ପାତ୍ରପଡ଼ା ପଲିଥିନ୍ କାରଖାନାରେ ଚଢ଼ଉ, ବିପୁଳ ପଲିଥିନ୍ ଜବତ ଓ ଜରିମାନା

ଖଣ୍ଡଗିରି: ବୁଧବାର ଅପରାହ୍ଣରେ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପଲିଥିନ୍ ଯାଞ୍ଚ ସ୍କ୍ବାଡ୍‌ ପାତ୍ରପଡ଼ା ଭଗବାନପୁର ଶିଳ୍ପାଞ୍ଚଳସ୍ଥିତ ଏକ ପଲିଥିନ୍ କାରଖାନାରେ ଚଢ଼ଉ କରିଥିଲା। ତାରାତାରିଣୀ ପ୍ୟାକେଜିଂ ନାମକ ଏହି କାରଖାନାର ୪ ହଜାର ବର୍ଗଫୁଟ ଗୋଦାମରେ ଚଢ଼ଉ ବେଳେ ସେଠାରୁ ବିପୁଳ ପରିମାଣର ନିଷେଧ ମାନର ପଲିଥିନ୍‌ ମିଳିଥିଲା। ବେଆଇନ୍‌ ଭାବେ ୫୦ ମାଇକ୍ରନ୍‌ଠାରୁ କମ୍ ମାନର ପଲିଥିନ୍ ତିଆରି କରୁଥିବାରୁ କମ୍ପାନି ଉପରେ ଏକ ଲକ୍ଷ ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି। ସେହିଭଳି ଏହି ଅଭିଯାନ ବେଳେ ଖଣ୍ଡଗିରି ଛକରୁ ଏକ ପଲିଥିନ୍‌ ବୋଝେଇ ମିନିଟ୍ରକ୍‌କୁ ମଧ୍ୟ ଜବତ କରାଯାଇଥିଲା ଓ ତା’ଠାରୁ ୫୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା।

ସୂଚନାନୁସାରେ, ତାରାତାରିଣୀ ପ୍ୟାକେଜିଂ କମ୍ପାନି ୨୦୧୮ ମସିହାରୁ ପଲିଥିନ୍ ତିଆରି ପାଇଁ ଲାଇସେନ୍‌ସ ପାଇଛି। ୫୦ ମାଇକ୍ରନ୍‌ଠାରୁ ଅଧିକ ମାନର ପଲିଥିନ୍ ତିଆରି ପାଇଁ ଏହି ଲାଇସେନ୍‌ସ ମିଳିଛି। କିନ୍ତୁ ଆଜି ଚଢ଼ଉ ବେଳେ ଉକ୍ତ କମ୍ପାନିର ଗୋଦାମରେ ବିପୁଳ(ପ୍ରାୟ ଏକ ଟ୍ରକ୍‌) ନିଷେଧ ମାନ(୫୦ ମାଇକ୍ରନ୍‌ରୁ କମ୍‌)ର ପଲିଥିନ୍ ମିଳିଥିଲା। ତେଣୁ ବେଆଇନ ଭାବେ ତିଆରି ହୋଇଥିବା ମାଲ୍‌କୁ ଜବତ କରାଯାଇଥିଲା। ପଲିଥିନ୍ ଯାଞ୍ଚ ସ୍କ୍ବାଡ୍‌ର ଅଧିକାରୀ ରବିନାରାୟଣ ଜେଠିଙ୍କ ନେତୃତ୍ବରେ ଏହି ଚଢ଼ଉ ହୋଇଥିଲା।

ସମ୍ବନ୍ଧିତ ଖବର