କଳିଙ୍ଗ ପରେ ଆମ୍ରି‌ରେ ଚଢ଼ଉ, ଔଷଧ ନମୁନା ସଂଗ୍ରହ

ଭୁବନେଶ୍ବର: କଳିଙ୍ଗ ହସ୍ପିଟାଲ ପରେ ପାଳି ପଡ଼ିଛି ଆମ୍ରି ହସ୍ପିଟାଲର। ଡ୍ରଗ୍‌ସ କଣ୍ଟ୍ରୋଲର କାର୍ଯ୍ୟାଳୟ ପକ୍ଷରୁ ଆଜି ଆମ୍ରି ହସ୍ପିଟାଲରେ ଚଢ଼ଉ କରାଯିବା ସହ ଔଷଧ ନମୁନା ସଂଗ୍ରହ କରାଯାଇଛି। ତେବେ ଲଗାତାର ଦୁଇଟି ବଡ଼ ବଡ଼ ହସ୍ପିଟାଲରେ ଚଢ଼ଉ କରାଯିବା ପରେ ରାଜଧାନୀର ଅନ୍ୟାନ୍ୟ ହସ୍ପିଟାଲଗୁଡ଼ିକରେ କୋକୁଆ ଭୟ ସୃଷ୍ଟି ହୋଇଛି। ଆଜି ଡ୍ରଗ୍‌ସ କଣ୍ଟ୍ରୋଲର କାର୍ଯ୍ୟାଳୟର ୩ଜଣିଆ ଟିମ୍ ଆମ୍ରିରେ ଯାଞ୍ଚ କରିଥିଲେ। ହସ୍ପିଟାଲର ସେଣ୍ଟ୍ରାଲ ଡ୍ରଗ୍ ଷ୍ଟୋରଠାରୁ ଆରମ୍ଭ କରି ଓପିଡି ଓ ଆଇପିଡିରେ ଯାଞ୍ଚ ହୋଇଥିଲା। ଏହି ସମୟରେ ହସ୍ପିଟାଲରୁ ୬ରୁ ଅଧିକ ଔଷଧ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଇ ଦିଆଯାଇଛି। ଆଜି ଦିନଭରି ହସ୍ପିଟାଲରେ ଯାଞ୍ଚ ଜାରି ରହିଥିଲା। ୩ ଜଣିଆ ଟିମ୍‌ ହସ୍ପିଟାଲର ରେକଡ୍‌ପତ୍ର ଯାଞ୍ଚ କରିଥିଲେ। ରାଜ୍ୟ ଡ୍ରଗ୍‌ସ କଣ୍ଟ୍ରୋଲର(ଭାରପ୍ରାପ୍ତ) ମାମିନା ପଟ୍ଟନାୟକ କହିଛନ୍ତି, ଆଜି ଆମ୍ରି ହସ୍ପିଟାଲରେ ଚଢ଼ଉ କରାଯାଇଛି। ଯେଉଁ ଯେଉଁ‌ କ୍ଷେତ୍ରରେ ହସ୍ପିଟାଲ୍‌ ନିୟମ ଉଲ୍ଲଂଘନ କରିଥିବା ନଜରକୁ ଆସିବ, ସେନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ। ଆବଶ୍ୟକ ପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି। ଏନେଇ ଆମ୍ରି ହସ୍ପିଟାଲର ମତାମତ ମିଳି ପାରିନାହିଁ।

କଳିଙ୍ଗ ହସ୍ପିଟାଲକୁ ନୋଟିସ୍, ୭ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦେଶ
ଭୁବନେଶ୍ବର: ରାଜ୍ୟ ଡ୍ରଗ୍‌ସ କଣ୍ଟ୍ରୋଲର ନିର୍ଦେଶାଳୟ ପକ୍ଷରୁ ଆଜି କଳିଙ୍ଗ ହସ୍ପିଟାଲକୁ ନୋଟିସ୍ ହୋଇଛି। ଦୁଇଦିନ ତଳେ ନିର୍ଦେଶାଳୟ ପକ୍ଷରୁ ହସ୍ପିଟାଲରେ ଚଢ଼ଉ କରାଯିବା ସହ ଔଷଧ ବିକ୍ରି ଉପରେ କଟକଣା ଜାରି କରାଯାଇଥିଲା। ଆସନ୍ତା ସପ୍ତାହ ଭିତରେ ଏ ସଂପର୍କିତ ଉତ୍ତର ରଖିବାକୁ ନିର୍ଦେଶାଳୟ ପକ୍ଷରୁ କୁହାଯାଇଛି। ରାଜ୍ୟ ‌ଡ୍ରଗ୍‌ସ କଣ୍ଟ୍ରୋଲର(ଭାରପ୍ରାପ୍ତ) ମାମିନା ପଟ୍ଟନାୟକ କହିଛନ୍ତି, କଳିଙ୍ଗ ହସ୍ପିଟାଲ ବିରୋଧରେ ଅନେକ ଅଭିଯୋଗ ଆସିବା ପରେ ଚଢ଼ଉ ହୋଇଥିଲା। ହସ୍ପିଟାଲର ଯେଉଁ କ୍ଷେତ୍ର‌ରେ ନିୟମ ଉଲ୍ଲଂଘନ ହୋଇଛି, ତାହାକୁ ନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ସେଣ୍ଟ୍ରାଲ ଡ୍ରଗ୍ ହାଉସକୁ ୪ଟି ପଏଣ୍ଟରେ ଉତ୍ତର ରଖିବାକୁ କୁହାଯାଇଥିବା ବେଳେ ଓପିଡି ଓ ଆଇପିଡିକୁ ଅନ୍ୟାନ୍ୟ ପଏଣ୍ଟରେ ଉତ୍ତର ରଖିବାକୁ କୁହାଯାଇଛି। ଯଦି ଏହି ସମୟ ଭିତରେ ହସ୍ପିଟାଲ ଉତ୍ତର ରଖିବାରେ ବିଫଳ ହୁଅନ୍ତି କିମ୍ବା ଆବଶ୍ୟକ ଉତ୍ତର ରଖିପାରିବେ ନାହିଁ, ଆଇନ ଅନୁସାରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମତୀ ପଟ୍ଟନାୟକ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଡ୍ରଗ୍‌ସ କଣ୍ଟ୍ରୋଲର କାର୍ଯ୍ୟାଳୟର ଚଢ଼ଉ ସମୟରେ ୬ ପ୍ରକାରର ଔଷଧ ବିକ୍ରି ଉପରେ କଟକଣା ଜାରି କରାଯିବା ସହ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇ ଦିଆଯାଇଛି। ରିପୋର୍ଟ ଏ ପର୍ଯ୍ୟନ୍ତ ଡ୍ରଗସ୍ କଣ୍ଟ୍ରୋଲର କାର୍ଯ୍ୟାଳୟର ହସ୍ତଗତ ହୋଇନାହିଁ।

ସମ୍ବନ୍ଧିତ ଖବର