ନଜରରେ ଡାନ୍ସ ବାର୍‌, ଚଢ଼ଉ ଜାରି ରହିବ: ଡିସିପି

କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଲାଇସେନ୍ସ ଦିଆଯାଉନି: ବାର୍‌ ମାଲିକ ସଂଘ

ଭୁବନେଶ୍ୱର : ରାତି ଅଧରେ ବିଭିନ୍ନ ବାର୍‌ରେ ଚାଲିଥିବା ଅର୍ଦ୍ଧନଗ୍ନ ନୃତ୍ୟ ଉପରେ କମିସନରେଟ୍‌ ପୁଲିସ ଚଢ଼ଉକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଉଦ୍ଧାର ପାଇଥିବା‌ ୯୬ ଯୁବତୀଙ୍କ ପରିବାରବର୍ଗଙ୍କ ସହ ଯୋଗାଯୋଗ କରାଯିବା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି। ହେଲେ ବିବାଦ ଥମି ନାହିଁ। ‘ଏମିତି ଚଢ଼ଉ ହୁଏ, ସବୁ ପୁଣି ଚାଲେ’ କହି ସାଧାରଣ ଲୋକ ତାଚ୍ଛଲ୍ୟ କରିଥିବା ବେଳେ ପୁଲିସ ଏହାକୁ ଗୁରୁତ୍ବର ସହ ନେଇଛି। ଡାନ୍ସ ବାର୍‌ର ସ୍ବୀକୃତି ନାହିଁ, ଅବକାରୀ ଆଇନ ମୁତାବକ ଯୁବତୀମାନଙ୍କୁ ବାର୍‌ରେ ନିଯୁକ୍ତି ଦିଆଯାଇ ପାରିବ ନାହିଁ, ଏଣୁ ଏହା ବେଆଇନ। ସେଥିପାଇଁ ଚଢ଼ଉ କରାଯାଇଛି, ଆଗକୁ ମଧ୍ୟ ଏହି ବେଆଇନ କାର୍ଯ୍ୟ କରିବାକୁ ଦିଆଯିବ ନାହିଁ। ତଦନ୍ତ ପରେ ଯେଉଁମାନେ ବିନା ସ୍ବୀକୃତିରେ ଯୁବତୀମାନଙ୍କୁ ଏଭଳି ମଦ ଆ‌ସରରେ ନାଚରେ ଲଗାଇଛନ୍ତି ତାଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି ଅନୁପ କୁମାର ସାହୁ ସ୍ପଷ୍ଟ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଶବ୍ଦ ପାଇଁ ଦିଆଯାଇଥିବା ସ୍ବୀକୃତିର ସର୍ତ୍ତକୁ ଏମାନେ ଉଲ୍ଲଂଘନ କରିଛନ୍ତି। ନିର୍ଦ୍ଦିଷ୍ଟ ସମୟ ପାଇଁ ସ୍ବୀକୃତି ଥିବା ବେଳେ ଏମାନେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଏହି ‘ସାଉଣ୍ଡ ସି‌ଷ୍ଟମ୍‌’ ବ୍ୟବହାର କରୁଛନ୍ତି। ଏଣୁ ଏହି ସ୍ବୀକୃତି ବାତିଲ କରାଯାଇଛି। ଆହୁରି କେତେକ ବେଆଇନ ଡାନ୍ସ ବାର୍‌ ରହିଯାଇଛି। ସେଗୁଡ଼ିକ ମଧ୍ୟ ଚଢ଼ଉ ହେବ।

