ଖଣ୍ଡଗିରି : ଭୁବନେଶ୍ୱରର ୟାଜ୍ଦାନି କ୍ଲବ-୭୩କୁ ପରାସ୍ତ କରି ଜଟଣୀ ରେଳବାଇ କ୍ଲବ୍ ୨୫ତମ ତମାଣ୍ଡୋ କପ୍ ବିଜେତା ହୋଇଛି। ରବିବାର ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲ୍ରେ ରେଳବାଇ ଦଳ ୧-୦ ଗୋଲ୍ରେ ମ୍ୟାଚ୍ ଜିତି ନେଇଥିଲା। ବିଦେଶୀ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ସତ୍ୱେ ୟାଜ୍ଦାନି ଦଳ ଉପବିଜେତାରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଥମାର୍ଧର ୨୧ ମିନିଟ୍ରେ ଜଟଣୀ ଦଳର ଲାଲା ସୁଶାନ୍ତ ଶେଖର ରାୟ ବିଚକ୍ଷଣ ଗତିରେ ୟାଜ୍ଦାନି ଦଳର ରକ୍ଷଣଭାଗକୁ ଅତିକ୍ରମ କରି ଏକ ଆକର୍ଷଣୀୟ ଗୋଲ୍ କରିଥିଲେ। ଏଥି ସହିତ ରେଳବାଇ ଦଳ ୧-୦ରେ ଅଗ୍ରଣୀ ରହିଥିଲା। ଗୋଲ୍ ଶୁଝିବା ପାଇଁ ୟାଜ୍ଦାନି ଦଳ ଘନଘନ ଆକ୍ରମଣ କରିଥିଲେ ବି ସଫଳ ହୋଇ ନଥିଲା। ଦ୍ୱିତୀୟାର୍ଧରେ ୟାଜ୍ଦାନି ଦଳର ବିଦେଶୀ ସୁଦାନ ଖେଳାଳୀ ଓଜିଲ୍ ଗୋତିକ୍ୱେଟ୍ ଦର୍ଶକଙ୍କ ଭରପୁର ସମର୍ଥନ ପାଇ ଅଧିକ ଆକ୍ରାମକ ହୋଇପଡ଼ିଥିଲେ ଓ କେତୋଟି ଗୋଲ୍ ସୁଯୋଗ ସୃଷ୍ଟି କରିଥିଲେ। ମାତ୍ର ରେଳବାଇ ଦଳର ଗୋଲ୍ରକ୍ଷକ ଚନ୍ଦ୍ରଶେଖର ବେହେରା ସବୁ ପଣ୍ଡ କରି ଦେଇଥିଲେ। ମ୍ୟାଚ୍ ପରିଚାଳନା କରିଥିଲେ ଶିବଶଙ୍କର ପଣ୍ଡା, ରାଜୁ ମହାନ୍ତି, ପ୍ରିୟବ୍ରତ ବାହିନୀପତି ଓ ସୁଦୀପ୍ତ ଦାସ।
ତମାଣ୍ଡୋ ମିନି ଷ୍ଟାଡିୟମ୍ରେ ଆୟୋଜକ ଶିବଶକ୍ତି କ୍ଲବ ଆନୁକୂଲ୍ୟରେ ଚାଲିଥିବା ଏହି ପ୍ରତିଯୋଗିତାର ପୁରସ୍କାର ବିତରଣୀ ଉତ୍ସବରେ ଦୁଃଶାସନ ସ୍ୱାଇଁ ସଭାପତିତ୍ୱ କରିଥିଲେ। ରଣପୁର ବିଧାୟକ ରବି ନାରାୟଣ ମହାପାତ୍ର, ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ, ଭୁବନେଶ୍ୱର ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ସଂଜିଲ୍ ବଳିୟାରସିଂହ, ସରପଞ୍ଚ ଜଗମୋହନ ପ୍ରଧାନ ଅତିଥିଭାବେ ଯୋଗ ଦେଇଥିଲେ। ବିଜେତା ଦଳକୁ ଟ୍ରଫି ସହ ନଗଦ ୧୫ ହଜାର ଟଙ୍କା ଓ ଉପବିଜେତା ଦଳକୁ ଟ୍ରଫି ସହ ନଗଦ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ୟାଜ୍ଦାନି ଦଳର ଓଜିଲ୍ଙ୍କୁ ପ୍ରତିଯୋଗିତର ଶ୍ରେଷ୍ଠ ଖେଳାଳି, ରେଳବାଇ ଦଳର ଲାଲା ସୁଶାନ୍ତ ରାୟଙ୍କୁ ଫାଇନାଲ୍ର ଶ୍ରେଷ୍ଠ ଖେଳାଳି ଏବଂ ସେମି ଫାଇନାଲ୍ ଓ ଫାଇନାଲ୍ରେ ଗୋଲ୍ ବଞ୍ଚାଇ ଦଳକୁ ବିଜେତା କରାଇଥିବା ଚନ୍ଦ୍ରଶେଖର ବେହେରାଙ୍କୁ ଶ୍ରେଷ୍ଠ ଗୋଲରକ୍ଷକ ପୁରସ୍କାର ମିଳିଥିଲା।