୪ ହୁକା ବାର୍‌ରେ ଚଢ଼ଉ

୨ ନମୁନା ସଂଗ୍ରହ, ୧୯ହଜାର ୭୦୦ ଟଙ୍କା ଜରିମାନା ଆଦାୟ

ଭୁବନେଶ୍ବର : ବିଏମ୍‌ସି ଭବାନୀ ମଲ୍‌ରେ ଥିବା ୪ଟି ହୁକା ବାର୍‌ରେ ଆଜି ଅବକାରୀ ବିଭାଗ, ପୁଲିସ ଓ ଡ୍ରଗ୍‌ସ କଣ୍ଟ୍ରୋଲର ପକ୍ଷରୁ ମିଳିତ ଚଢ଼ଉ କରାଯାଇଥିଲା। ନିକଟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିକୋଟିନ୍‌ଯୁକ୍ତ ଇ-ସିଗାରେଟ୍, ଇ-ହୁକା ପ୍ରଭୃତିକୁ ନିଷିଦ୍ଧ ଘୋଷଣା କରାଯାଇଥିବା ବେଳେ ଏହି ପରିପ୍ରେକ୍ଷୀରେ ଆଜି ଚଢ଼ଉ ହୋ‌ଇଛି। କୋଟ୍‌ପା ଆଇନର ଉଲ୍ଲଂଘନ କରିଥିବା ହୁକା ବାରଗୁଡ଼ିକଠାରୁ ଜରିମାନା ଆଦାୟ କରାଯାଇଛି। ଆଜି ଦିନ ପ୍ରାୟ ୩ଟା‌ରେ ଚଢ଼ଉ କରାଯାଇଥିଲା। ଏସବୁ ବାର୍‌ଗୁଡ଼ିକରେ ନିକୋଟିନ୍‌ର ଉପସ୍ଥିତିକୁ ନେଇ ଯାଞ୍ଚ ହୋଇଥିଲା। ଡ୍ରଗ୍‌ସ କଣ୍ଟ୍ରୋଲର ନିର୍ଦେଶାଳୟ ପକ୍ଷରୁ ୨ଟି ନମୁନା ସଂଗ୍ରହ କରାଯାଇ ଏହାକୁ ପରୀକ୍ଷା ପାଇଁ ପଠାଇ ଦିଆଯାଇଛି। ସେହିପରି ୨ ହୁକା ବାର୍‌ କୋଟ୍‌ପା ଆଇନର ଉଲ୍ଲଂଘନ କରିଥିବାରୁ ସେମାନଙ୍କଠାରୁ ୧୯ହଜାର ୭୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଢ଼ଉ ଜାରି ରହିଥିବା ସୂଚନା ମିଳିଛି। ଚଢ଼ଉରେ ଅବକାରୀ ଇନ୍‌ସପେକ୍ଟର ଦେବାଶିଷ ପଟେଲ, ଏସ୍‌ଆଇ ଜିତେନ୍ଦ୍ର ବେହେରା, ଡିଆଇ ପ୍ରବେଶ ଲେଙ୍କା, ସୁଦର୍ଶନ ବିଶ୍ବାଳ ଓ ଚନ୍ଦନ ଗିରି ପ୍ରମୁଖ ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର