ବେଶ୍ୟାଳୟ ଘୋଷଣା ହେବ ୧୨ ଘର

କମିସନରେଟ ଅଞ୍ଚଳରୁ ସେକ୍ସ ର‍୍ୟାକେଟ୍‌ ଧରାପଡ଼ିବା ଘଟଣା

ଭୁବନେଶ୍ୱର: ଗତ ଦେଢ଼ ବର୍ଷ ମଧ୍ୟରେ କମିସନରେଟ୍‌ ପୁଲିସ ଅଧୀନରେ ଧରାପଡ଼ିଥିବା ସେକ୍ସ ର‍୍ୟାକେଟ୍‌ କାରବାର ଘରଗୁଡ଼ିକୁ ବେଶ୍ୟାଳୟ ଘୋଷଣା କରିବାକୁ ଯୋଜନା ହୋଇଛି। ଏନେଇ କମିସନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କମିସନରେଟ ପୁଲିସର ସ୍ୱତନ୍ତ୍ର କୋର୍ଟ ଏ ନେଇ ଘର ମାଲିକମାନଙ୍କୁ ନିଜ ପକ୍ଷ ରଖିବାକୁ କହିଥିଲେ। କିନ୍ତୁ ଘର ମାଲିକମାନେ ଯେଉଁ ପକ୍ଷ ରଖିଥିଲେ ତାହା ପୁଲିସ ପାଇଁ ସନ୍ତୋଷଜନକ ନ ଥିଲା। ତେଣୁ ଖୁବ୍‌ ଶୀଘ୍ର ଏହି ଘରଗୁଡ଼ିକୁ ବେଶ୍ୟାଳୟ ଘୋଷଣା କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, ଗତ ଦେଢ଼ ବର୍ଷ ମଧ୍ୟରେ କଟକ ଓ ଭୁବନେଶ୍ୱରରେ ୧୨ଟି ସେକ୍ସ ର‍୍ୟାକେଟ୍‌ର ପର୍ଦାଫାସ ହୋଇଛି। କଟକରେ ୪ଟି ଓ ଭୁବନେଶ୍ୱରରେ ୮ଟି ଘରେ ସେକ୍ସ ର‍୍ୟାକେଟ ଚାଲୁଥିବା ବେଳେ ପୁଲିସ ରୂପଜୀବୀମାନଙ୍କୁ ଉଦ୍ଧାର କରିବା ସହ କିଙ୍ଗପିନ୍‌ ଓ ଦଲାଲମାନଙ୍କୁ ଗିରଫ କରିଥିଲା। ଏହି ଘରେ ସବୁ ଲୁଚାଛପାରେ ନୁହେଁ ବରଂ ଖୁଲମ୍‌ଖୁଲା ସେକ୍ସ ର‍୍ୟାକେଟ ଚାଲୁଥିଲା ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଅର୍ଥାତ୍‌ ସେହି ସବୁ ଘରେ ବେଶ୍ୟାବୃତ୍ତି ହେଉଥିଲା। ଘର ମାଲିକଙ୍କ ଅଜାଣତରେ ନୁହେଁ ବରଂ ଜାଣତରେ ଚାଲିଥିଲା ଏହି ଧନ୍ଦା। ୨୦୧୭ ମସିହାରୁ ୨୦୧୮ ମେ’ ମାସ ମଧ୍ୟରେ କମିସନରେଟ୍‌ ପୁଲିସ ଜାଲରେ ପଡ଼ିଥିବା ଏହି ୧୨ଟି ସେକ୍ସ ର‍୍ୟାକେଟ୍‌ର ରୂପଜୀବୀଙ୍କୁ ବେଶ୍ୟା ବୋଲି ପୁଲିସ ଦର୍ଶାଇଥିବା ବେଳେ ସେହି ଘରକୁ ବେଶ୍ୟାଳୟ ଘୋଷଣା କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ବାପୁଜୀନଗର ‘ଏଚ୍‌ଟୁଓ ସ୍ପା’ ଘର ମାଲିକଙ୍କ ଘର ବି ସାମିଲ୍‌

