ଭୁବନେଶ୍ୱର : ଷ୍ଟେସନ୍ ଓ ମାଷ୍ଟରକ୍ୟାଣ୍ଟିନ୍ ଅଞ୍ଚଳ ହେଉଛି ସ୍ମାର୍ଟ ସିଟି ଭୁବନେଶ୍ୱରର ପ୍ରବେଶ ପଥ। ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀମାନେ ଭୁବନେଶ୍ୱରକୁ ଏହି ଛକ ଦେଇ ଆସିଥାନ୍ତି। ସହରର ଏହି ପ୍ରବେଶ ପଥକୁ ଅପରାଧମୁକ୍ତ ଓ ଟ୍ରାଫିକ୍ ବିହୀନ କରିବାକୁ କମିସନରେଟ୍ ପୁଲିସ ଦୁଇବର୍ଷ ତଳେ ପଦକ୍ଷେପ ନେଇଥିଲା। ଏହି କାରଣରୁ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଏକ ଫାଣ୍ଡି ପ୍ରତିଷ୍ଠା ହେଲା। ୨୪ ଘଣ୍ଟିଆ ପୁଲିସ ଫୋର୍ସ ମୁତୟନ ହେଲେ। କିନ୍ତୁ ପୂର୍ବଭଳି ଏବେ ପୁଣି ଥରେ ସେଠାରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମିବା ଆରମ୍ଭ ହୋଇ ଯାଇଛି। ଦିନ ରାତି ୨୪ ଘଣ୍ଟା ନିଶାଖାଇ ଯୁବକମାନେ ଘୂରି ବୁଲୁଛନ୍ତି। ବେଧଡ଼କ ଗଞ୍ଜେଇ କାରବାର ଚାଲିଛି। ଭୋର୍ରୁ ଜୁଆର ପସରା ବି ମେଲୁଛି। ନିଶା ଦିଆ ଲୁଟେରା ଏବେ ସେଠାରେ ସକ୍ରିୟ ଅଛନ୍ତି। ହେଲେ ବର୍ତମାନ ଏହି ଷ୍ଟେସନର ସ୍ଥିତି ଘରେ ନପଶୁଣୁ ଚାଳ ବାଜିଲା ପରି ଅବସ୍ଥା ସୃଷ୍ଟି କରୁଛି। ଶହ ଶହ ଯାତ୍ରୀ ତିକ୍ତ ଅନୁଭୂତି ନେଇ ଏହି ଷ୍ଟେସନରୁ ଫେରୁଛନ୍ତି।
ଖାଲି ସେତିକି ନୁହେଁ, ଷ୍ଟେସନ୍ର ପ୍ରବେଶ ପଥ ଏବେ ଜବରଦଖଲକାରୀଙ୍କ କବଜାରେ। ଫୁଟପାଥକୁ ଜଳଖିଆ ଦୋକାନୀ, ପାନ ଦୋକାନୀ, କପଡ଼ା ବ୍ୟବସାୟୀ, ଓ ଫଳ ବେପାରି କବଜା କରି ରଖିଛନ୍ତି। ସ୍ମାର୍ଟସିଟି ତାଲିକାରେ ଦେଶରେ ପ୍ରଥମ ସ୍ଥାନ ଅକ୍ତିଆର କରିଥିବା ରାଜଧାନୀ ଭୁବନେଶ୍ୱରର ଚିତ୍ର ବି ଖରାପ ହେଉଛି। କେବଳ ଏତିକି ନୁହେଁ, ଏହାର ପରିମଳ ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଦେଶରେ ସ୍ମାର୍ଟସିଟି ତାଲିକାରେ ପ୍ରଥମ ସ୍ଥାନ ଅକ୍ତିଆର କରିଥିବା ଭୁବନେଶ୍ୱରକୁ ଆସୁଥିବା ଲୋକମାନଙ୍କ ମନରେ ସ୍ମାର୍ଟସିଟି, ସ୍ମାର୍ଟସିଟିର ରେଳ ଷ୍ଟେସନକୁ ନେଇ କିଭଳି ଧାରଣା ସୃଷ୍ଟି ହେଉଥିବ ତାହା ସହଜେ ଅନୁମେୟ। ଏ ନେଇ ଥାନାରେ ପୁଳା ପୁଳା ଅଭିଯୋଗ ହେଉଥିଲେ ମଧ୍ୟ ପୁଲିସ ବିଭିନ୍ନ ବାହାନା କରି ପଛଘୁଞ୍ଚା ଦେଉଥିଲା। ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଶେଷରେ ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ ଷ୍ଟେସନ୍ ଓ ମାଷ୍ଟରକ୍ୟାଣ୍ଟିନ୍ ଅଞ୍ଚଳକୁ ଅପରାଧମୁକ୍ତ କରିବାକୁ ନିର୍ଦେଶ ଦେଇଥିଲେ। ଏଥିପାଇଁ ଜୋନ-୧ ଏସିପି ଅସୀମ ପଣ୍ଡାଙ୍କ ନେତୃତ୍ୱରେ ଦୁଇଟି ଟିମ୍ ଗଠନ ହୋଇଥିଲା। ଗୋଟିଏ ଟିମ୍ରେ କ୍ୟାପିଟାଲ୍ ଥାନା ପୁଲିସ ଥିବାବେଳେ ଅନ୍ୟ ଟିମ୍ରେ ଖାରବେଳନଗର ଥାନା ପୁଲିସ ରହିଛି। ଦିନ ରାତି ୨୪ ଘଣ୍ଟା ସେଠାରେ କମିସନରେଟ ପୁଲିସ ପାଟ୍ରୋଲିଂ କରିବ ବୋଲି କୁହାଯାଇଥିଲା। କିନ୍ତୁ ଏବେ କେବଳ ଜଣେ ଫାଣ୍ଡି ଏଏସ୍ଆଇ ହାତରେ ସମଗ୍ର ରେଳଷ୍ଟେସନ୍।
ଏବେ ବି ବେଧଡ଼କ ଗଞ୍ଜେଇ ବିକ୍ରି
ଯୋଜନା ଆରମ୍ଭ ହେବା ପରେ ପରେ କମିସନରେଟ୍ ପୁଲିସ ଷ୍ଟେସନ୍ରେ ଚଢ଼ଉ କରି ୩ ଜଣ ଚୋରା ଗଞ୍ଜେଇ ବ୍ୟବସାୟୀଙ୍କୁ ଗିରଫ କରିଥିଲା। ପୁଳା ପୁଳା ଗଞ୍ଜେଇ ଭର୍ତି ସିଗାରେଟ୍ ଓ ଗଞ୍ଜେଇ ଜବତ ହୋଇଥିଲା। ୩ ଜଣ ଗିରଫ ହୋଇ ଜେଲ୍ ଯାଇଥିଲେ। ତେବେ ସେମାନେ ଗିରଫ ହୋଇ ଜେଲ ଯିବା ପରେ ମଧ୍ୟ ଏବେ ବି ବନ୍ଦ ହୋଇ ନାହିଁ ଚୋରା ଗଞ୍ଜେଇ କାରବାର।
ଭୋର୍ରୁ ଚାଲିଛି ସଟ୍ଟା ଖେଳ
ଭୋର୍ରୁ ଷ୍ଟେସନ୍ର ପ୍ରସ୍ଥାନ ରାସ୍ତାରେ ବେଧଡ଼କ ଜୁଆ ଖେଳ ଚାଲୁଛି। ଷ୍ଟେସନ୍ରୁ ଅଟୋ ଷ୍ଟାଣ୍ଡକୁ ଲାଗି କରଥିବା ଅନ୍ଧାରୁଆ ସ୍ଥାନରେ ଟର୍ଚ ମରାଯାଇ ଜୁଆ (ସଟ୍ଟା) ଖେଳ ହେଉଛି। ଷ୍ଟେସନ୍ରୁ ଓହ୍ଲାଇ ଗାଁ ଗଣ୍ଡାକୁ ଯାଉଥିବା ନିରୀହ ଯାତ୍ରୀମାନେ ଟଙ୍କା ଲୋଭରେ ସଟ୍ଟା ଖେଳି କାଙ୍ଗାଳ ହେଉଛନ୍ତି। ଯଦି କେହି ଥରେ ସଟ୍ଟା ଜିତି ଯାଉଛି, ତାକୁ ପୁଣି ଥରେ ଜବରଦସ୍ତ ଖେଳିବାକୁ ବାଧ୍ୟ କରାଯାଉଛି। ଯଦି କେହି ନ ଖେଳୁଛି ସେମାନଙ୍କ ଉପରେ ଆକ୍ରମଣ ହେଉଛି।
ନିଶାଦିଆ ଲୁଟେରା ବି ସକ୍ରିୟ
ଷ୍ଟେସନ୍ ନିଶା ଦିଆ ଲୁଟେରାଙ୍କ ଆଡ୍ଡାସ୍ଥଳରେ ପରିଣତ ହୋଇଛି। ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀମାନଙ୍କ ଚାହା ଓ ବିସ୍କୁଟରେ ନିଶା ଦେଇ ଲୁଟପାଟ କରୁଛନ୍ତି। ଦୈନିକ ଏଭଳି ଅଭିଯୋଗ ଆସୁଥିଲେ ମଧ୍ୟ ପୁଲିସ ଜଣେ ହେଲେ ବି ନିଶା ଦିଆ ଲୁଟେରାଙ୍କୁ ଗିରଫ କରିବାରେ ସକ୍ଷମ ହୋଇ ନାହିଁ।