ଟ୍ରେନ୍‌ରେ ବୁଲା ବିକାଳିଙ୍କ ଉପରେ ଚଢ଼ଉ ଜାରି

୨୦୧୮ରୁ ଏପର୍ଯ୍ୟନ୍ତ ୬୨୯୮ ବୁଲାବିକାଳିଙ୍କୁ ଜରିମାନା

ଭୁବନେଶ୍ବର: ଟ୍ରେନ୍‌ରେ ଯାତ୍ରୀଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ବୁଲା ବିକାଳିଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଆପଣେଇ ଚାଲିଛି ରେଳ ବିଭାଗ। ସିଧାସଳଖ ଜରିମାନା ଆଦାୟ ନକରି ସେମାନଙ୍କୁ ସ୍ବତନ୍ତ୍ର ରେଲୱେ ମାଜିଷ୍ଟ୍ରେଟ୍‌ କୋର୍ଟରେ ହାଜର କରାଯାଇ ବିଚାରପୂର୍ବକ ଜରିମାନା ଆଦାୟ କରି ଛଡ଼ାଯାଉଛି। ରେଳ ସୁରକ୍ଷା ବଳ(ଆର୍‌ପିଏଫ୍‌) ପକ୍ଷରୁ ରୀତିମତ ଚଢ଼ଉ ଜାରି ରହିଛି। ଫଳରେ ଆଉ ବୁଲା ବୁକାଳିଙ୍କ ଡାକ କିମ୍ବା ସେମାନଙ୍କ ଖାଦ୍ୟ ଓ ଅନ୍ୟ ବ୍ୟାବସାୟିକ ସାମଗ୍ରୀ କିଣିବାରୁ ଯାତ୍ରୀମାନେ ବଞ୍ଚିତ ହେଉଛନ୍ତି।

ଆର୍‌ପିଏଫ୍‌ର ବରିଷ୍ଠ ଅଧିକାରୀ ବରୁଣ କୁମାରଙ୍କ ସୂଚନା ମୁତାବକ, ୨୦୧୮ ମସିହାରେ ଚଢ଼ଉ ଅଭିଯାନକୁ ତ୍ବରାନ୍ବିତ କରାଯାଇଥିଲା। ଗତ ବର୍ଷ ଜାନୁଆରିରୁ ଡିସେମ୍ବର ମଧ୍ୟରେ ଚଢ଼ଉ ବେଳେ ୪୩୯୫ ଜଣ ବୁଲା ବିକାଳିଙ୍କୁ ଧରାଯାଇ ସେମାନଙ୍କୁ ବିଚାର ପାଇଁ ରେଲୱେ ମାଜିଷ୍ଟ୍ରେଟ୍‌ କୋର୍ଟରେ ହାଜର କରାଯାଇଥିଲା। ସେହିପରି ଚଳିତ ବର୍ଷ ଜାନୁଆରିରୁ ମେ’ ମଧ୍ୟରେ ୧୬୯୭ ଜଣ ଏବଂ ଚଳିତ ଜୁନ୍ ମାସରେ ୧ରୁ ୨୦ ତାରିଖ ମଧ୍ୟରେ ୨୦୬ ଜଣ ବୁଲା ବିକାଳିଙ୍କୁ ଟ୍ରେନ୍‌ରେ ବିକ୍ରିବଟା ବେଳେ ଆର୍‌ପିଏଫ୍‌ ଧରି ନେଇଥିଲା। ଓଡ଼ିଶାରେ ମାତ୍ର ଦୁଇଟି ସ୍ଥାନରେ ଖୋର୍ଧା ଓ କଣ୍ଟାବାଞ୍ଜିରେ ସ୍ବତନ୍ତ୍ର ରେଲ୍‌ୱେ ମାଜିଷ୍ଟ୍ରେଟ୍‌ କୋର୍ଟ ଥିବାରୁ ବିଭିନ୍ନ ସ୍ଥାନରେ କୋର୍ଟ ଶିବିର ଆୟୋଜନ କରି ବୁଲା ବିକାଳିଙ୍କ ମାମଲାର ବିଚାର କରି ଜରିମାନା ଆଦାୟ କରାଯାଉଛି। ଅତି ବେଶିରେ ୧ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ସହ ଆଉ ନବିକିବା ପାଇଁ ଚେତାବନୀ ଦେଇ ଛଡ଼ାଯାଉଛି। ତେବେ ବୁଲା ବିକାଳିମାନେ ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କ ଯୁକ୍ତିକୁ ଦେଖି କେତେକ ବୁଲା ବିକାଳିଙ୍କ ଉପରେ ୧୦୦ କିମ୍ବା ୨ଶହ ଟଙ୍କା ମଧ୍ୟ ଜରିମାନା କରାଯାଉଛି। ବରିଷ୍ଠ ଅଧିକାରୀ ବରୁଣ କୁମାର କହିଛନ୍ତି ଯେ ଏହାଦ୍ବାରା ଟ୍ରେନ୍‌ ମଧ୍ୟରେ ଅପରାଧିକ କାର୍ଯ୍ୟକଳାପ ବହୁ ସଂଖ୍ୟାରେ ହ୍ରାସ ପାଇବ।

ସମ୍ବନ୍ଧିତ ଖବର