିସ ସୂଚନାନୁସାରେ ରୁଚିକା ଆଜି ପୂର୍ବାହ୍ନ ୧୦ଟା ବେଳେ ମା’ଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ସେତେବେଳେ ସେ ଆତ୍ମହତ୍ୟା କରିବା ବା ରାଗିଂକୁ ନେଇ ମାନସିକ ଚାପରେ ଥିବା କଥା କହି ନଥିଲେ। ରୁଚିକାଙ୍କ ପାଖରୁ ଜବତ ହୋଇଥିବା ସୁଇସାଇଡ୍‌ ନୋଟ୍‌କୁ ହ୍ୟାଣ୍ଡ୍ ରାଇଟିଂ ବ୍ୟୁରୋକୁ ପଠାଯିବ। ତାଙ୍କର ଭିସେରା ପରୀକ୍ଷା ମଧ୍ୟ କରାଯିବ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ପୁଲିସ କହିଛି। ରାଗିଂ ବାବଦରେ ଖୋଳତାଡ଼ ଆରମ୍ଭ ହୋଇଛି ଓ ତଦନ୍ତ ପରେ ହିଁ ଏହି ଅଭିଯୋଗ ଉପରେ ସ୍ପଷ୍ଟ ହେବ ବୋଲି ପୁଲିସ ସୂଚନା ଦେଇଛି।

୩ ସିନିୟର୍ କିଏ?
ରୁଚିକାର ଜଣେ ସହପାଠୀ ନାମ ଗୋପନ ରଖିବା ସୂତ୍ରରେ କହିଛନ୍ତି ଯେ ଛାତ୍ରୀନିବାସରେ ରହୁଥିବା ବିଜ୍ଞାନ ବିଭାଗର କିଛି ଛାତ୍ରୀ ତାଙ୍କୁ ହଇରାଣ କରୁଥିଲେ। ଏହାକୁ ନେଇ ସେ ବହୁତ ଚିନ୍ତିତ ଥିଲେ। ସୁଇସାଇଡ୍‌ ନୋଟ୍‌ରେ ମଧ୍ୟ ୩ଜଣ ସିନିୟର୍‌ଙ୍କ କଥା ରହିଛି। ମାତ୍ର କାହାରି ନାଁ ନାହିଁ। ତେବେ ପୁଲିସ ରୁଚିକାଙ୍କର ସହପାଠୀ ଓ ଛାତ୍ରୀନିବାସର ଦ୍ବିତୀୟ, ତୃତୀୟ ବିଭାଗର ଛାତ୍ରୀଙ୍କୁ ଜେରା କରିବା ଆରମ୍ଭ କରିଛି। ଅପରପଟେ ରୁଚିକାଙ୍କ ମା’ କହିଛନ୍ତି ‌ଯେ କିଛିଦିନ ତଳେ ସେଠାରେ ଫ୍ରେସର୍ ପାର୍ଟି ହେଉଥିଲା। ମାତ୍ର ସିନିୟର୍‌ମାନେ ନିଜର ଦବ୍‌ଦବା ଜାହିର୍ କରିବା ପାଇଁ ଅଧାରୁ ପାର୍ଟି ବନ୍ଦ କରିଦେଲେ। ଉକ୍ତ ଫ୍ରେସର୍ ପାର୍ଟି ପରଠାରୁ ରୁଚିକା ଛାତ୍ରୀନିବାସର କିଛି ସିନିୟର୍‌ଙ୍କ ଆକ୍ରୋଶରେ ଥିଲେ। ସେଥିପାଇଁ ନିୟମିତ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିଲା। ସେ ଯେମିତି ଏଘଟଣା ବାହାରେ ପ୍ରଘଟ ନ କରିବେ, ସେଥିପାଇଁ ଧମକ ମଧ୍ୟ ଦିଆଯାଇଥିଲା। ତେଣୁ ଭୟରେ ରୁଚିକା ଏନେଇ କାହାକୁ କହିନଥିବା ମା’ ପୁଲିସକୁ କହିଛନ୍ତି।

ଅଜଣା ସିନିୟର୍‌ଙ୍କ ବିରୋଧରେ ମାମଲା ରୁଜୁ କଲା ପୁଲିସ
ସୁଇସାଇଡ୍‌ ନୋଟ୍‌ ଓ ମା’ ବିଦ୍ୟୁତ୍‌ପ୍ରଭାଙ୍କ ଅଭିଯୋଗକୁ ନେଇ ବଡ଼ଗଡ଼ ଥାନା ପୁଲିସ ମାମଲା ରୁଜୁ କରିଛି। ମାତ୍ର ସୁଇସାଇଡ୍ ନୋଟ୍‌ରେ କାହାର ନାଁ ନଥିବାରୁ ପୁଲିସ ଅଜଣା ସିନିୟର୍‌ଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏ ନେଇ ଜୋନ୍ ଏସିପି ପରେଶ କୁମାର ରାଉତ କହିଛନ୍ତି ‌ଯେ ଆଇପିସି ୩୦୬ ଓ ୩୪ରେ ଆପରାଧିକ ମାମଲା ରୁଜୁ କରାଯାଇଛି। ରୁଚିକାଙ୍କୁ କେଉଁମାନେ ରାଗିଂ କରି ମାନସିକ ନିର୍ଯାତନା ଦେଇଥିଲେ, ହଷ୍ଟେଲ୍‌ର ଛାତ୍ରୀ ଓ ତାଙ୍କ ସହପାଠୀଙ୍କୁ ଜେରା କରିବା ପରେ ସ୍ପଷ୍ଟ ହେବ। ବର୍ତ୍ତମାନ ଏ ଘଟଣାରେ କାହାକୁ ଦୋଷାରୋପ କରିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି।

