୨ ସ’ ମିଲ୍‌‌ରେ ବନ ବିଭାଗର ଚଢ଼ଉ, ୭ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଓ ୨୦ ଲକ୍ଷ ଟଙ୍କାର କାଠ ଜବତ

ବାଲିଅନ୍ତା : ଆଜି ଖୋର୍ଧା ବନଖଣ୍ଡ ଜିଲ୍ଲା କାର୍ଯ୍ୟାଳୟ ଓ ବାଳକାଟିସ୍ଥିତ ବନ ବିଭାଗ କାର୍ଯ୍ୟାଳୟ ଓ ଭୁବନେଶ୍ବର ଭିଜିଲାନ୍ସ ଫରେଷ୍ଟ ୟୁନିଟ୍‌ ପକ୍ଷରୁ ମିଳିତ ଭାବେ ୨ଟି କରତକଳରେ ଚଢ଼ଉ କରାଯାଇଥିଲା। ପିପିଲି ଥାନା ଅଧୀନ ବାଜପେୟୀ ଛକ (ଘାସିଆ ) ଏବଂ ଗୁଡ଼ିଆ ପୋଖରୀ ସଂଘଳେଇଶାସନ ଅଞ୍ଚଳରେ ଥିବା ଏହି ଦୁଇ କରତକଳରେ ଅତର୍କିତ ଚଢ଼ଉ କରାଯାଇଥିଲା। ସେଠାରୁ ବିପୁଳ ଯନ୍ତ୍ରାଂଶ ସମେତ ବିପୁଳ ପରିମାଣର ସାଇଜ୍‌ କାଠଗଡ଼ ଜବତ କରାଯାଇଛି। ଜବତ ହୋଇଥିବା ୪୯.୯୭ ସିଏଫ୍‌ଟି କାଠଗଡ଼ର ବଜାର ମୂଲ୍ୟ ପାଖାପାଖି ୨୦ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଜବତ ଯନ୍ତ୍ରାଂଶ ମଧ୍ୟରେ ଥିବା ହ୍ବିଲ, ବ୍ଲେଡ୍‌, ଟ୍ରଲି ଏବଂ ଅନ୍ୟାନ୍ୟ ଲୌହ ନିର୍ମିତ ସାମଗ୍ରୀ ସବୁର ମୂଲ୍ୟ ପ୍ରାୟ ୮ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ଜବତ କାଠ ମଧ୍ୟରେ ଶାଗୁଆନ ପଟା ସମେତ ଆକାଶିଆ, କଶି ଆଦି ଦାମୀ କାଠ ରହିଛି। ତେବେ ଚଢ଼ଉ ପୂର୍ବରୁ ସୂଚନା ପାଇ କରତକଳର ମାଲିକ ଓ କର୍ମଚାରୀମାନେ ଫେରାର୍ ହୋଇଯାଇଥିଲେ। ଫଳରେ କାହାକୁ ଗିରଫ କରାଯାଇନାହିଁ। ବାଲିପାଟଣା ରେଞ୍ଜ ଅଫିସର ଜୟକୃଷ୍ଣ ଯଦୁମଣି ଦାସ, ଖୋର୍ଦ୍ଧା ଫରେଷ୍ଟ୍‌ ଡିଭିଜନ ଏସିଏଫ୍‌ ଗୌରଗୋପାଳ ସି ଏବଂ ଗୋବିନ୍ଦ ଚନ୍ଦ୍ର ବିଶ୍ବାଳ ଓ ଅନ୍ୟାନ୍ୟ ବନ କର୍ମଚାରୀମାନେ ଏହି ଚଢ଼ଉରେ ସାମିଲ ଥିଲେ।

ସମ୍ବନ୍ଧିତ ଖବର