ଭୁବନେଶ୍ବର : କିଛି ଦିନ ବ୍ୟବଧାନରେ ଆଜି ପୁଣିଥରେ ରାଜଧାନୀର ହୁକା ବାର୍ ଉପରେ ଚଢ଼ଉ ହୋଇଛି। ଏଥର ଅବକାରୀ ବିଭାଗ ସହ ଡ୍ରଗ୍ସ କଣ୍ଟ୍ରୋଲର, ଖାଦ୍ୟ ସୁରକ୍ଷା ଓ ପୁଲିସ ମିଳିତ ଭାବେ ଚଢ଼ଉ କରିଛନ୍ତି। ବାରରେ ନିକୋଟିନ୍ ବ୍ୟବହାର ହେଉଥିବାରୁ ସଂପୃକ୍ତ ବାର୍ଠାରୁ ୫ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହାସହ ସଂପୃକ୍ତ ବାରକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଆଜି ଅପରାହ୍ଣ ପ୍ରାୟ ସାଢ଼େ ୨ଟା ସମୟରେ ମିଳିତ ଯାଞ୍ଚକାରୀ ଦଳ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ହୁକା ବାରରେ ଚଢ଼ଉ କରିଥିଲେ। ସଂପୃକ୍ତ ବାରର ପ୍ରଥମ ମହଲାରେ ହୁକା ଉପଲବ୍ଧ ହେଉଥିବା ନଜରକୁ ଆସିଥିଲା। ଯାଞ୍ଚ ସମୟରେ ବାରରେ ନିକୋଟିନ୍ର ବ୍ୟବହାର ହେଉଥିବା ଜଣାପଡ଼ିବା ପରେ ବାରଠାରୁ ଜରିମାନା ଆଦାୟ କରାଯାଇଛି। ଏହାସହ ସଂପୃକ୍ତ ବାରର ଲାଇସେନ୍ସ ଓ ଖାଦ୍ୟ ସୁରକ୍ଷା ଲାଇସେନ୍ସର ମଧ୍ୟ ଯାଞ୍ଚ ହୋଇଥିଲା। ଖାଦ୍ୟ ସୁରକ୍ଷା ଅଧିକାରୀ ବାରରୁ କିଛି ଖାଦ୍ୟ ସହ ପାଣି ନମୁନା ସଂଗ୍ରହ କରିବା ସହ ଏହାକୁ ପରୀକ୍ଷା ପାଇଁ ପଠାଇଥିବା ସୂଚନା ମିଳିଛି। ସଂଧ୍ୟା ୭ଟା ପର୍ଯ୍ୟନ୍ତ ଚଢ଼ଉ ହୋଇଥିଲା। ଚଢ଼ଉରେ ଅବକାରୀ ଇନ୍ସପେକ୍ଟର ଦେବାଶିଷ ପଟେଲ, ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟଜିତ ପଟେଲ, ଡିଆଇ ପ୍ରବେଶ ଲେଙ୍କା ଓ ଏସ୍ଆଇ ଜି.ଶାହ ପ୍ରମୁଖ ନେତୃତ୍ବ ନେଇଥିଲେ। ଉଲ୍ଲେଖଯୋଗ୍ୟ, ରାଜ୍ୟରେ ହୁକା ବାରଗୁଡ଼ିକରେ ନିକୋଟିନ୍ ବ୍ୟବହାର ହେଉଥିବା ଅଭିଯୋଗରେ ଡ୍ରଗ୍ସ କଣ୍ଟ୍ରୋଲର କାର୍ଯ୍ୟାଳୟ ପକ୍ଷରୁ ପୂର୍ବରୁ ଏକାଧିକ ବାରରେ ଚଢ଼ଉ କରାଯାଇଥିଲା। ନିକୋଟିନ୍ଯୁକ୍ତ ଇ-ସିଗାରେଟ୍କୁ ରାଜ୍ୟରେ ନିଷିଦ୍ଧ କରାଯିବା ପରେ ଏହି ଚଢ଼ଉ ହୋଇଥିଲା।