ବେଆଇନ ପାର୍କିଂ ଚଢ଼ଉ ଜୋରଦାର : ୪୦ ଗାଡ଼ି ଉଠାଇ ଆଣିଲା ପୁଲିସ

ଭୁବନେଶ୍ୱର : ବେଆଇନ ପାର୍କିଂକୁ ନେଇ ପୁଣି ଥରେ ଚଢ଼ଉ ଜୋରଦାର ହୋଇଛି। ପୂର୍ବରୁ କୋଭିଡ୍‌ କଟକଣା ନେଇ କୋହଳ କରାଯାଇଥିବା ବେଳେ ଏବେ କୋଭିଡ୍‌ କଟକଣା କୋହଳ ହୋଇଛି। ହେଲେ ଲୋକମାନେ ଅଭ୍ୟାସ ଛାଡ଼ି ନାହାନ୍ତି। କିଛି ଦିନ ସଚେତନ କରିବା ପରେ ଆଜି କମିସନରେଟ୍‌ ଟ୍ରାଫିକ୍‌ ପକ୍ଷରୁ ଚଢ଼ଉ ଜୋରଦାର କରାଯାଇଛି। ଏକନମ୍ବର ହାଟ ସାମ୍ନାରୁ ୨୦ ଓ ନାଲ୍‌କୋ ଛକ ପାଖ ଫଳ ବଜାରରୁ ୨୦ ବାଇକ୍‌ ପୁଲିସ ଉଠାଇ ଆଣିଛି। ପରେ ଗାଡ଼ିମାଲିକମାନେ ଟ୍ରାଫିକ୍‌ ଏସିପିଙ୍କ କାର୍ଯ୍ୟାଳୟ ଆସି ଜରିମାନା ଦେବା ପରେ ଗାଡ଼ି ନେଇଛନ୍ତି। ଏ ବାବଦରେ ୨୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ଆଗକୁ ଚଢ଼ଉ ଜୋରଦାର ହେବ ବୋଲି ପୁଲିସ କହିଛି।

ସୂଚନା ମୁତାବକ, ଏକ ନମ୍ବର ମାକେର୍ଟ ସାମ୍ନାରେ ବାଇକ୍‌ ପାର୍କିଂ ବାରଣ କରାଯାଇଥିଲା। ଏଥିପାଇଁ ମାର୍କେଟ ପାର୍ଶ୍ବ ଓ ପଛରେ ଦୁଇଟି ସ୍ଥାନ ନିରୂପଣ କରା ଯାଇଥିଲା। ଅନେକ ଦିନ ଧରି ସେଠାରେ ଡିଜିଟାଲ ସଚେତନତା ବୋର୍ଡ ଲାଗିବା ସହ ପୁଲିସ ମାଇକ୍‌ ଜରିଆରେ ‌ସଚେତନ କରିଥିଲା। ଏହାପରେ କରୋନା ପାଇଁ ଭିତରେ ହାଟ ବାରଣ କରାଯିବାରୁ ଏଠାରେ ପରିବା ବ୍ୟବସାୟୀଙ୍କୁ ବସିବା ପାଇଁ ଦିଆଯାଇଥିଲା। କୋଭିଡ୍‌ କଟକଣା କୋହଳ ହେବା ପରେ ପରିବା ଦୋକାନୀ ଭିତରକୁ ଚାଲି ଯାଇଥିଲେ। ଏହା ପରେ ଏଠାରେ ବେଆଇନ ଭାବରେ ପାର୍କିଂ ଆରମ୍ଭ ହୋଇଥିଲା। ଏବେ ନୂଆ ଡିସିପି ସୌମ୍ୟା ମିଶ୍ର କାର୍ଯ୍ୟରେ ଯୋଗ ଦେବା ପରେ ପୁଣି ଥରେ ଚଢ଼ଉ କରିବା ପାଇଁ ସ୍ଥିର କରିଛନ୍ତି। ଆଗକୁ ଲେନ୍‌ ଡ୍ରାଇଭିଂ ଓ ରଙ୍ଗ୍‌ରୁଟ୍‌ ଚାଳନାକୁ ଗୁରୁତ୍ବର ସହ ବିଚାର କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର