ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସ କାଜୁଆଲିଟି ବିଭାଗ ରେଡ୍ ଜୋନ୍ର ଗୋଟିଏ କାନ୍ଥ ଦବିଯାଇଛି। କାନ୍ଥ ଭୁଶୁଡ଼ି ପଡ଼ିବା ଆଶଙ୍କା କରି ଆଜି ଏମ୍ସ କର୍ତୃପକ୍ଷ କାଜୁଆଲିଟିର ରେଡ୍ ଜୋନ୍ ଓ ୟେଲୋ ଜୋନ୍ର ୧୮ଟି ବେଡ୍ ପିଏମ୍ଆର୍ ୱାର୍ଡକୁ ସ୍ଥାନାନ୍ତର କରିଛନ୍ତି। ଖବର ପାଇ ଖୋର୍ଦ୍ଧା ଜିଲ୍ଲାପାଳ ଓ ସିପିଡବ୍ଲ୍ୟୁଡିର ଇଂଜିନିୟରମାନେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ସେଭଳି ବିପଜ୍ଜନକ ପରିସ୍ଥିତି ନଥିଲେ ହେଁ ଖୁବ୍ ଶୀଘ୍ର ଏହି କାନ୍ଥର ମରାମତି କରାଯିବ ବୋଲି ସିପିଡବ୍ଲ୍ୟୁର ଇଂଜିନିୟରମାନେ ସୂଚନା ଦେଇଛନ୍ତି। ଗତ ୧୫ ଦିନ ପୂର୍ବେ କାଜୁଆଲିଟି ବିଭାଗ ରେଡ୍ ଜୋନ୍ର ଏକ କାନ୍ଥରେ ପ୍ରଥମେ ଗୋଟିଏ ଛୋଟ ଫାଟ ଦେଖା ଯାଇଥିଲା। ଏହାକୁ ପ୍ଲାଷ୍ଟର୍ ଫାଟ ବୋଲି ଧରିନେଇ କେହି ଗୁରୁତ୍ୱ ଦେଇ ନଥିଲେ। କିନ୍ତୁ ଫାଟଟି ଦିନକୁ ଦିନ ବଢ଼ୁଥିବା ଦେଖାଗଲା। ତେବେ ଗତ ୩ ଦିନ ପୂର୍ବେ ଉକ୍ତ କାନ୍ଥଟି ଦବିଯିବା ସ୍ପଷ୍ଟ ଜଣାଗଲା। ତେଣୁ ଏମ୍ସ କର୍ତୃପକ୍ଷ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ପରିଚାଳନା କମିଟି ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସହ ଯୋଗାଯୋଗ କରିଥିଲେ। ଖବର ପାଇ ଆଜି ଏମ୍ସ କରିଚାଳନା କମିଟିର ଅନ୍ୟତମ ସଦସ୍ୟ ତଥା ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର, ଉପଜିଲ୍ଲାପାଳ ମାନସ ସାମଲ ଓ ସିପିଡବ୍ଲ୍ୟୁଡିର ସୁପରିଟେଣ୍ଡିଂ ଇଂଜିନିୟରଙ୍କ ସହ ଏକ ଟିମ୍ ଏମ୍ସ କାଜୁଆଲିଟି ବିଭାଗ ପରିଦର୍ଶନରେ ଆସିଥିଲେ। କାନ୍ଥ ଦବିବା ଯୋଗୁ ଏପରି ଫାଟ ସୃଷ୍ଟି ହୋଇଥିବା ସ୍ପଷ୍ଟ ହୋଇଥିଲା। ଯାଞ୍ଚ ପରେ ଜଣାଗଲା ଯେ କାନ୍ଥଟି କଂକ୍ରିଟ୍ ବିମ୍ ଉପରେ ଗଢ଼ାହୋଇ ନାହିଁ, ବରଂ ସିଧାସଳଖ ମାଟି ଉପରେ ଗଢ଼ାଯାଇଛି। ଲଗାଣ ବର୍ଷା ପାଇଁ ମାଟି ଦବିବା କାରଣରୁ କାନ୍ଥ ଦବିଯାଇଛି ବୋଲି ଇଂଜିନିୟରମାନେ ପ୍ରାଥମିକ ଯାଞ୍ଚରୁ ଜାଣିବାକୁ ପାଇଥିଲେ। ତେଣୁ କାନ୍ଥକୁ ଭାଙ୍ଗି ପୁଣି ଥରେ ମୂଳରୁ କଂକ୍ରିଟ୍ ବିମ୍ ଉପରେ ଗଢ଼ିବାକୁ ପଡ଼ିବ ବୋଲି ନିଷ୍ପତ୍ତି ହୋଇଥିଲା। ତେବେ ଏଥିପାଇଁ ପୂରା ବିଲ୍ଡିଂ ପ୍ରତି କୌଣସି ବିପଦ ନାହିଁ ବୋଲି ସେମାନେ ମତ ଦେଇଥିଲେ। କଂକ୍ରିଟ୍ ପିଲାର ଷ୍ଟ୍ରକ୍ଚର୍ ଉପରେ ବିଲ୍ଡିଂ ଠିଆ ହୋଇଥିବାରୁ କାନ୍ଥ ଫାଟିବା ବା ଦବିବା ଦ୍ୱାରା ମୁଖ୍ୟ ବିଲ୍ଡିଂ ପ୍ରଭାବିତ ହେବାର କାରଣ ନାହିଁ ବୋଲି ଇଂଜିନିୟରମାନେ କହିଛନ୍ତି। ଖୁବ୍ ଶୀଘ୍ର ଏହି ମରାମତି କାର୍ଯ୍ୟ ସିପିଡବ୍ଲ୍ୟୁଡି କରିବ ବୋଲି ସୂଚନା ମିଳିଛି। ଏମ୍ସ ହସ୍ପିଟାଲ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତିଙ୍କ ସୂଚନାନୁସାରେ ଆଜି କାଜୁଆଲିଟି ବିଭାଗର ରେଡ୍ ଜୋନ୍ ଓ ୟେଲୋ ଜୋନ୍ରୁ ୧୮ଟି ବେଡ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ତେବେ ରୋଗୀ ସେବା ଜାରି ରହିଛି। ବେଡ୍ ସ୍ଥାନାନ୍ତର ଦ୍ୱାରା କାଜୁଆଲିଟି ସେବାରେ କୌଣସି ପ୍ରଭାବ ପଡ଼ିବ ନାହିଁ। ତେଣୁ ଏଭଳି ଖବରକୁ ନେଇ ଆତଙ୍କିତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି।
ରେଡ୍ ଜୋନ୍ କାନ୍ଥ ଦବିଲା
ଏମ୍ସ କାଜୁଆଲିଟିରୁ ୧୮ ବେଡ୍ ସ୍ଥାନାନ୍ତର
/sambad/media/post_attachments/wp-content/uploads/2018/08/arjun-aiims.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)