ରାଜଧାନୀରେ ଆଉ ୧୧ ହସ୍ପିଟାଲରେ ଚଢ଼ଉ

ଭୁବନେଶ୍ବର : ରାଜଧାନୀରେ ଥିବା ଘରୋଇ ହସ୍ପିଟାଲଗୁଡ଼ିକ କୋଭିଡ୍‌-୧୯ ନିୟମ ପାଳନ କରୁ ନଥିବା ଅଭିଯୋଗରେ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଓ ସ୍ବାସ୍ଥ୍ୟ ବିଭାଗର ମିଳିତ ଟିମ୍‌ ଚଢ଼ଉ ଜାରି ରଖିଛି। ଗତକାଲି ୧୦ଟି ହସ୍ପିଟାଲ ଯାଞ୍ଚ କରାଯିବା ସହ କାରଣଦର୍ଶାଅ ନୋଟିସ୍‌ ଜାରି ହୋଇଥିଲା। ଆଜି ଆଉ ୧୧ଟି ହସ୍ପିଟାଲ ଉପରେ ଚଢ଼ଉ କରାଯାଇଛି। ସେମାନେ ହସ୍ପିଟାଲର କାଗଜପତ୍ର ଯାଞ୍ଚ କରିବା ସହ କୋଭିଡ୍‌-୧୯ ନିୟମ ପାଳନ ହେଉଛି କି ନାହିଁ, ତାହା ଦେଖିଛନ୍ତି। ଦକ୍ଷିଣ ପୂର୍ବ ଜୋନ୍‌ର ଅଧିକାରୀମାନେ ସଞ୍ଜୀବନୀ ହସ୍ପିଟାଲ ସମେତ ସନ୍‌ଫ୍ଲାୱାର୍‌ ନର୍ସିଂହୋମ୍‌, ସନ୍‌ସାଇନ୍‌ ହସ୍ପିଟାଲ, ଦକ୍ଷିଣ ପଶ୍ଚିମ ଜୋନ୍‌ ଅଧିକାରୀମାନେ ଆମ୍ରି ହସ୍ପିଟାଲ ସମେତ ସମ୍‌ ହସ୍ପିଟାଲ, ପ୍ରାକ୍ଟିସ୍‌ ହେଲ୍‌ଥ କେୟାର, କିଡ୍‌ସ ହସ୍ପିଟାଲ ଉପରେ ଚଢ଼ଉ କରି ଯାଞ୍ଚ କରିଥିଲେ। ସେହିପରି ଉତ୍ତର ଜୋନ୍‌ର ଅଧିକାରୀଙ୍କୁ ନେଇ ଗଠିତ ଟିମ୍‌ ହାଇଟେକ୍‌ ହସ୍ପିଟାଲ, କିମ୍‌ସ ହସ୍ପିଟାଲ, ଆଦିତ୍ୟ ହସ୍ପିଟାଲ ଓ ଅଶ୍ବିନୀ ହସ୍ପିଟାଲକୁ ଯାଇ ଯାଞ୍ଚ କରିଛନ୍ତି।

ବିଏମ୍‌ସିର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, କୋଭିଡ୍‌-୧୯ କଟକଣା ଅନୁଯାୟୀ ଘରୋଇ ହସ୍ପିଟାଲରେ ରୋଗ ନିଦାନ, ଚିକିତ୍ସା, ଅସ୍ତ୍ରୋପ୍ରଚାର, କୋଭିଡ୍‌ ପାଇଁ ସ୍କ୍ରିନିଂ, ବିଶୋଧନ, ରୋଗୀଙ୍କ ବିବରଣୀ, ସନ୍ଦିଗ୍ଧଙ୍କ ବାବଦରେ କର୍ତ୍ତୃପକ୍ଷଙ୍କୁ ସୂଚନା, ସାମାଜିକ ଦୂରତା ରକ୍ଷା, ବର୍ଜ୍ୟ ପରିଚାଳନା, ପାରିପାର୍ଶ୍ବିକ ସ୍ବଚ୍ଛତା, ବିଶୋଧନ ଆଦି ବିଷୟରେ ଯାଞ୍ଚ କରାଯାଇଛି। ଏମାନଙ୍କ ମଧ୍ୟରୁ କେତେକ ହସ୍ପିଟାଲ କୋଭିଡ୍‌-୧୯ ନିୟମ ପାଳନ କରୁ ନଥିବା ନଜରକୁ ଆସିଛି। କୌଣସି ହସ୍ପିଟାଲକୁ ସିଲ୍‌ କରାଯାଇନି। ଜେଡ୍‌ଡିସିଙ୍କ ଯାଞ୍ଚ ରିପୋର୍ଟକୁ ତର୍ଜମା କରିବା ପରେ ଆବଶ୍ୟକ ନୋଟିସ୍‌ ଜାରି ହେବ।

ସମ୍ବନ୍ଧିତ ଖବର