ତଦନ୍ତ ହେବ: ହଷ୍ଟେଲ ସୁପରିଟେଣ୍ଡେଣ୍ଟ୍
ହଷ୍ଟେଲ୍‌ ସୁପରିନ୍‌ଟେଣ୍ଡେଣ୍ଟ୍ କହିଛନ୍ତି, ରାଗିଂକୁ ନେଇ କୌଣସି ଅଭିଯୋଗ ଆସିନି। ତେବେ ଏ ଘଟଣା ସାମ୍ନାକୁ ଆସିବା ପରେ କଲେଜରେ ଆଭ୍ୟନ୍ତରୀଣ ତଦନ୍ତ ହେବ। କାହାର ସଂପୃକ୍ତି ଥିବା ଜଣାପଡ଼ିଲେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

କାର୍ଯ୍ୟାନୁଷ୍ଠାନ ଦାବି କଲା ବିଭିନ୍ନ ସଂଗଠନ
ଏସଂପର୍କରେ ରାଗିଂ ମୁକ୍ତ କ୍ୟାମ୍ପସ ଅଭିଯାନ(ଆର୍‌ଏଫ୍‌ସିଏ)ର ଆବାହକ ତେଜେଶ୍ବର ପରିଡ଼ା ଏହି ଘଟଣାର କ୍ରାଇମବ୍ରାଞ୍ଚ୍ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ଶ୍ରୀ ପରିଡ଼ା ଦାବି କରିଛନ୍ତି। ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କେରଳ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଏବଂ ଜାମ୍ମୁ, କାଶ୍ମୀର ଭଳି ଓଡ଼ିଶାରେ ମଧ୍ୟ ‘ଦ ଓଡ଼ିଶା ପ୍ରୋହିବିସନ ଅଫ୍ ରାଗିଂ ଆକ୍ଟ’ ଅଣାଯାଉ ବୋଲି ସେ କହିଛନ୍ତି। ଏହାସହ ରାଜ୍ୟସ୍ତରରେ ଆଣ୍ଟି ରାଗିଂ ଟାସ୍କଫୋର୍ସ ଗଠନ ତଥା ମାନବାଧିକାର ସୁରକ୍ଷା ସେଲ୍‌ରେ ୨୪ ଘଣ୍ଟିଆ ଆଣ୍ଟି-ରାଗିଂ ହେଲ୍ପଲାଇନ୍‌ ଆରମ୍ଭ କରିବାକୁ ଦାବି ହୋଇଛି। ସେହିଭଳି ଏହି ଆତ୍ମହତ୍ୟା ଘଟଣାରେ ହଷ୍ଟେଲ୍‌ର ୱାର୍ଡେନ୍, ସୁପରିନ୍‌ଟେଣ୍ଡେଣ୍ଟ ଓ ସିନିୟର୍‌ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅଭିଭାବକ ମହାସଂଘର ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ ଦାବି କରିଛନ୍ତି। ସିନିୟରଙ୍କ ମାନସିକ ନିର୍ଯାତନା, ଅନେକ ସମୟରେ ହଷ୍ଟେଲ ଵାର୍ଡେନ୍‌ଙ୍କ ମାତ୍ରାଧିକ ଚାପ ଓ ଦୁର୍ବ୍ୟବହାର ମଧ୍ୟ ଏଥିପାଇଁ ଦାୟୀ। ଏଥିପାଇଁ ଆଇଏଏସ୍‌ ହେବାର ସ୍ବପ୍ନ ଦେଖୁଥିବା ଜଣେ ମେଧାବୀ ଛାତ୍ରୀଙ୍କ ଜୀବନ ଚାଲିଗଲା ବୋଲି ମହାସଂଘ କହିଛି। ନବନିର୍ମାଣ ଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନଵର୍‌ ଅଲ୍ଲୀ ମଧ୍ୟ ଏହି ଘଟଣାକୁ ତୀବ୍ର ନିନ୍ଦା କରି ଦାୟୀ ଛାତ୍ରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ‌ସେହିପରି ଉତ୍କଳ ଅଭିଭାବକ ମହାସଂଘ ଏହି ଘଟଣାକୁ ନିନ୍ଦା କରି କଲେଜ ଅଧ୍ୟକ୍ଷଙ୍କ ବହିଷ୍କାର ଦାବି କରିଛି।

ସମ୍ବନ୍ଧିତ ଖବର