ନିୟମ ଫୁ କରି ଚାଲିଥିଲା ନାଚଗୀତର ଆସର
ମନୀଷ ମୃତ୍ୟୁ ପରେ ଅବକାରୀ ବିଭାଗ ନିଦ ଭାଙ୍ଗିଲା
ଭୁବନେଶ୍ୱର : ପାତ୍ରପଡ଼ା ସାଉଥ୍ ସିଟି ବାର୍ରେ ବିଳମ୍ବିତ ରାତି ଯାଏ ଘଟିଥିବା ଗଣ୍ଡଗୋଳକୁ କେନ୍ଦ୍ର କରି ମନୀଷ ଅନୁରାଗଙ୍କ ହତ୍ୟାକାଣ୍ଡ ପରେ ଅବକାରୀ ବିଭାଗର ନିଦ ଭାଙ୍ଗିଛି। ସବୁ ନିୟମକୁ ଫୁ’ କରି ରାଜଧାନୀରେ ଏଭଳି ଅନେକ ବାର୍ରେ ନାଚଗୀତ, ମଦମାଂସର ଆସର ଜମୁଥିବା ଜଣାପଡ଼ିବା ପରେ ମଙ୍ଗଳବାର ଦିନ ଅବକାରୀ ଫ୍ଲାଇଂ ସ୍କ୍ବାଡ୍ ଓ ଗୁଇନ୍ଦା ଟିମ୍ ମିଳିତ ଭାବେ ରାଜଧାନୀର ୭ଟି ବାର୍ରେ ରାତି ଅଧିଆ ଚଢ଼ଉ କରିଛନ୍ତି। ଚଢ଼ଉ ସମୟରେ ଖୋଲାଖୋଲି ନିୟମ ଉଲ୍ଲଂଘନ କରି ବାର୍ ଗାର୍ଲଙ୍କ ଖୁଲମଖୋଲା ନାଚଗୀତର ଆସର ଜମିଥିବାବେଳେ ବିନା ଅନୁମତିରେ ଡ୍ୟାନ୍ସ ଓ ମ୍ୟୁଜିକ୍ ବାଜୁଥିବା ୩ଟି ବାର୍କୁ ସିଲ୍ କରି ଦିଆଯାଇଛି।
ମଙ୍ଗଳବାର ଦିନ ଏକାଧିକ ଅବକାରୀ ଟିମ୍ ପ୍ରଥମେ କଟକରୋଡରେ ଥିବା ୫ଟି ବାର୍ରେ ଚଢ଼ଉ କରିଥିଲେ। ଲିଭ୍ ଇଟ୍ ଅପ୍, ଏକାମ୍ର ଓ ନଶା ବାର୍ରେ ଚଢ଼ଉ ବେଳେ ମ୍ୟୁଜିକ୍ର ତାଳେତାଳେ ଡ୍ୟାନ୍ସ ଚାଲିଥିବା ସାମ୍ନାକୁ ଆସିବାରୁ ଏହି ୩ଟି ବାରକୁ ସିଲ୍ କରି ଦିଆଯାଇଥିଲା। ଏହା ପରେ ଅଶୋକା ଓ ସେଲଫିରେ ମଧ୍ୟ ଚଢ଼ଉ ସମୟରେ କୋଭିଡ୍ ଓ ଅବକାରୀ ଆଇନର ଉଲ୍ଲଂଘନ ହୋଇଥିବା ଜଣାପଡ଼ିଥିଲା। ତେଣୁ ଏ ନେଇ ଦୁଇ ବାର୍କୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ସେହିପରି ୟୁନିଟ୍-୮ ଅଞ୍ଚଳର ଅଜିତ୍ ବାର୍ ଓ ପଟିଆ ଏମ୍ବାସି ବାରରେ ମଧ୍ୟ ଚଢ଼ଉ କରାଯାଇଥିଲା। ରାତି ସାଢ଼େ ୯ଟାରେ ବାର ବନ୍ଦ ହେବାର ନିୟମ ଥିଲା ବେଳେ ଅଧିକ ସମୟ ପର୍ଯ୍ୟନ୍ତ ଖୋଲା ରହୁଥିବା ଅଭିଯୋଗରେ ଚଢ଼ଉ ହୋଇଥିବା ଜଣେ ଅଧିକାରୀ କହିଛନ୍ତି।
ରାଜଧାନୀର କୌଣସି ବାର୍କୁ ଏଯାଏ ଡ୍ୟାନ୍ସ କିମ୍ବା ମ୍ୟୁଜିକ୍ ପାଇଁ ଅନୁମତି ମିଳିନାହିଁ। କିନ୍ତୁ ଅଧିକାଂଶ ବାର୍ ଏହି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ଚାଲିଛନ୍ତି। ପୂର୍ବରୁ ଅନେକ ଥର ଚଢ଼ଉ ହୋଇଥିଲେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ବାରମ୍ବାର ଆଇନକୁ ଫାଙ୍କି ବେଆଇନ କାମ କରୁଛନ୍ତି। ମନୀଷ ମୃତ୍ୟୁ ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର୍ ଖୋଲା ରହିବା ସହ ବେଆଇନ କାର୍ଯ୍ୟ ଚାଲୁଥିବା ନେଇ ଗୁମର ଖୋଲି ଯାଇଥିଲା। ଆଗକୁ ଏହିଭଳି ଚଢ଼ଉ ଜାରି ରହିବ ବୋଲି ଜଣେ ଅଧିକାରୀ କହିଛନ୍ତି।