ଡାନ୍ସ ବାର୍‌‌‌ରେ ଚଢ଼ଉ, ୫ ବଙ୍ଗୀୟ ଯୁବତୀ ଉଦ୍ଧାର

ଭୁବନେଶ୍ୱର: ପୁଣି ଚାଲିଲାଣି ଡାନ୍ସ ବାର, ନାଚିଲେଣି ଯୁବତୀ। ଅଳ୍ପ ସମୟରେ ମୋଟା ଅଙ୍କର ରୋଜଗାର ଲୋଭରେ କୌଣସି କଟକଣା କାମ କରୁନି। ପୁଲିସର ନଜର ଟିକେ ଖସିଲେ ଏହି ବେପାରରେ ମାତି ଯାଉଛନ୍ତି ବାର୍‌ ମାଲିକ। ମାସେ ତଳେ ବିଭିନ୍ନ ବାରରେ ଚଢ଼ଉ କରି କମିସନରେଟ୍‌ ପୁଲିସ ୯୦ଜଣ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ଆଜି ଆଉ ୫ଜଣ ଯୁବତୀ ଉଦ୍ଧାର ହୋଇଛନ୍ତି। ଆଜି ରାତି ପ୍ରାୟ ୧୦ଟା ବେଳେ ଲକ୍ଷ୍ମୀସାଗର ଥାନା ପୁଲିସ କଳ୍ପନା ଛକରେ ଥିବା ‘ସେଲ୍ଫି’ ବାରରେ ଚଢ଼ଉ କରି ଏହି ବଙ୍ଗୀୟ ଯୁବତୀମାନଙ୍କୁ ଉଦ୍ଧାର କରିଛି। ଏହାସହ ବାରର ମ୍ୟୁଜିକ୍‌ ସିଷ୍ଟମ ଜବତ କରିଛି। ଯୁବତୀମାନଙ୍କୁ ବାରରେ ନଚାଇବା ପାଇଁ ସ୍ୱୀକୃତି ନାହିଁ। ମ୍ୟୁଜିକ୍‌ ସିଷ୍ଟମ୍‌ ବ୍ୟବହାର କରିବା ପାଇଁ ମଧ୍ୟ କମିସନରେଟ ପୁଲିସର ସ୍ୱୀକୃତି ନାହିଁ। ଏଣୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଲକ୍ଷ୍ମୀସାଗର ଥାନା ଇନ୍ସପେକ୍ଟର ଦୟାନିଧି ନାୟକ ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ବାରଗୁଡିକରେ ଯୁବତୀ ବା ମହିଳାମାନଙ୍କୁ ଏହି କାମରେ ବ୍ୟବହାର କରିବା ପାଇଁ ସ୍ୱୀକୃତି ଦିଆଯାଇନାହିଁ। ଯେଉଁମାନଙ୍କୁ ଡାନ୍ସ ବାର ଲାଇସେନ୍ସ ମିଳିଥିଲା କିଛି ଦିନ ତଳୁ ତାହାର ଅବଧି ଶେଷ ହୋଇଛି। ଏହା ପରେ ନବୀକରଣ କରାଯାଇ ନାହିଁ। କମିସନରେଟ ପୁଲିସ ପକ୍ଷରୁ ଦିଆଯାଉଥିବା ମ୍ୟୁଜିକ୍‌ ସିଷ୍ଟମ ବ୍ୟବହାର ଲାଇସେନ୍ସ ମଧ୍ୟ ନବୀକରଣ କରାଯାଇନାହିଁ। ଏଣୁ ମାସେ ତଳେ କମିସନରେଟ ପୁଲିସ ବିଭିନ୍ନ ବାରରେ ଚଢ଼ଉ କରି ଯୁବତୀମାନଙ୍କୁ ଉଦ୍ଧାର କରିବା ସହ ମ୍ୟୁଜିକ ସିଷ୍ଟମ ଜବତ କରିଥିଲା। କେତେକ ବାର୍‌ ମାଲିକ ଏହି ଚଢ଼ଉ ଦେଖି ବାର ବନ୍ଦ କରି ଦେଇଥିଲେ। କିଛି ଦିନ ଥମି ଯିବା ପରେ ପୁଲିସ ଏନକାଉଣ୍ଟର ଓ ନିଶା ବେପାରୀଙ୍କ ପଛରେ ମାତିଥିଲା। ଏହାର ସୁଯୋଗ ନେଇ କେତେକ ପୁଣି ଥରେ ଡାନ୍ସ ବାର ଆରମ୍ଭ କରି ଦେଇଥିଲେ। ଖବର ପାଇବା ପରେ ଆଜି ଏହି ବାରରେ ଚଢ଼ଉ ହୋଇଥିଲା।

ସମ୍ବନ୍ଧିତ ଖବର