ଆସୁଛନ୍ତି ରାହୁଲ, ସଜେଇ ହେଇଛି ତମାଣ୍ଡୋ ମିନି ଷ୍ଟାଡିୟମ୍‌

ଖଣ୍ଡଗିରି: ଆଜି ତମାଣ୍ଡୋ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧୀ। ତମାଣ୍ଡୋ ମିନି ଷ୍ଟାଡିୟମ୍‌ରେ ଦଳ ପକ୍ଷରୁ ଆୟୋଜନ କରାଯାଇଥିବା ପରିବର୍ତ୍ତନ ସଂକଳ୍ପ ସମାବେଶରେ ସେ ଉଦ୍‌ବୋଧନ ଦେବେ। ଏଥିପାଇଁ ତମାଣ୍ଡୋ ମିନି ଷ୍ଟାଡିୟମ୍‌ରେ ସଭାମଞ୍ଚ ଓ ସଭାସ୍ଥଳକୁ ସଜାଇ ଦିଆଯାଇଛି। ପାଚେରି କଡ଼େ କଡ଼େ ରାହୁଲ୍‌ ଗାନ୍ଧୀଙ୍କ ସମେତ ପିସିସି ସଭାପତି ନିରଂଜନ ପଟ୍ଟନାୟକ ପୂର୍ଣ ଆବୟବ କଟିଙ୍ଗ୍‌ ଲଗାଯାଇଛି। ମିନି ଷ୍ଟାଡିୟମ୍‌ରେ ସଭା ହେବା ନିଷ୍ପତ୍ତି ପରଠାରୁ ଏଠାରେ ଡେରା ପକାଇ ରହିଛନ୍ତି ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ। ମଞ୍ଚ ପ୍ରସ୍ତୁତିର ସବୁ କାମ ତାଙ୍କ ନିର୍ଦେଶରେ ହିଁ ଚାଲିଛି। ଆଜି ଦିନ ତମାମ୍‌ କଂଗ୍ରେସର ପ୍ରାୟ ସବୁ ପ୍ରମୁଖ ନେତୃମଣ୍ଡଳୀ ତମାଣ୍ଡୋ ଆସି ସଭାସ୍ଥଳ ବୁଲି ଦେଖିଛନ୍ତି। ଶ୍ରୀ ପଟ୍ଟନାୟକଙ୍କ ସମେତ ପ୍ରଭାରୀ ଯୋଗେନ୍ଦ୍ର ସିଂହ, ରାମଚନ୍ଦ୍ର ଖୁଣ୍ଟିଆ, ଶରତ ପଟ୍ଟନାୟକଙ୍କ ଭଳି ନେତାମାନେ ଆଜି ପର୍ଯ୍ୟାୟକ୍ରମେ ତମାଣ୍ଡୋ ମିନିଷ୍ଟାଡିୟମ୍‌ ବୁଲି ସଭାସ୍ଥଳ ତଦାରଖ କରିଛନ୍ତି। ସଭାସ୍ଥଳରୁ ଅନତି ଦୂରରେ ତମାଣ୍ଡୋ କ୍ରିକେଟ୍‌ ଗ୍ରାଉଣ୍ଡରେ ସବୁ ଗାଡ଼ି ପାର୍କିଂ କରାଯିବ। ଏଥି ସହିତ ତମାଣ୍ଡୋ ମେଳଣ ପଡ଼ିଆ, କାଶୀପୁର ମେଳଣ ପଡ଼ିଆ ଓ ଅନ୍ୟ ଖୋଲା ପଡ଼ିଆରେ ମଧ୍ୟ ଗାଡ଼ି ପାର୍କିଂ କରାଯିବ। ତେଣୁ ନେତାମାନେ ସମସ୍ତ ଗାଡ଼ି ପାର୍କିଂ ସ୍ଥଳ ମଧ୍ୟ ବୁଲି ଦେଖିଛନ୍ତି। ସଭାକୁ ଆସୁଥିବା କର୍ମୀମାନେ ଯେମିତି କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ସ୍ବେଚ୍ଛାସେବୀମାନେ ପ୍ରସ୍ତୁତ ହୋଇ ଅଛନ୍ତି। ମିନି ଷ୍ଟାଡିୟମକୁ ପ୍ରବେଶ କରାଇବା ଓ ସେମାନଙ୍କ ଭଲମନ୍ଦ ବୁଝିବା ପାଇଁ ପ୍ରାୟ ଦୁଇ ଶହ ଯୁବ କଂଗ୍ରେସ କର୍ମୀ ପ୍ରସ୍ତୁତ ହୋଇ ରହିଥିବା ସୂଚନା ମିଳିଛି। ବଡ଼ କଥା ହେଉଛି ତମାଣ୍ଡୋ ବଜାର ଆଜିଠାରୁ ଚଳଚଞ୍ଚଳ ହୋଇପଡ଼ିଛି। ଜଳଖିଆ ଓ ହୋଟେଲଗୁଡ଼ିକ ଭଲ ବେପାର କରିବା ଲକ୍ଷ୍ୟରେ ପ୍ରସ୍ତୁତ ହୋଇ ରହିଛନ୍ତି। ସେହିଭଳି ଉଠା ଜଳଖିଆ ଦୋକାନୀମାନେ ମଧ୍ୟ ଯଥେଷ୍ଟ ଖାଦ୍ୟ ପଦାର୍ଥ ବିକିବା ଲକ୍ଷ୍ୟରେ ଅଛନ୍ତି। ଖରାବେଳେ ବନ୍ଦ ହୋଇଯାଉଥିବା ତମାଣ୍ଡୋ ବଜାର ଆସନ୍ତାକାଲି ଦିନ ତମାମ୍ ଖୋଲା ରହିବ ବୋଲି ବ୍ୟବସାୟୀମାନେ କହିଛନ୍ତି। ରାହୁଲ୍‌ଙ୍କୁ ପାଖରୁ ଦେଖିବା ପାଇଁ ଆଖପାଖ ଗାଁର ଲୋକଙ୍କ ଭିତରେ ମଧ୍ୟ ପ୍ରବଳ ଆଗ୍ରହ ସୃଷ୍ଟି ହୋଇଛି। ତେଣୁ ବାହାର ଲୋକଙ୍କ ସହ ସ୍ଥାନୀୟ ଲୋକଙ୍କ ଭିଡ଼ ମଧ୍ୟ ବେଶ୍ ଜମିବ ବୋଲି ପ୍ରାକ୍ ସୂଚନା ମିଳୁଛି।

