ନିରାପଦ ଦୀପାବଳି ପାଇଁ କମିସନରେଟ୍‌ ପୁଲିସର ପ୍ରସ୍ତୁତି, ବାଣ ଦୋକାନରେ ଚଢ଼ଉ

ଭୁବନେଶ୍ୱର: ଏଥର ଦୀପାବଳିକୁ ନିରାପଦ ଭାବେ ପାଳନ କରିବା ପାଇଁ କମିସନରେଟ୍‌ ପୁଲିସ ଜାରି କରିଥିବା କଟକଣା କିପରି ଠିକଣା ଢଙ୍ଗରେ କାର୍ଯ୍ୟକାରୀ ହୋଇପାରିବ ତାକୁ ଗୁରୁତ୍ବର ସହ ଗ୍ରହଣ କରିଛି କମିସନରେଟ୍ ପୁଲିସ।

ଆଜି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଜନ-ଧନ ସୁରକ୍ଷା ସହ ନିୟମ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ଏ ଦିଗରେ ମଧ୍ୟ ଜନସଚେତନତା ସୃଷ୍ଟି ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଉଛି। ଏହା ସତ୍ତ୍ବେ ନିୟମ ଉଲ୍ଲଂଘନ କଲେ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଅଦାଲତଙ୍କ ଆଦେଶ ମୁତାବକ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଅଦାଲତଙ୍କ ଆଦେଶ ଅମାନ୍ୟ କଲେ ବା ୧୨୫ ଡେସିବଲ୍‌ରୁ ଅଧିକ ଶବ୍ଦ କରୁଥିବା ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନର ନିୟମ ରହିଛି। କିନ୍ତୁ ଅନେକ ସମୟରେ ସାଧାରଣ ଲୋକ ବାଣର ତୀବ୍ରତାକୁ ନେଇ ଅନୁମାନ ଲଗାଇ ପାରି ନ ଥାନ୍ତି। ଏଣୁ ଯେ କୌଣସି ସ୍ବୀକୃତିପ୍ରାପ୍ତ ଦୋକାନରୁ ହିଁ ବାଣ କିଣିବା ଉଚିତ। ଯାହାଦ୍ବାରା ସେ ନିଶ୍ଚିତ ହୋଇ ପାରିବ ଯେ ସେ ଯେଉଁ ବାଣ ନେଉଛି, ତାହା ନିର୍ଦ୍ଦିଷ୍ଟ ମାନର।

ଯେ କୌଣସି ଜରୁରୀ ପରସ୍ଥିତିରେ ପୁଲିସ କଣ୍ଟ୍ରୋଲ ରୁମ୍‌(୧୦୦)‌ ବା ଦମକଳ କେନ୍ଦ୍ର(୧୦୧)କୁ ସହାୟତା ପାଇଁ ଫୋନ୍‌ କରିବାକୁ ପୁଲିସ କମିସନର୍‌ କହିଛନ୍ତି। ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ ବୋଲି ସେ କହିଛନ୍ତି। ସେହିଭଳି ସହରର ବିଭିନ୍ନ ସ୍ଥାନରେ ଥିବା ବାଣ କାରଖାନା ଓ ଦୋକାନଗୁଡ଼ିକ ଉପ‌ରେ କମିସନ‌େରେଟ୍‌ ପୁଲିସ ପକ୍ଷରୁ ଯାଞ୍ଚ କରାଯାଇଛି। ଧାର୍ଯ୍ୟ ନିୟମାବଳୀକୁ ଆଧାର କରି ଦୋକାନଗୁଡ଼ିକ ହୋଇଛି କି ନାହିଁ ତାହା ଅନୁଧ୍ୟାନ କରାଯାଇଛି। କମିସନରେଟ୍‌ ପୁଲିସ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଗ୍ନିଶମ ସେବା ସଂସ୍ଥା ପକ୍ଷରୁ ମିଳିତ ଭାବେ ଆଜି ଜଟଣୀ, ଖଣ୍ଡଗିରି ଓ ମଞ୍ଚେଶ୍ବରରେ ଚଢ଼ଉ କରାଯାଇଥିଲା। ଆସନ୍ତାକାଲି (ରବିବାର) ମଧ୍ୟ ବିଭିନ୍ନ ସ୍ଥାନରେ ଚଢ଼ଉ ହେବ ବୋଲି କମିସନର ସୂଚନା ଦେଇଛନ୍ତି। ବେଆଇନ ଭାବରେ ହୋଇଥିବା ଦୋକାନଗୁଡ଼ିକ ଉପରେ ଚଢ଼ଉ କରାଯାଇ ବନ୍ଦ କରାଯିବ। ଯଦି କାହା ନିକଟ‌ରେ ବେଆଇନ ବାଣ କାରବାର ସମ୍ପର୍କରେ ସୂଚନା ଥାଏ ତେବେ କମିସନରେଟ୍‌ ପୁଲିସକୁ ଖବର ଦେବା ପାଇଁ କୁହାଯାଇଛି।

ସମ୍ବନ୍ଧିତ ଖବର