ରେସ୍ତୋରାଁ, ଗ୍ରୋସରିରେ ବିଏମ୍‌ସିର ଚଢ଼ଉ

୩ ସଂସ୍ଥାକୁ ଜରିମାନା

ଭୁବନେଶ୍ବର: ବିଏମ୍‌ସିର ଖାଦ୍ୟ ନିରାପତ୍ତା ଦଳ ଆଜି ପୁରୀ ବାଇପାସ୍ ରୋଡ୍‌ରେ ଥିବା ‘ଏସଆରଏସ୍ ଫୁଡ୍ ଦରବାର’ ରେସ୍ତୋରାଁ ଉପରେ ଚଢ଼ଉ କରିଛି। ବିନା ଲାଇସେନସ୍‌‌ରେ ଚାଲୁଥିବା ଏହି ରେସ୍ତୋରାଁକୁ ତୁରନ୍ତ ଲାଇସେନସ୍‌ କରିବା ପାଇଁ ବିଏମ୍‌ସି ନୋଟିସ୍‌ କରିଛି। ଏହାସହ ରେସ୍ତୋରାଁର ଖାଦ୍ୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ଖାଦ୍ୟ ତିଆରି ବେଳେ ବ୍ୟବହାର ହେଉଥିବା ନକଲି ରଙ୍ଗକୁ ନଷ୍ଟ କରାଯାଇଛି। ନିକଟ ଅତୀତରେ ଦୂରଦର୍ଶନ କେନ୍ଦ୍ର ନିକଟରେ ବିନା ଲାଇସେନ୍ସରେ ଚାଲୁଥିବା କିଶୋର ଭାଇନା ମଟନ୍‌ ଦୋକାନକୁ ବିଏମ୍‌ସି ସିଲ୍‌ କରିବା ସହ ଜବରଦଖଲରେ ଥିବାରୁ ଉଚ୍ଛେଦ କରିଥିଲା। କିନ୍ତୁ ଏତେ ଦିନ ଧରି ବିନା ଲାଇସେନସ୍‌ରେ ଚାଲୁଥିବା ଫୁଡ୍‌ ଦରବାରକୁ କାହିଁକି ସିଲ୍‌ କରାଗଲା ନାହିଁ, ସେନେଇ ପ୍ରଶ୍ନ ଉଠିଛି।

ଏହାବ୍ୟତୀତ ବିଏମ୍‌ସି ଆଜି ଫାୟାର ଷ୍ଟେସନ୍‌ ଛକରେ ଥିବା ଏକ ଗ୍ରୋସରି ଦୋକାନରେ ଚଢ଼ଉ କରି ୫ହଜାର ଟଙ୍କା ଜରିମାନା କରିଛି। ଦୋକାନଠାରୁ ୫ ମିଟର ପର୍ଯ୍ୟନ୍ତ ସଫା‌ ରଖିବାକୁ ନିର୍ଦ୍ଦେଶ ଥିଲେ ମଧ୍ୟ ବ୍ୟବସାୟୀ ମାନି ନଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଇଛି। ସେହିପରି ଅନ୍ନପୂର୍ଣ୍ଣା ଟାଵାରରେ ଥିବା ‘ରିଲାଏନ୍ସ ଫ୍ରେସ୍’ରେ ଚଢ଼ଉ କରାଯାଇଥିଲା। ସେଠାରେ ଏକ୍ସପାରି ତାରିଖ ଥିବା କେତେକ ଖାଦ୍ୟ ସାମଗ୍ରୀ ବିକ୍ରି ହେଉଥିବା ଦିବ୍ୟଜ୍ୟୋତି ମହାନ୍ତି ଟ୍ବିଟ୍‌ ଜରିଆରେ ଅଭିଯୋଗ କରିଥିଲେ।

ଚଢ଼ଉ ଦଳ ସେଠାରେ ସମସ୍ତ ଏକ୍ସପାରି ଖାଦ୍ୟ ପଦାର୍ଥକୁ ନଷ୍ଟ କରିଦେଇଥିଲେ। କିନ୍ତୁ ଜରିମାନା ଆଦାୟ କରାଯାଇ ନଥିଲା। କେବଳ ସଂସ୍ଥାର ଜେନେରାଲ ମ୍ୟାନେଜର୍‌ଙ୍କୁ ତାଗିଦ୍‌ କରି ଛାଡ଼ି ଦିଆଯାଇଥିଲା। ତେବେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଲୋକେ ଟ୍ବିଟ୍‌ କରି ବିଏମ୍‌ସିର ଏପରି ଅଧାଅଧୁରା କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି। ସେହିଭଳି ହଂସପାଳ ଛକରେ ଥିବା ‘ଦେଶୀ ଆଡିକ୍ଟ’ ଉପରେ ମଧ୍ୟ ଚଢ଼ଉ ହୋଇଥିଲା। ନିମ୍ନମାନର ଖାଦ୍ୟ ପରିବେଷଣ ହେଉଥିବା ନେଇ ଶାଶ୍ବତ ସିଂହଦେଓ ଟ୍ବିଟ୍‌ ଜରିଆରେ ହୋଇଥିବା ଅଭିଯୋଗ କରିଥିବାରୁ, ଆଜି ଏହି ଚଢ଼ଉ ହୋଇଥିଲା। ସେଠାରେ ୪.୫କେଜି ବାସି ଖାଦ୍ୟ ଜବତ କରାଯିବା ସହ ନକଲି ରଙ୍ଗ ନଷ୍ଟ କରାଯାଇଥିଲା। ଆଗକୁ ଖାଦ୍ୟର ମାନ ଠିକ୍‌ ରଖିବା ପାଇଁ ନୋଟିସ୍‌ କାଯାଇଥିଲା।

ସମ୍ବନ୍ଧିତ ଖବର