ସୁରକ୍ଷା ପାଇଁ ୩୦ ପ୍ଲାଟୁନ୍‌ ଫୋର୍ସ
ରାହୁଲଙ୍କ ଗସ୍ତକୁ ନେଇ ତତ୍ପର ହୋଇଛି କମିସନରେଟ୍‌ ପୁଲିସ। ରାହୁଲଙ୍କୁ ଜେଡ୍‌ ପ୍ଲସ ଓ ଏସ୍‌ପିଜି ସୁରକ୍ଷା ଯୋଗାଇ ଦିଆଯାଉଥିବାରୁ କମିସନରେଟ୍‌ ପୁଲିସ କେବଳ ବାହ୍ୟ ସୁରକ୍ଷା ପାଇଁ ବ୍ୟବସ୍ଥା କରିଛି। ତାଙ୍କର ଚୂଡ଼ାନ୍ତ ଗସ୍ତସୂଚୀ ପହଞ୍ଚିବା ପରେ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ଆଜି ତମାଣ୍ଡୋସ୍ଥିତ ସଭାସ୍ଥଳ ବୁଲି ଦେଖିଛନ୍ତି। ବାହାରେ କଡ଼ା ସୁରକ୍ଷା ପାଇଁ ୩୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବାକୁ ଯାଉଥିବା ସେ ସୂଚନା ଦେଇଛନ୍ତି। ଗତକାଲି କମିସନରେଟ୍‌ ପୁଲିସର ଅତିରିକ୍ତ ଆୟୁକ୍ତ ସଞ୍ଜୟ କୁମାର ସିଂହ ଘଟଣାସ୍ଥଳ ଅନୁଧ୍ୟାନ କରିଥିବା ବେଳେ ଡିଜିଙ୍କ ସମେତ ପୁଲିସ କମିସନର, ଡିସିପି ପ୍ରମୁଖ ଦୀର୍ଘ ଏକଘଣ୍ଟା କାଳ ସଭାସ୍ଥଳ ଅନୁଧ୍ୟାନ କରିଥିଲେ। ରାହୁଲଙ୍କ ସମସ୍ତ କାର୍ଯ୍ୟକ୍ରମରେ ଯେଭଳି ଶୃଙ୍ଖଳିତ ଭାବରେ ହୁଏ ସେଥିପାଇଁ ପୁଲିସ ବିଭାଗକୁ ତତ୍ପର ରହିବା ପାଇଁ ଚିଠି ଆସିଛି। ପୁଲିସ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି ପୁଲିସ ଡିଜି ଡା. ଶର୍ମା।

ସମ୍ବନ୍ଧିତ ଖବର