କଟକ: ଚୌଦ୍ବାର ସହର ମଧ୍ୟରେ ଦୀର୍ଘବର୍ଷ ଧରି ଚାଲୁଥିବା ନକଲି କାରଖାନା ଉପରେ ଚଢ଼ଉ କରି ପୁଲିସ ବିପୁଳ ପରିମାଣର ଗୁଆଘିଅ, ଟମାଟୋ ଓ ଚିଲି ସସ୍‌ ଜବତ କରିଛି। ଏହାସହ ଏହାର ମୁଖ୍ୟ କାର୍ପଟଦାର ଦିବ୍ୟଲୋଚନ ବେହେରା(୪୩)କୁ ଗିରଫ କରିଛି। ତେବେ ଏହ‌ି କାରବାରରେ ସଂପୃକ୍ତ ଅନ୍ୟ ଦୁର୍ବୃତ୍ତମାନଙ୍କୁ ପୁଲିସ ଧରି ପାରିନାହିଁ।

Advertisment

ମିଳିଥିବା ସୂଚନା ମୁତାବକ, ଚୌଦ୍ବାର ପୌରପାଳିକା ୯ନଂ ୱାର୍ଡ ଅନ୍ତର୍ଗତ ପୌର କାର୍ଯ୍ୟାଳୟ ଓ ବାଳିକା ବିଦ୍ୟାଳୟ ନିକଟରେ ଏକ ଭଡ଼ାଘରେ ବେଆଇନ ଭାବେ ଗୁଆଘିଅ, ଟମାଟୋ ଓ ଚିଲି ସସ୍‌ କାରଖାନା ଚାଲିଥିଲା। ଏ ସମ୍ପର୍କରେ ଚୌଦ୍ବାର ଥାନା ଅଧିକାରୀ ବିରଞ୍ଚି ନାରାୟଣ ପତି ବିଶେଷ ସୂତ୍ରରୁ ଖବର ପାଇ ଆଜି ସେଠାରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ବିପୁଳ ପରିମାଣର ଗୁଆଘିଅ, ସ୍ବତନ୍ତ୍ର ବ୍ରାଣ୍ଡ୍‌ର ଡବା ସହ ସ୍ବାଗତ ବ୍ରାଣ୍ତ୍ର ଚିଲି ସସ୍‌ ଓ ବଡ଼ ବଡ଼ ପ୍ଲାଷ୍ଟିକ୍ ଡ୍ରମ୍‌ରେ ଥିବା ଟମାଟୋ-ଚିଲି ସସ୍‌ ମିଶ୍ରଣକୁ ଜବତ କରିଥିଲେ। ଶ୍ରୀମନ୍ଦିର ଓ ହନୁମାନ ବାଲାଜୀ ନାମରେ ଡବା ତିଆରି କରାଯାଇ ସେଥିରେ ଏହି ଗୁଆଘିଅ ଭର୍ତ୍ତି କରି ବଜାରରେ ବିକ୍ରି କରାଯାଉଥିବା ଜଣାପଡ଼ିଛି। ଚଢ଼ଉରେ ୨୬୦୦ ଲିଟର ଟମାଟୋ ସସ୍‌, ୨୬୬ ଲିଟର ଚିଲି ସସ୍‌, ୧୪୪୮ଲିଟର ଗୁଆଘିଅ, ଗୋଟିଏ ପ୍ୟାକିଙ୍ଗ ମେସିନ୍, ଗୋଟିଏ ଇଲେକ୍ଟ୍ରିକ୍‌ ଗ୍ରାଇଣ୍ତର, ବିଭିନ୍ନ କମ୍ପାନିର ଷ୍ଟିକର, ବିପୁଳ ପରିମାଣର ଖାଲି ବୋତଲ ଓ ଅନେକ କଂଚାମାଲ ଜବତ କରାଯାଇଛି।
କାରଖାନାରେ ବ୍ୟବହୃତ ହେଉଥିବା ଏକ ମିନି ଟ୍ରକ୍‌କୁ ଜବତ କରାଯିବା ସହ କାରବାରର ମୁଖ୍ୟ କାର୍ପଟଦାର ଚୌଦ୍ବାର ଗୁନ୍ଧରେଶ୍ବର ସାହିର ଦିବ୍ୟଲୋଚନ ବେହେରା(୪୩)କୁ ପୁଲିସ ଗିରଫ କରିଛି। ଏସ୍‌ଆଇ ବୃନ୍ଦାବନ ସାହୁ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଗୁଆଘିଅ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ସିଇସି ଫ୍ଲେଭର କେମିକାଲକୁ ମଧ୍ୟ ଜବତ କରାଯାଇଛି। ଏହାର ମୂଲ୍ୟ ଅଧଲିଟର ପ୍ରତି ୧୫୦୦ଟଙ୍କା ହୋଇଥିବା ବେଳେ ସେତିକି କେମିକାଲ ୪୫୦୦ଲିଟର ଘିଅ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ। ପ୍ରସ୍ତୁତ ସାମଗ୍ରୀ ସବୁ ବଜାରକୁ ଯିବା ପରେ ବିଭିନ୍ନ ପୂଜା ଓ ଭୋଜିରେ ବ୍ୟବହାର ହେଉଥିବା ପୁଲିସ ଜାଣିବାକୁ ପାଇଛି। ଏହି କାରବାରରେ ସଂପୃକ୍ତ ଅନ୍ୟମାନଙ୍କୁ ଶୀଘ୍ର ଧରାଯିବ ବୋଲି ପୁଲିସ କହିଛି।