ଅନ୍ୟପକ୍ଷରେ ବାର୍‌ ଓ ରେଷ୍ଟୁରାଣ୍ଟ ମାଲିକ ସଂଘ ସଭାପତି ସତ୍ୟ ମହାନ୍ତି କହିଛନ୍ତି, ବାର୍‌ରେ ଡାନ୍ସର ସ୍ବୀକୃତି ମାଗିବା ପାଇଁ ଆମେ ହାଇକୋର୍ଟ ଯାଇଥିଲୁ। ଆବେଦନକୁ ବିଚାର କରି ୪ ସପ୍ତାହ ମଧ୍ୟରେ ‘ଡାନ୍ସ ବାର୍‌ ଲାଇସେନ୍ସ’ ଦେବା ପାଇଁ ମାର୍ଚ୍ଚ ୩ ତାରିଖରୁ ହାଇକୋର୍ଟ ଆଦେଶ ଦେଇ ସାରିଥିଲେ ମଧ୍ୟ ଆମକୁ ପ୍ରଦାନ କରାଯାଇ ନାହିଁ। ଏଣୁ ଆମେ ଅବକାରୀ ଆୟୁକ୍ତଙ୍କ ବିରୋଧରେ କୋର୍ଟ ଅବମାନନା ଅଭିଯୋଗ କରି ଆଉ ଥରେ କୋର୍ଟ ଯିବୁ। ଅବକାରୀ ଆଇନ ମୁତାବକ, ଆମକୁ ସ୍ବୀକୃତି ଦେବା ପାଇଁ ଆମେ ଆବଦେନ କରିଥିଲୁ। ଏହାକୁ ଆଧାର କରି କୋର୍ଟ ୪ ସପ୍ତାହ ଭିତରେ ଦେବା ପାଇଁ ଆଦେଶ ଦେବାର ୪ ମାସ ବିତିଗଲାଣି, ହେଲେ ଲାଇସେନ୍ସ ମିଳୁନି। ଆମ ଆବେଦନକୁ ବିଚାର କରି ଯେହେତୁ କୋର୍ଟ ସ୍ବୀକୃତି ଦେବାପାଇଁ ସ୍ପଷ୍ଟ କରି ଦେଇଛନ୍ତି ; ଏଣୁ ଏହା ବେଆଇନ ନୁହେଁ ବୋଲି ସେ କହିଛନ୍ତି। ତେବେ ଏହି ଆଦେଶ କେବଳ ମାଲିକ ସଂଘ ସଭାପତିଙ୍କ ବାର୍‌ ପାଇଁ ହୋଇଛି। ସମସ୍ତ ବାର୍‌ ପାଇଁ ନୁ‌ହେଁ ବୋଲି ଜଣାପଡ଼ିଛି।

କ’ଣ କହୁଛି ଆଇନ

ଓଡ଼ିଶା ଅବକାରୀ ଆଇନ ୨୦୦୮ ସେକ୍ସନ୍‌ ୨୫(୩)ମୁତାବକ, ଯୁବତୀଙ୍କୁ ବାର୍‌ରେ ନିୟୋଜିତ କରିବା ବେଆଇନ। ଅନ୍ୟପଟେ ଓଡ଼ିଶା ଅବକାରୀ ରୁଲ୍ସ ୨୦୧୭ ମୁତାବକ, ୨୧ ବର୍ଷରୁ ଅଧିକ ବୟସ ବର୍ଗର ଯୁବତୀମାନେ ସଙ୍ଗୀତ, ନୃତ୍ୟ, ବିଦେଶୀ ମଦ ବିକ୍ରି ହେଉଥିବା ଜାଗାରେ ଅର୍କେଷ୍ଟ୍ରାରେ ନୃତ୍ୟ କରିପାରିବେ। ରୁଲ୍‌ ୪୪(୫) ଅନୁସାରେ ଏଭଳି ନୃତ୍ୟ ହେଉଥିବା ଜାଗାରେ ଯୁବତୀଙ୍କ ନୃତ୍ୟକୁ ସ୍ବୀକୃତି ଦେବା ପୂର୍ବରୁ କମିସନରେଟ୍‌ ପୁଲିସ କେତେକ ସର୍ତ୍ତ ରଖିପାରିବ। ଡିସିପିଙ୍କ ମୁତାବକ, ୨୦୦୮ର ସଂଶୋଧନ କରାଯାଇନାହିଁ, ଏଣୁ ଏହି ଆଇନ ବଳବତ୍ତର ରହିଛି।

