ପଲିଥିନ୍ କାରଖାନାରେ ଚଢ଼ଉ, ୬୯ ପଲିଥିନ୍ କ୍ୟାରିବ୍ୟାଗ୍ ବସ୍ତା ଜବତ

୧୦ ହଜାର ଜରିମାନା ସହ ଚେତାବନୀ

ଭୁବନେଶ୍ୱର: ପଲିଥିନ୍‌ କାରବାରରେ ରୋକ୍‌ ଲଗାଇବା କ୍ଷେତ୍ରରେ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)କୁ ବଡ଼ ସଫଳତା ମିଳିଛି। ଭଗବାନପୁର ଅଞ୍ଚଳରେ ଥିବା ଏକ ପଲିଥିନ୍‌ କାରଖାନାରେ ବେଆଇନ ପଲିଥିନ୍ ଦ୍ରବ୍ୟ ପ୍ରସ୍ତୁତ ହେଉଥିବା ବେଳେ ତାହାକୁ ଜବତ କରାଯାଇଛି। ଡିଏନ୍ ରେଗାଲିଆ ମଲ୍ ପଛ ପାର୍ଶ୍ବରେ ଥିବା ଏହି କାରଖାନାକୁ ବିଏମ୍‌ସି ଦକ୍ଷିଣ-ପଶ୍ଚିମ ଜୋନ୍‌ର ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌ ହଠାତ୍ ପରିଦର୍ଶନ କରିବାକୁ ଗଲା ବେଳେ ଅନେକ ପରିମାଣର ବେଆଇନ ପଲିଥିନ୍ କ୍ୟାରିବ୍ୟାଗ୍ ଦେଖିବାକୁ ପାଇଥିଲା। ବିଏମ୍‌ସି ଟିମ୍ ଓ ସାଙ୍ଗରେ ଯାଇଥିବା ପୁଲିସ୍‌ ଫୋର୍ସଙ୍କୁ ଦେଖି ସମ୍ପୃକ୍ତ କାରଖାନା ଅଧିକାରୀ ଓ କର୍ମଚାରୀମାନେ ସେଗୁଡ଼ିକୁ ଫିଙ୍ଗି ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏନ୍‌ଫୋର୍ସମେଣ୍ଟ ଟିମ୍ ସେଗୁଡ଼ିକୁ ଜବତ କରିଥିଲା। ୬୯ଟି ୨୫ କେଜି ବିଶିଷ୍ଟ ପଲିଥିନ୍ କ୍ୟାରିବ୍ୟାଗ୍ ବସ୍ତା ଜବତ କରାଯାଇଛି। ପରବର୍ତୀ ସମୟରେ ଦକ୍ଷିଣ-ପଶ୍ଚିମ ଜୋନ୍‌ର ଜୋନାଲ୍ ଡେପୁଟି କମିସନର୍‌ ରବି ନାରାୟଣ ଜେଠୀ ସମ୍ପୃକ୍ତ କାରଖାନାକୁ ଯାଇ ବେଆଇନ ସାମଗ୍ରୀଗୁଡ଼ିକୁ ଦେଖିବା ପରେ ନମୁନା ପରୀକ୍ଷା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଖବର ଦେଇଥିଲେ। ଖବର ପାଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପରିବେଶ ବିଜ୍ଞାନୀ ରେବତୀ ମିଶ୍ରଙ୍କ ସହ ତାଙ୍କ ଲ୍ୟାବ୍ ଆନାଲିଷ୍ଟମାନେ ଆସି ବେଆଇନ ପଲିଥିନ୍ ସାମଗ୍ରୀଗୁଡ଼ିକୁ ଚିହ୍ନଟ କରିଥିଲେ।

ଏହାପରେ ବିଏମ୍‌ସି ଡେପୁଟି କମିସନର (ସାନିଟେସନ୍) ଶୁଭେନ୍ଦୁ କୁମାର ସାହୁଙ୍କ ନିର୍ଦ୍ଦେଶରେ ବିଏମ୍‌ସି ଏସ୍‌ବିଏ ସେଲ୍‌ର ଏନ୍‌ଭିରନ୍‌ମେଣ୍ଟ ଏକ୍ସପର୍ଟ କୀର୍ତ୍ତିମାନ ଷଡ଼ଙ୍ଗୀ ଓ ସୁନିଲ କୁମାର ସାମଲ ଉକ୍ତ କାରଖାନାକୁ ଯାଇ ବେଆଇନ ସାମଗ୍ରୀଗୁଡ଼ିକର ସମୀକ୍ଷା କରିବା ସହ ଏହାର ବିବରଣୀ ବିଏମ୍‌ସିକୁ ହସ୍ତାନ୍ତର କରିଛନ୍ତି। ଏହି କାରଖାନାରୁ ମୋଟ ୬୯ଟି ୨୫ କେଜି ବିଶିଷ୍ଟ ପଲିଥିନ୍ କ୍ୟାରିବ୍ୟାଗ୍ ବସ୍ତାକୁ ଜବତ କରାଯାଇଛି। କାରଖାନା ମାଲିକଙ୍କୁ ୧୦ ହଜାର ଟଙ୍କା ଜରିମାନା ହୋଇଛି। ଏଥିସହ ଭବିଷ୍ୟତରେ ଏପରି ସାମଗ୍ରୀର ଉତ୍ପାଦନ ନ କରିବାକୁ ଉକ୍ତ କାରଖାନାକୁ କଡ଼ା ଚେତାବନୀ ଦିଆଯାଇଛି। ଭୁବନେଶ୍ୱରକୁ ପଲିଥିନ୍ ଓ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ ଦୂରେଇ ରଖି ଏକ ପରିବେଶ ଉପଯୋଗୀ ସହର ଭାବେ ଗଢ଼ି ତୋଳିବାରେ ବିଏମ୍‌ସିର ଏହି ପ୍ରୟାସ ଜାରି ରହିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସୂଚନା‌ଯୋଗ୍ୟ ଯେ ପୂର୍ବବର୍ଷ ମଧ୍ୟ ଏହି କାରଖାନା‌ ଉପରେ ଚଢ଼ଉ କରାଯାଇଥିଲା। ତେବେ ଏବେ କିପରି କଟକଣା ମାନି କାରଖାନା ଚାଲୁଛି, ତାହା ପରଖିବା ପାଇଁ ଦକ୍ଷିଣ-ପଶ୍ଚିମ ଜୋନ୍‌ର ଏନ୍‌ଫୋର୍ସମେଣ୍ଟ ଟିମ୍‌, ପୁଲିସ ଓ ସେଣ୍ଟ୍ରାଲ ଏନ୍‌ଫୋର୍ସମେଣ୍ଟ ଟିମ୍ ଆଜି ସେଠାକୁ ଯାଇଥିଲେ।

ସମ୍ବନ୍ଧିତ ଖବର