ହେଭେନ୍‌ ସ୍ପା’କୁ ଅଣଦେଖା
୨୦୧୭ ନଭେମ୍ବର ୧୮ ତାରିଖ। ଖାରବେଳନଗର ଥାନା ପୁଲିସ ୟୁନିଟ-୩ ଖାରବେଳ ନଗରରେ ଥିବା ‘ହେଭେନ୍‌ ଥାଇ ସ୍ପା’ ଉପରେ ଚଢ଼ଉ କରି ୩ ଥାଇଲାଣ୍ଡ ଯୁବତୀଙ୍କ ସମେତ ୫ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଦୁଇ ଗ୍ରାହକ ଓ ଦୁଇଜଣ ସ୍ପା’ କର୍ମଚାରୀଙ୍କୁ ଗିରଫ କରିଥିଲା। ଏହି ଘଟଣା ସେତେବେଳେ ରାଜଧାନୀରେ ହଇଚଇ ସୃଷ୍ଟି କରିଥିଲା। କିନ୍ତୁ ଶେଷ ପର୍ଯ୍ୟନ୍ତ ସ୍ପା’ ମାଲିକ ଶ୍ରୀ ନିବାସ ନନ୍ଦକୁ ଖାରବେଳନଗର ଥାନା ପୁଲିସ ଗିରଫ କରିବାକୁ ସକ୍ଷମ ହୋଇପାରିଲା ନାହିଁ। ସେକ୍ସ ର‍୍ୟାକେଟ ଧରାପଡ଼ିଥିବା ଅନ୍ୟ ଘରମାଲିକଙ୍କ ଉପରେ କମିସନରେଟ୍‌ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବେଶ୍ୟାଳୟ ଘୋଷଣା କରିଥିବା ବେଳେ ହେଭେନ୍‌ ସ୍ପା’ ଚାଲୁଥିବା ଘର ମାଲିକଙ୍କ ପ୍ରତି ଅନୁକମ୍ପା ଦେଖାଇବା ଘଟଣାକୁ ଅନେକେ ସହଜରେ ଗ୍ରହଣ କରି ପାରିନାହାନ୍ତି। ଅଭିଯୋଗ କରିଛନ୍ତି ସେହି ଘରର ମାଲିକ ହେଉଛନ୍ତି ଶିଳ୍ପପତି ତୈଲୋକ୍ୟ ମିଶ୍ର। ସେ ପୁଲିସକୁ ପ୍ରଭାବିତ କରି ତାଙ୍କ ନାଁ କାଟି ଦେଇଛନ୍ତି।

ଘୋଷଣା ହେଲେ କ’ଣ ହେବ
ଯେଉଁ ଘରକୁ ବେଶ୍ୟାଳୟ ବୋଲି ଘୋଷଣା କରାଯିବ, ସେହି ଘରକୁ କମିସନରେଟ ପୁଲିସ ବର୍ଷକ ପାଇଁ ସିଲ୍‌ କରିଦେବ। ଏହି ସମୟରେ ଘର ମାଲିକ କୌଣସି କୋର୍ଟରେ ଅପିଲ୍‌ କରିପାରିବେ ନାହିଁ। ଏହାଛଡ଼ା ସେହି ଘରକୁ ଲାଗି କରିଥିବା ଶିକ୍ଷାନୁଷ୍ଠାନ, ମନ୍ଦିର, କ୍ଲବ୍‌ ଭଳି ସର୍ବସାଧାରଣ ସ୍ଥାନକୁ ଚିଠି କରି ଜଣାଯିବ ଯେ ସେହି ଘର ଏକ ବେଶ୍ୟାଳୟ ବୋଲି।

ଏହି ମାଲିକଙ୍କ ଘର ଘୋଷଣା ହେବ ବେଶ୍ୟାଳୟ
କଟକରେ ଜାଣିଶୁଣି ସେକ୍ସ ର‍୍ୟାକେଟ ଚଳାଉଥିବା ଘର ମାଲିକମାନେ ହେଲେ, ମଧୁପାଟଣା ଥାନା ଅଧୀନ ସ୍ନେହଲତା ଦାସ, ମଧୁସ୍ମିତା ସାମନ୍ତରାୟ, ମର୍କତନଗର ଥାନା ଅଧୀନ ରେଣୁକା ବେହେରା, ମାଲଗୋଦାମ ଥାନା ଅଧୀନ ଗୋକୁଳି ରାମ ଏବଂ ଅନ୍ୟମାନେ। ସେହିପରି ଭୁବନେଶ୍ୱରରେ ଜାଣିଶୁଣି ସେକ୍ସ ଚଳାଉଥିବା ଘର ମାଲିକମାନେ ହେଲେ, ଶ୍ରୀଲିଙ୍ଗରାଜ ଥାନା ଅଧୀନ ସୁପ୍ରଭା ସାମନ୍ତରାୟ, ସୁଲୋଚନା ଓରଫ ମଞ୍ଜୁଲତା ଦାଶ, ସଂଧ୍ୟାରାଣୀ ଶତପଥୀ, ଇନ୍‌ଫୋସିଟି ଥାନା ଅଧୀନ ଅଶୋକ କୁମାର ଶ୍ରଦ୍ଧା, କ୍ୟାପିଟାଲ ଥାନା ଅଧୀନ ଜି ମୋହନ, ନୂଆପଲ୍ଲୀ ଥାନା ଅଧୀନ ତ୍ରିଭୂବନ ଜେନା, ରଘୁନାଥ ସାହୁ ପ୍ରମୁଖ। ସେମାନଙ୍କ ଘର ବେଶ୍ୟାଳୟ ହେବା ନେଇ ଏହି ଘରମାଲିକମାନଙ୍କୁ ପୁଲିସ ନୋଟିସ୍‌ କରି ସାରିଛି। ପ୍ରକାଶଥାଉକି, କ୍ୟାପିଟାଲ ଥାନା ଅଧୀନ ବାପୁଜୀନଗରର ଜି ମୋହନଙ୍କ ଘରେ ଏଚ୍‌ଟୁଓ ନାମକ ଏକ ସ୍ପା’ ଚାଲୁଥିଲା। ସ୍ପା’ ଆଳରେ ସେଠାରେ ସେକ୍ସ ର‍୍ୟାକେଟ ଚାଲୁଥିଲା ବୋଲି ଘର ମାଲିକ ଜି ମୋହନ ଜାଣିଥିଲେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। କ୍ୟାପିଟାଲ ଥାନା ପୁଲିସ ଗତ ମେ ମାସ ୨ ତାରିଖରେ ଏଚ୍‌ଟୁଓ ସ୍ପାରେ ଚଢ଼ଉ କରି ୮ଜଣ ଥାଇଲାଣ୍ଡ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ଗ୍ରାହକଙ୍କ ସମେତ ୯ ଜଣଙ୍କୁ ଗିରଫ କରିଥିଲା।

ପୂର୍ବରୁ ୭ଟି ଘର ବି ହୋଇଥିଲା
୨୦୧୪ ମସିହାରୁ ୨୦୧୬ ମଧ୍ୟରେ କମିସନରେଟ୍‌ ପୁଲିସ ଜାଲରେ ପଡ଼ିଥିବା ୭ଟି ସେକ୍ସ ର‍୍ୟାକେଟ୍‌ର ରୂପଜୀବୀଙ୍କୁ ବେଶ୍ୟା ବୋଲି ଦର୍ଶାଇଥିବା ବେଳେ ସେହି ଘରକୁ ବେଶ୍ୟାଳୟ ଘୋଷଣା କରିଥିଲା। ସେଗୁଡ଼ିକ ହେଲା, କ୍ୟାପିଟାଲ ଥାନା ଅଧୀନ ହୋଟେଲ ନିର୍ମଳ ପ୍ୟାଲେସ, ଜନ୍ନତ ପ୍ୟାଲେସ, ଚନ୍ଦ୍ରଶେଖରପୁର ଥାନା ଅଧୀନ ମୈତ୍ରୀ ଗେଷ୍ଟ ହାଉସ, ଲକ୍ଷ୍ମୀସାଗର ଥାନା ଅଧୀନ ଖୁସବୁ ବିୟୁଟି ପାର୍ଲର୍‌, ଓ୍ଵାନଷ୍ଟାର୍‌ ବିୟୁଟି ପାର୍ଲର ଓ ସହିଦନଗର ଭିଏସ୍‌ଏସ୍‌ନଗର ବୃନ୍ଦାବନ ଏନକ୍ଲେଭ ପ୍ରମୁଖ।

ସମ୍ବନ୍ଧିତ ଖବର