ବେଆଇନ ପାର୍କିଂ ଫି’ ଆଦାୟକାରୀଙ୍କ ଉପରେ ଚଢ଼ଉ

ଭୁବନେଶ୍ବର: ରାଜଧାନୀରେ ବେଆଇନ ଭାବେ ପାର୍କିଂ ଫି’ ଆଦାୟ ହେଉଥିବା ଅଭିଯୋଗ ଆସିବା ପରେ ଆଜି ବିଏମ୍‌ସି ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ଆଜି ସେଣ୍ଟ୍ରାଲ ଏନଫୋ‌ର୍ସମେଣ୍ଟ ସ୍କ୍ବାଡ୍, ସେଣ୍ଟ୍ରାଲ ଲାଇସେନ୍ସ ସ୍କ୍ବାଡ୍ ଏବଂ ଦକ୍ଷିଣ-ପୂର୍ବ ଜୋନ୍‌ ସ୍କ୍ବାଡ୍ ପକ୍ଷରୁ ବିଏମ୍‌ସିର ଦକ୍ଷିଣ-ପୂର୍ବ ଜୋନ୍‌ରେ ଥିବା ବିଭିନ୍ନ ପାର୍କିଂ ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ଏହି ଜୋନ୍‌ରେ ମୋଟ୍‌ ୭୨ଟି ପାର୍କିଂ ଅଞ୍ଚଳ ମଧ୍ୟରୁ ୨୨ଟି ନିଲାମଧାରୀ ଚଳାଉଥିବାବେଳେ ୧୨ଟି ଆନୁଷ୍ଠାନିକ ପାର୍କିଂ ଏବଂ ୩୮ଟି ନିଲାମ ହୋଇନଥିବା ପାର୍କିଂସ୍ଥଳ ରହିଛି। ହେଲେ ଏହି ୩୮ଟିରୁ ୫ଟି ଯଥା ୟୁନିଟ୍-୧ ହାଟ ବାହାର ଓ ଉତ୍ତର ପାର୍ଶ୍ବ, ୟୁନିଟ୍-୨ ଦୁର୍ଗା ମଣ୍ଡପ ସାମ୍ନା, ଖାଦିମ୍‌ସ ସୋ’ରୁମ୍‌ରୁ ଶ୍ରୀ ଲେଦର ପର୍ଯ୍ୟନ୍ତ ଏବଂ କସ୍ତୁରବା ନାରୀ ମହଲ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ବିଏମ୍‌ସି କର୍ମଚାରୀମାନେ ପାର୍କିଂ ଫି’ ଆଦାୟ କରୁଥିବାବେଳେ ବାକି ୩୩ଟିରେ ବେଆଇନ୍ ପାର୍କିଂ ହୋଇଥିବା ଦେଖିବାକୁ ମିଳିଥିଲା। ଏଠାରେ କିଛି ଲୋକ ବେଆଇନ ଭାବେ ପାର୍କିଂ ଫି’ ଆଦାୟ କରୁଥିଲେ ହେଁ ବିଏମ୍‌ସି କର୍ମଚାରୀଙ୍କୁ ଦେଖି ସେମାନେ ଫେରାର୍ ହୋଇଯାଇଥିଲେ। ଫଳରେ ବିଏମ୍‌ସି କର୍ମଚାରୀମାନେ ବେଆଇନ୍ ପାର୍କିଂ ଫି’ ଆଦାୟକାରୀଙ୍କୁ ଧରି ପାରିନଥିଲେ। ଆଗାମୀ ଦିନରେ ଏହିପରି ଚଢ଼ଉ ଜାରି ରହିବା ସହ ବେଆଇନ ପାର୍କିଂ ଫି’ ଆଦାୟକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍‌ସି ଡେପୁଟି କମିସନର ଶ୍ରୀମନ୍ତ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର