ଭୁବନେଶ୍ବର : ରାଜଧାନୀରେ ଦିନକୁ ଅଟୋ ଚାଳକଙ୍କ ଦୌରାତ୍ମ୍ୟ ବଢ଼ି ବଢ଼ି ଚାଲିଛି। ଯାତ୍ରୀ ଉଠାଇବାକୁ ନେଇ ସେମାନେ ଯେଉଁଭଳି ଢଙ୍ଗରେ ଗାଡ଼ି ଚଳାଉଛନ୍ତି, ସେଥିରେ ଅନେକ ଦୁର୍ଘଟଣାର ଶିକାର ହେଉଛନ୍ତି। ଏହାକୁ ନେଇ ବିଭିନ୍ନ ସମୟରେ ଅଟୋ ଚାଳକ ଓ ଅନ୍ୟମାନଙ୍କ ମଧ୍ୟରେ ଗଣ୍ଡଗୋଳ ମଧ୍ୟ ହେଉଛି। ଏନେଇ କମିସନରେଟ୍ ପୁଲିସ ନିକଟରେ ଅଭିଯୋଗରେ ହେବା ପରେ ଏବେ ଆକ୍ସନ ମୋଡ୍ରେ ପୁଲିସ। ଆଜି ଡିସିପି ଅନୁପ ସାହୁ ରାଜଧାନୀରେ ଚାଲୁଥିବା ଅଟୋଗୁଡ଼ିକୁ ଯାଞ୍ଚ କରିବାକୁ ନିର୍ଦେଶ ଦେଇଥିଲେ। ଏହାପରେ ଏଜି ଛକରେ ଟ୍ରାଫିକ୍ ପୁଲିସ ପକ୍ଷରୁ ଅଟୋ ଯାଞ୍ଚ ଆରମ୍ଭ ହୋଇଥିଲା। ପାଖାପାଖି ୧୧୫ଟି ଅଟୋ ଚାଳକ ଯାଞ୍ଚ ବେଳେ ଧରା ପଡ଼ିଥିଲେ। ସେମାନଙ୍କ ନିକଟରୁ ୫୭,୫୦୦ ଟଙ୍କା ଆଦାୟ କରାଯାଇଛି। ମିଳିଥିବା ସୂଚନା ମୁତାବକ, ରାଜଧାନୀକୁ ପ୍ରତ୍ୟେକ ଦିନ ନୟାଗଡ଼, ଖୋର୍ଧା, ପିପିଲି ଓ ରାଜଧାନୀ ଉପକଣ୍ଠରୁ ଅଟୋଗୁଡ଼ିକ ଭୁବନେଶ୍ବର ଚାଲି ଆସୁଛନ୍ତି। ସେମାନେ ଏଠାରେ ଟ୍ରାଫିକ୍ ନିୟମ ପାଳନରେ ଘୋର୍ ଅବହେଳା କରୁଛନ୍ତି। ସେହିପରି ରାଜଧାନୀରେ ଅଟୋ ଚଳାଉଥିବା ଏକାଧିକ ଅଟୋ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ନାହିଁ। ଏତଦ୍ବ୍ୟତୀତ ଅଟୋର ବୀମା, ଫିଟ୍ନେସ, ଆର୍ସି ବୁକ, ପ୍ରଦୂଷଣ ସାର୍ଟିଫିକେଟ, ଫାଷ୍ଟଏଡ୍ ବକ୍ସ ଆଦି ମଧ୍ୟ ନାହିଁ। ଏକାଧିକ ଅଟୋ ଚାଳକ ନିଶା ସେବନ କରି ଅଟୋ ଚଳାଉଛନ୍ତି। ଫଳରେ ଦୁର୍ଘଟଣା ଘଟୁଛି। ଏପରିକି କିଛି ଅଟୋ ଚାଳକ ରାଜଧାନୀରେ ଘଟୁଥିବା କେତେକ ଅପରାଧ, ନିଶା ଦେଇ ଲୁଟ, ଛିନତାଇ ଭଳି ଅପରାଧରେ ମଧ୍ୟ ସଂପୃକ୍ତ ରହୁଛନ୍ତି। ଏଭଳି ଚାଳକମାନଙ୍କ ଉପରେ ଆଜି ଚଢ଼ଉ କରାଯାଇଥିଲା।
ଡିସିପି ଶ୍ରୀ ସାହୁ କହିଛନ୍ତି, ବିଶେଷକରି ଗତ କିଛି ଦିନ ହେଲା, ରାଜଧାନୀର ପ୍ରମୁଖ ରାସ୍ତାଗୁଡ଼ିକରେ ଅହେତୁକ ଟ୍ରାଫିକ ଜାମ୍ ପରିସ୍ଥିତି ସୃଷ୍ଟି ହେଉଛି। ଏହାର ମୁଖ୍ୟ କାରଣ ଅଟୋ। ପ୍ରଥମ ପଦକ୍ଷେପ ସ୍ବରୂପ ଆମେ ଅଟୋଗୁଡ଼ିକ ଉପରେ ଚଢ଼ଉ କରିଛୁ। ଆଜି ୧୧୫ଟି ଅଟୋ ଧରାପଡ଼ିଥିଲେ। ଆହୁରି ୩୦ଟି ପାଖାପାଖି ଅଟୋ ଚାଳକମାନେ ସେମାନଙ୍କ ଆବଶ୍ୟକୀୟ କାଗଜପତ୍ର ଦେଖାଇ ପାରିନାହାନ୍ତି। ତେଣୁ ସେମାନଙ୍କ ଅଟୋକୁ ଟ୍ରାଫକ୍ ଥାନାରେ ରଖାଯାଇଛି। ଆସନ୍ତାକାଲି ସେମାନେ କାଗଜପତ୍ର ଦେଖାଇ ଅଟୋ ନେଇ ପାରିବେ। ଯେଉଁମାନେ ଦେଖାଇ ନପାରିବେ, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ଶ୍ରୀ ସାହୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/tapas-1.jpg)