କଲ୍ୟାଣ ମଣ୍ଡପ ନିକଟ ବେଆଇନ ପାର୍କିଂରେ ଚଢ଼ଉ ନିର୍ଦେଶ

ବିଏମ୍‌ସି ଓ ବିଡିଏକୁ ନଗର ଉନ୍ନୟନ ସଚିବଙ୍କ ଚିଠି, ପ୍ରାଥମିକ ତଦନ୍ତରୁ ରାଜଧାନୀରେ ୮୯ ସଂସ୍ଥା ଚିହ୍ନଟ

ଭୁବନେଶ୍ବର : ରାଜଧାନୀର ଅଧିକାଂଶ କଲ୍ୟାଣ ମଣ୍ଡପ ଓ ବିବାହ ମଣ୍ଡପ ସମ୍ମୁଖରେ ପାର୍କିଂ ବ୍ୟବସ୍ଥା ଠିକ୍‌ ନାହିଁ। ମଣ୍ଡପ ସମ୍ମୁଖ ଓ ପାଖ ରାସ୍ତାରେ ଲୋକମାନେ ବେଆଇନ ଭା‌ବେ କାର୍‌ ଓ ବାଇକ୍‌ ପାର୍କିଂ କରୁଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ରାସ୍ତା ଉପରେ ଗାଡ଼ି ରହୁଛି। ବିବାହ ଋତୁରେ ମଣ୍ଡପଗୁଡ଼ିକ ନିକଟରେ ଅସମ୍ଭାଳ ଟ୍ରାଫିକ ଜାମ୍‌ ଦେଖ‌ାଦେଉଛି। ଯାହାକି ଦୀର୍ଘ ବର୍ଷ ଧରି ସ୍ଥାନୀୟ ଲୋକମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ତେଣୁ କଲ୍ୟାଣ ମଣ୍ଡପ ଓ ବିବାହ ମଣ୍ଡପ ସମ୍ମୁଖରେ ହେଉଥିବା ବେଆଇନ ପାର୍କିଂ ଉପରେ ଚଢ଼ଉ କରିବାକୁ ନିର୍ଦେଶ ଦେଇଛି ନଗର ଉନ୍ନୟନ ବିଭାଗ। ଯେଉଁ ମଣ୍ଡପଗୁଡ଼ିକର ପାର୍କିଂ ପାଇଁ ସେମାନଙ୍କ ନିଜସ୍ବ ଜାଗା ନାହିଁ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ନଗର ଉନ୍ନୟନ ସଚିବ ବିଏମ୍‌ସି ଓ ବିଡିଏକୁ କଡ଼ା ନିର୍ଦେଶ ଦେଇଛନ୍ତି।

ଅପରପକ୍ଷରେ ବିଭାଗୀୟ ପତ୍ର ପାଇ ବିଏମ୍‌ସି ପକ୍ଷରୁ ନିଜସ୍ବ ଜୋନ୍‌ମାନଙ୍କରେ ଥିବା ସଭାଗୃହ, କଲ୍ୟାଣ ମଣ୍ଡପ ଇତ୍ୟାଦିର ଏକ ପ୍ରାଥମିକ ସର୍ବେକ୍ଷଣ କରାଯାଇଛି। ସୂଚନା ଅନୁସାରେ, ଦକ୍ଷିଣ ପୂର୍ବ ଜୋନ୍‌ରେ ୨୮ଟି, ଉତ୍ତର ଜୋନ୍‌ରେ ୨୯ଟି ଓ ଦକ୍ଷିଣ ପଶ୍ଚିମ ଜୋନ୍‌ରେ ୩୨ଟି ସଂସ୍ଥା ରହିଥିବା ଜଣାପଡ଼ିଛି। ଖୁବଶୀଘ୍ର ଏ ଗୁଡ଼ିକର ଯାଞ୍ଚ କରାଯାଇ ପ୍ଲାନିଂ ଅନୁମୋଦନ, ପାର୍କିଂ ସ୍ଥଳ, ହୋଲ୍‌ଡିଂ ଟିକସ, ଟ୍ରେଡ୍ ଲାଇସେନ୍‌ସ ପ୍ରଭୃତିର ସମୀକ୍ଷା କରାଯିବ। ତୁରନ୍ତ ସ୍କ୍ବାଡ୍ ଗଠନ କରାଯାଇ ଟ୍ରାଫିକ୍, ପାର୍କିଂ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଏମ୍‌ସି କମିସନର ସୂଚନା ଦେଇଛନ୍ତି। ନଗର ଉନ୍ନୟନ ସଚିବ ଜି ମାଥିଭାଥନନ୍ ବିଏମ୍‌ସି କମିସନର ଓ ବିଡିଏ ଉପାଧ୍ୟକ୍ଷଙ୍କୁ ଦେଇଥିବା ଚିଠିରେ ସଫା ସଫା ଲେଖିଛନ୍ତି, ମଣ୍ଡପରେ ବେଆଇନ ଭାବେ ପାର୍କିଂର ଯାଞ୍ଚ ପାଇଁ ବିଏମ୍‌ସି ଓ ବିଡିଏ ପକ୍ଷରୁ ଏକ ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ ଗଠନ କରାଯାଉ। ଏହି ସ୍କ୍ବାଡ୍‌ ବେଆଇନ ପାର୍କିଂ ଉପରେ ଚଢ଼ଉ କରିବ। ମଣ୍ଡପଗୁଡ଼ିକ କେଉଁ ଉଦ୍ଦେଶ୍ୟ ନେଇ ଅନୁମତି ନେଇଥିଲେ, ଏବେ କ’ଣ କରୁଛନ୍ତି, ତା’ର ତଦାରଖ କରାଯାଉ। ସେମାନଙ୍କର ପାର୍କିଂ ପାଇଁ ନିଜସ୍ବ ଜାଗା ଅଛି କି ନାହିଁ? ଯଦି ଅଛି, ସେଠାରେ କାହିଁକି ପାର୍କିଂ କରାଉ ନାହାନ୍ତି, ମଣ୍ଡପକୁ ଆସୁଥିବା ବ୍ୟକ୍ତି ବିଶେଷମାନେ ମଣ୍ଡପ ପାର୍ଶ୍ବ ଓ ସମ୍ମୁଖରେ କାହିଁକି କାର୍‌ ଓ ବାଇକ୍‌ ପାର୍କିଂ କରୁଛନ୍ତି, ତା’ର ଯାଞ୍ଚ କରାଯାଉ। ବେଆଇନ ପାର୍କିଂ ରାଜଧାନୀବାସୀଙ୍କ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଏହା ଉପରେ ତୁରନ୍ତ ଦୃଷ୍ଟି ଦିଆଯାଉ। ସଚିବଙ୍କ ଏଭଳି ଚିଠି ପରେ ଏବେ ରାଜଧାନୀରେ ଥିବା ବିବାହ ମଣ୍ଡପ ଓ କଲ୍ୟାଣ ମଣ୍ଡପ ମାଲିକଙ୍କ ମଧ୍ୟରେ ଭାଳେଣି ପଡ଼ି ଯାଇଛି। ଅଧିକାଂଶ କଲ୍ୟାଣ ମଣ୍ଡପଗୁଡ଼ିକର ନିଜସ୍ବ ପାର୍କିଂ ବ୍ୟବସ୍ଥା ନାହିଁ। ବର୍ଷବ୍ୟାପୀ ବିବାହ, ଜନ୍ମଦିନ, ବ୍ରତ ସମୟରେ ମଣ୍ଡପ ସମ୍ମୁଖରେ ଗାଡ଼ି ପାର୍କିଂ ହେଉଛି। ମଣ୍ଡପକୁ ଆସୁଥିବା ଲୋ‌କେ ରାସ୍ତା ଉପରେ ଗାଡ଼ି ପାର୍କିଂ କରୁଛନ୍ତି। ପରିସ୍ଥିତି ଏପରି ହେଉଛି ଯେ ମଣ୍ଡପକୁ ଲାଗି କରିଥିବା ରାସ୍ତା‌‌ ଜାମ୍‌ ହେଇଯାଉଛି। କେବଳ ମଣ୍ଡପ ନିକଟ ନୁହେଁ, ବିବାହ ପାଇଁ ରୋଶଣି ବେଳେ ସେହି ରାସ୍ତା ଦେଇ ଯିବା ଆସିବା ଅସମ୍ଭବ ହୋଇପଡ଼ୁଛି। ବରଯାତ୍ରୀମାନେ ନିଶାସକ୍ତ ଅବସ୍ଥାରେ ମଣ୍ଡପ ଆଖପା‌ଖରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଏ ନେଇ ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲେ ମଧ୍ୟ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିଲା। ତେବେ ସଚିବଙ୍କ ଏଭଳି କଡ଼ା ନିର୍ଦେଶ ପରେ ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଆଶ୍ବସ୍ତି ଆଣିବ ବୋଲି କୁହାଯାଉଛି।

ପ୍ରକାଶ ଥାଉ କି, ଟଙ୍କପାଣି ରୋଡ୍‌ ସାଇ ମନ୍ଦିର, କେଶୁରା ରାସ୍ତା, ଖାରବେଳନଗର, ସହିଦନଗର, ପଟିଆ, ଇନ୍‌ଫୋସିଟି ଅଞ୍ଚଳ, ଚନ୍ଦ୍ରଶେଖରପୁର, ଜାଗମରା, ଖଣ୍ଡଗିରି ଆଦି ଅଞ୍ଚଳରେ ଥିବା ମଣ୍ଡପ ନିକଟରେ ଏଭଳି ସମସ୍ୟା ଲାଗି ରହିଛି। ବିଶେଷକରି ଟଙ୍କପାଣି ରୋଡ୍‌ ସାଇ ମନ୍ଦିର ନିକଟରେ ଥିବା ମଣ୍ଡପ ରାସ୍ତା ରାଜଧାନୀ ପାଇଁ ଚିନ୍ତାର କାରଣ ହୋଇଛି।

ସମ୍ବନ୍ଧିତ ଖବର