ଭୁବନେଶ୍ବର : ରାଜଧାନୀକୁ ପୁଣି ଫେରିଛି ପଲିଥିନ୍ ଚଢ଼ଉ। ଆଜି ୟୁନିଟ୍ ୧ ହାଟରୁ ବେଆଇନ ଭାବେ ବିକ୍ରି ହେଉଥିବା ବିପୁଳ ନିଷିଦ୍ଧ ପଲିଥିନ୍ ଜବତ କରାଯାଇଛି। ଏକ କ୍ବିଣ୍ଟାଲ୍ ଜବତ ପଲିଥିନ୍ ଭିତରେ ରହିଛି ପ୍ରାୟ ୨୦ ପ୍ରକାରର ପଲିଥିନ୍। ଏଥିସହିତ ବେଆଇନ ବିକ୍ରି କରୁଥିବା ବେପାରୀଙ୍କଠାରୁ ପ୍ରାୟ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।
ବିଏମ୍ସି ପକ୍ଷରୁ ମିଳିଥିବା ସୂଚନାନୁସାରେ ଏକ ସ୍ବତନ୍ତ୍ର ଦଳ ବୁଧବାର ଏହି ଚଢ଼ଉ କରିଥିଲେ। ଆଜି କ୍ୟାପିଟାଲ ହାଟରୁ ଏହି ଅଭିଯାନ ପୁଣି ଆରମ୍ଭ କରାଯାଇଛି। ଆଗକୁ ରାଜଧାନୀର ବିଭିନ୍ନ ହାଟବଜାରରେ ଏଭଳି ଚଢ଼ଉ ଜାରି ରହିବ। କୋଭିଡ୍ କଟକଣା ସମୟରେ ଏଭଳି ଚଢ଼ଉ ବନ୍ଦ ଥିଲା। ତେଣୁ ମଉକା ପାଇ କିଛି ଅସାଧୁ ବ୍ୟବସାୟୀ ପୁଣି ଏହି ବେପାର ଆରମ୍ଭ କରିଥିଲେ। ଜାନୁଆରି ମାସରୁ ଆଜି ପର୍ଯ୍ୟନ୍ତ ବିଏମ୍ସି ୭ ମେଟ୍ରିକ୍ ଟନ୍ ନିଷିଦ୍ଧ ପଲିଥିନ୍ ଜବତ କରିଛି। ୯୭୭ ଜଣ ବ୍ୟବସାୟୀଙ୍କ ଠାରୁ ୭ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି ବୋଲି ଡେପୁଟି କମିସନର ଶୁଭେନ୍ଦୁ ସାହୁ କହିଛନ୍ତି। ଏହି ସ୍ବତନ୍ତ୍ର ଏନ୍ଫୋର୍ସମେଣ୍ଟ ଟିମ୍ରେ ଦୁଇ ଜଣ ଏନ୍ଫୋର୍ସମେଣ୍ଟ ଇନ୍ସ୍ପେକ୍ଟର, ଦୁଇଜଣ ଅଧିକୃତ ଅଧିକାରୀ, ଦୁଇଜଣ ପୁଲିସ କର୍ମଚାରୀ, ଏକ୍ସପର୍ଟ ଓ ମହିଳା ସୁରକ୍ଷାକର୍ମୀ ଥିଲେ।