ଆମେ ଏବେ କୁଆଡ଼େ ଯିବୁ: ବାର୍‌ ଗାର୍ଲ

ବାର୍‌ରେ ନୃତ୍ୟ କଲା ବେଳେ ଗତକାଲି ଉଦ୍ଧାର ହୋଇଥିବା ୯୬ ଜଣ ଯୁବତୀଙ୍କ ଅଭିଯୋଗ ହେଲା, ଆମେ କେହି ୨୧ବର୍ଷରୁ କମ୍‌ ବୟସର ନୋହୁଁ। ଆମେ ପେଟ ପୋଷିବା ପାଇଁ ୩ଶହ ୪ଶହ କିଲୋମିଟର ଦୂରରୁ ଆସି ଏଠାରେ ନାଚୁଛୁ। ଆମ ରୋଜଗାରରେ ଘର ଚଳୁଛି। ବର୍ଷ ବର୍ଷ ଧରି ଆମେ ନାଚ କରୁଥିବା ବେଳେ ହଠାତ୍‌ କ’ଣ ହେଲା ଯେ ଆମ ପେଟକୁ ନାତ ମରାଗଲା? ଏବେ ଆମେ ଏବେ କୁଆଡ଼େ ଯିବୁ ବୋଲି ସେମାନେ କହିଛନ୍ତି।

ଜନବସତିରୁ ଦୂରକୁ ଯିବ ବାର୍‌

ବାର୍‌ଗୁଡ଼ିକ ଜନବସତି ଭିତରେ ରହିଛି। କେବଳ କଟକ ରୋଡ୍‌ରେ ୧୧ଟି ବାର୍‌ ଚାଲୁଛି। ପ୍ରତ୍ୟେକ ବାର୍‌କୁ ଲାଗି ସାଧାରଣ ଲୋକଙ୍କ ଘର ରହିଛି। ବାର୍‌ରୁ ବାହାରୁଥିବା ବେଳେ ନିଶାସକ୍ତ ଯୁବକ ହେଉ ବା ବାର୍‌କୁ ଯାଉଥିବା ବେଳେ ଉନ୍ମତ୍ତ ଯୁବକ ହେଉ, ଏମାନଙ୍କ ବ୍ୟବହାରରେ ସ୍ଥାନୀୟ ଲୋକ ଅତିଷ୍ଠ ହୋଇଗଲେଣି। ବାର୍‌ରେ ନାଚ ସମୟ ହୋଇଗଲେ ଏହି ବାଟ ଦେଇ ସାଧାରଣ ଲୋକ ଝିଅ-ବୋହୂଙ୍କୁ ନେଇଯିବା ସମ୍ଭବ ହେଉନାହିଁ। ଯଦି କେହି ଯାଉଛି, ତେବେ ମଦ୍ୟପଙ୍କ ଅଶ୍ଳୀଳ ଇଙ୍ଗିତର ସମ୍ମୁଖୀନ ହେଉଛି। ଏନେଇ ଏକାଧିକ ଅଭିଯୋଗ ରହିଛି। ଯେଉଁଥିପାଇଁ ପୁଲିସ ପୂର୍ବରୁ ବିଭିନ୍ନ ବାର୍‌ରେ ଚଢ଼ଉ କରିବା ନଜିର ରହିଛି। ଜନବସତି ଭିତରେ ରହି ସାଧାରଣ ଲୋକଙ୍କ ଶାନ୍ତିରେ ରହିବା ଅଧିକାରକୁ କ୍ଷୁଣ୍ଣ କରୁଛି। ଏଣୁ ଏ ସବୁକୁ ଯଦି ସ୍ବୀକୃତି ଦିଆଯାଉଛି, ତେ‌ବେ ଜନବସତିଠାରୁ ଉଠାଇ ନେଇ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ବୀକୃତି ଦେବା ପାଇଁ ସରକାରଙ୍କୁ ଚିଠି ଲେଖାଯିବ ବୋଲି ଡିସିପି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର