ଭୁବନେଶ୍ବର: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଭୁବନେଶ୍ବର ଆସୁଛନ୍ତି। ଏଥି ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଜଣେ ଆଇଜି ଓ ୨ ଡିଆଇଜି ରୢାଙ୍କର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ଡିସିପି ରୢାଙ୍କର ୪ ଜଣ, ଏଡିସିପି ରୢାଙ୍କର ୧୦ଜଣ ଓ ଏସ୍ପି ରୢାଙ୍କର ୨୫ ଜଣ ଅଧିକାରୀ ଦାୟିତ୍ବରେ ରହିବେ। ଏହାଛଡ଼ା ଇନ୍ସପେକ୍ଟର ରୢାଙ୍କର ୩୫, ୧୭୦ ଏସ୍ଆଇ/ଏଏସ୍ଆଇ, ୨୧୨ ଏସ ଆଇ, ଏଏସ୍ ଆଇ, ୧୫୮ ଜଣ ହାବିଲଦାର, ୯୪ ଜଣ ଏପିଆର୍ କନେଷ୍ଟବଳ ବି ନିୟୋଜିତ ହେବେ। ମୋଟ ୫୩ ପ୍ଲାଟୁନ ପୁଲିସ ଫୋର୍ସ, ଏସ୍ଟିୟୁ, ଡଗ୍ ସ୍କାଡ୍, ବୋମା ନିଷ୍କ୍ରିୟ କାରୀ ଟିମ୍ ମୁତୟନ ହେବେ। ୧୧୧ ଜଣ ମହିଳା କନେଷ୍ଟବଳ ଓ ୯୪ ଜଣ ହୋମଗାର୍ଡ ସୁରକ୍ଷା ଦାୟିତ୍ବରେ ରହିବେ।
ବିମାନବନ୍ଦରରୁ ବରମୁଣ୍ଡା ପଡ଼ିଆ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ବ୍ୟାରିକେଡ୍ କରାଯିବା ସହ ପୁଲିସ ଛାଉଣି କରାଯିବ। ଉଭୟ ପାର୍ଶ୍ବର ସମସ୍ତ ବଡ଼ ବଡ଼ ବିଲ୍ଡିଂ ଠାରୁ ଆରମ୍ଭ କରି ମାର୍କେଟ୍ କମ୍ପ୍ଲେକ୍ସକୁ ସ୍ବତନ୍ତ୍ର ଗାଇଡ୍ଲାଇନ୍ ଜାରି କରାଯାଇଛି। ବିମାନବନ୍ଦରରୁ ଉତ୍ସବସ୍ଥଳ ସମଗ୍ର ଅଞ୍ଚଳ ସିସିଟିଭି ନଜରରେ ରହିଛି। କଣ୍ଟ୍ରୋଲ୍ରୁମ୍ରୁ ଜଣେ ଡିଏସ୍ପି ରୢାଙ୍କର ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ୍ ପ୍ରତିଟି ଗତିବିଧି ଉପରେ ନଜର ରଖିବ। ରହୁଲ୍ଙ୍କ ସୁରକ୍ଷା ଦାୟିତ୍ବରେ ଥିବା ସିଆର୍ପିଏଫ୍ ଟିମ୍ ସହ କମିସନରେଟ୍ ପୁଲିସ, ବିମାନବନ୍ଦର କର୍ତ୍ତୃପକ୍ଷ, ଟ୍ରାଫିକ୍ ଵିଙ୍ଗ୍, ସିକ୍ୟୁରିଟି ଵିଙ୍ଗ୍, ଇଣ୍ଟେଲିଜେନ୍ସ ଵିଙ୍ଗ୍ ଓ କାରକେଡ୍ ସହ ରହିବାକୁ ଥିବା ବାଟାଲିୟନ୍ର ଅଫିସର ପୂରା ପ୍ରସ୍ତୁତି ଉପରେ ନଜର ରଖିଛନ୍ତି। ସେହିପରି ଅଗ୍ନିଶମ ବିଭାଗ ମଧ୍ୟ ଯେକୌଣସି ସ୍ଥିତର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି। ଏନେଇ ଆଜି ଅପରାହ୍ଣରେ କାର୍କେଡ୍ ରିହଲର୍ସାଲ୍ ମଧ୍ୟ ସରିଛି।
ଅନ୍ୟପଟେ ଶୁକ୍ରବାର ଦିନ ୧୦ଟାରୁ ଅପରାହ୍ଣ ୫ଟା ମଧ୍ୟରେ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ଦିନ ୧୦ଟାରୁ ୧୨ଟା ମଧ୍ୟରେ ବିମାନବନ୍ଦରରୁ ଜୟଦେବବିହାର ଛକ ଏବଂ ଏହାର ବିପରୀତ ଦିଗରେ ଭିଡ଼ ରହିବ। ସେହିପରି ଅପରାହ୍ଣ୧.୩୦ରୁ ୨ଟା ପର୍ଯ୍ୟନ୍ତ ବରମୁଣ୍ଡାଛକରୁ ହୋଟେଲ୍ ମେ’ଫେୟାର, ଅପରାହ୍ଣ ୩ଟାରୁ ୩.୩୦ ପର୍ଯ୍ୟନ୍ତ ହୋଟେଲ୍ ମେ’ଫେୟାରରୁ ମାଷ୍ଟରକ୍ୟାଣ୍ଟିନ୍ ଏବଂ ଅପରାହ୍ଣ ୪ଟାରୁ ୫ଟା ପର୍ଯ୍ୟନ୍ତ ମାଷ୍ଟରକ୍ୟାଣ୍ଟିନ୍ରୁ ବିମାନବନ୍ଦର ରାସ୍ତର ଉଭୟପାଶ୍ବରେ ଭିଡ଼ଜମିବ। ତେଣୁ ଏହି ସମୟରେ ଜନସାଧାରଣ ଏହି ରାସ୍ତାରେ ଯାତାୟତ ନକରିବା ପାଇଁ କମିସନରେଟ୍ ଟ୍ରାଫିକ୍ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି।