ରେଳ ଷ୍ଟେସନ୍ ଉନ୍ନତୀକରଣ ପାଇଁ ଖୁବ୍‌ ଶୀଘ୍ର ଏମ୍‌ଓୟୁ : କେବେ, କେଉଁଠି ନେଇ ଏବେବି କେଁ

ଭୁବ‌େନଶ୍ବର : ଭୁବନେଶ୍ବର ରେଳ ଷ୍ଟେସନ୍‌ ଉନ୍ନତୀକରଣ ପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟଡ୍‌ ପକ୍ଷରୁ ହୋଇଥିବା ଯୋଜନା ବାସ୍ତବ ରୂପ ନେବା ପାଇଁ ବାଟ ଖୋଲିଛି। ପ୍ରାୟ ଦେଢ଼ ବର୍ଷ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଟଣାଓଟରା ଲାଗିବା ପରେ ଉଭୟ ପ‌କ୍ଷ ଏବେ ଏମ୍‌ଓୟୁ ସ୍ବାକ୍ଷର କରିବା ପାଇଁ ରାଜି ହୋଇଛନ୍ତି। ରେ‌ଲୱେ ବୋର୍ଡର ନିୟମ ଅନୁଯାୟୀ, ରାଜ୍ୟ ସରକାର ଡିଜାଇନ୍ ବଦଳାଇବା ସହ ଏମ୍‌ଓୟୁ ସ୍ବାକ୍ଷର କରିବା ପାଇଁ ଡିସେମ୍ବର, ୨୦୧୮ରୁ ସହମତି ଜଣାଇ ସାରିଲେଣି। ଆଜି ରେଲୱେ ବୋର୍ଡ ଅଧ୍ୟକ୍ଷ ବିନୋଦ କୁମାର ଯାଦବ ଭୁବନେଶ୍ବର ରେଳ ଷ୍ଟେସନ ପରିଦର୍ଶନ କରିବା ପରେ ଏମ୍‌ଓୟୁ ଖୁବ୍‌ ଶୀଘ୍ର ସ୍ବାକ୍ଷର ହେବ ବୋଲି କହିଛନ୍ତି। ଫଳରେ ଆସନ୍ତା ମାସକ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷର ହେବାର ସମ୍ଭାବନା ଅଛି ବୋଲି ଉଭୟ ପକ୍ଷର ବରିଷ୍ଠ ଅଧିକାରୀମାନେ କହିଛନ୍ତି।

କିନ୍ତୁ ଏବେ ବି ବିବାଦର ମୂଳ ମଞ୍ଜି ଥିବା ସ୍ଥାନ ଠିକ୍‌ ହୋଇନି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସ୍ବାକ୍ଷର ହେବାକୁ ଥିବା ଏମ୍‌ଓୟୁ ନୂଆଦିଲ୍ଲୀରେ ହେବ ନା ଭୁବନେଶ୍ବରରେ ହେବ, ତାହା ସ୍ଥିର ହୋଇପାରିନି। ଯେଉଁଥିପାଇଁ ଏମ୍‌ଓୟୁ ଶୀଘ୍ର ସ୍ବାକ୍ଷର ହେବ ବୋଲି କୁହାଯାଉଥିଲେ ହେଁ ତାରିଖ ସ୍ଥିର ହୋଇପାରୁନି। ଏବେ ବି ସ୍ଥାନ ଓ ଦିନକୁ ନେଇ କେଁ ଥିବାରୁ ଏହି ଏମ୍‌ଓୟୁ ସ୍ବାକ୍ଷର କେଉଁଠି ଓ କେବେ ହେଉଛି ତାହାକୁ ସମସ୍ତଙ୍କର ଅପେକ୍ଷା।

ପୂର୍ବତଟ ରେଳପଥର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଗତ ଡିସେମ୍ବରରେ ଓଡ଼ିଶା ସରକାରଙ୍କ ନଗର ଉନ୍ନୟନ ବିଭାଗର ସଚିବ ଜି. ମାଥିଭାଥନନ୍‌ ପୂର୍ବତଟ ରେଳପଥର ପ୍ରମୁଖ ଯନ୍ତ୍ରୀ ଲକ୍ଷ୍ମୀ ନାରାୟଣଙ୍କୁ ଚିଠି ଲେଖି ଏମ୍‌ଓୟୁ ସ୍ବାକ୍ଷର ପାଇଁ ସହମତି ଜଣାଇଥିଲେ। ରେଳ ମନ୍ତ୍ରଣାଳୟ ସ୍ଥାନ ଓ ସମୟ ଠିକ୍‌ କରିବାକୁ ଚିଠିରେ ଲେଖିଥିଲେ। ଏବେ ରେଲୱେ ବୋର୍ଡ ଅଧ୍ୟକ୍ଷ ଖୁବ୍ ଶୀଘ୍ର ଏମ୍‌ଓୟୁ ସ୍ବାକ୍ଷର ହେବ ବୋଲି କହିଥିବାରୁ ‌ସ୍ଥାନ ଓ ତାରିଖ ହିଁ ସେ ଧାର୍ଯ୍ୟ କରିବେ। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ରାଜ୍ୟ ସରକାର ଭୁବନେଶ୍ବରରେ ଏମ୍‌ଓୟୁ ସ୍ବାକ୍ଷର ପାଇଁ ଯେଉଁଭଳି ଜିଦ୍‌ ଧରିଥିଲେ ତାହାକୁ ରଖିବାକୁ ‌ରେଲୱେ ବୋର୍ଡ ଅଧ୍ୟକ୍ଷଙ୍କୁ ମନାଇ ପାରିବେ ନା ରେଳ ମନ୍ତ୍ରଣାଳୟର ଜିଦ୍‌ରେ ନୂଆଦିଲ୍ଲୀରେ ଏମ୍‌ଓୟୁ ସ୍ବାକ୍ଷର ହେବ।

ପୂର୍ବରୁ ଦୁଇଥର ବାତିଲ୍‌ ହୋଇଛି ଏମ୍‌ଓୟୁ

ଏବେ ଏମ୍‌ଓୟୁ ସ୍ବାକ୍ଷର ପାଇଁ ଉଭୟ ପକ୍ଷ ରାଜି ହୋଇଥିଲେ ହେଁ ପୂର୍ବରୁ ଦୁଇଥର ଏମ୍‌ଓୟୁ ସ୍ବାକ୍ଷର ଶେଷ ମୁହୂର୍ତ୍ତରେ ବାତିଲ୍‌ ହୋଇଛି। ଜାନୁଆରି ୨୦, ୨୦୧୮ରେ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ଏବ˚ ରାଜ୍ୟ ସରକାରଙ୍କ ପକ୍ଷରୁ ବିଡିଏ ମଧୢରେ ଏମ୍‌ଓୟୁ ସ୍ବାକ୍ଷର ହେବାକୁ ଥିବା ବେଳେ ଏହା ଶେଷ ମୁହୂର୍ତ୍ତରେ ବାତିଲ୍ ହୋଇଯାଇଥିଲା। ସେ ସମୟରେ ଏମ୍‌ଓୟୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏମ୍‌ଓୟୁ ସ୍ବାକ୍ଷର କରିବାକୁ ଥିବା ଖୋର୍ଦ୍ଧା ରୋଡ୍‌ ଡିଭିଜନର ରେଲଵ ମ୍ୟାନେଜର୍‌ ବ୍ରିଜମୋହନ ଅଗ୍ରଵାଲ ହଠାତ୍‌ ଅସୁସ୍ଥ ହୋଇଯାଇଥିବାରୁ ଏମ୍‌ଓୟୁ ବାତିଲ୍‌ ହୋଇଥିଲା। ରେଳ ମନ୍ତ୍ରାଳୟ ଜାଣିଶୁଣି ଏମ୍‌ଓୟୁ ବାତିଲ୍‌ କଲା ବୋଲି ରାଜ୍ୟ ସରକାରଙ୍କ କିଛି ବରିଷ୍ଠ ଅଧିକାରୀ ଅଭିଯୋଗ କରିଥିଲେ।

ଏହାପରେ ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ଏପ୍ରିଲ ୨୭, ୨୦୧୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ମେ ୨୩, ୨୦୧୮ରେ ଏମ୍‌ଓୟୁ ସ୍ବାକ୍ଷର କାର୍ଯ୍ୟକ୍ରମରେ ଯୋଗଦେବାକୁ ଆମନ୍ତ୍ରଣ କରିଥିଲେ। ରେଳ ଭବନରେ ହେବାକୁ ଥିବା ଏମ୍‌ଓୟୁ ସ୍ବାକ୍ଷର କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ହେଲେ ଶେଷ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ, ଭୁବନେଶ୍ବର ରେଳ ଷ୍ଟେସନର ସମସ୍ତ ଉନ୍ନତୀକରଣ କାର୍ଯ୍ୟ ପାଇଁ ଗୋଟିଏ ପର୍ଯ୍ୟାୟରେ ଏମ୍‌ଓୟୁ ହେଉ। ଏହାସହ ରେଳଷ୍ଟେସନ୍‌ ଉନ୍ନତୀକରଣ ପାଇଁ ରାଜ୍ୟ ସରକାର ସମସ୍ତ ଅର୍ଥ ଖର୍ଚ୍ଚ ବହନ କରୁଥିବାରୁ ଭୁବନେଶ୍ବରରେ ଏମ୍‌ଓୟୁ ସ୍ବାକ୍ଷର ହେଉ। ଏମ୍‌ଓୟୁ ସ୍ବାକ୍ଷର ନେଇ ଟଣାଓଟରା ହେବାରୁ ଦୁଇଥର ଯାକ ବାତିଲ୍‌ ହୋଇଥିଲା।

ରାଜ୍ୟ ସରକାରଙ୍କର ରେଳ ଷ୍ଟେସନ୍‌ ନେଇ ଯୋଜନା

ଭୁବ‌େନଶ୍ବର ରେଳ ଷ୍ଟେସନ ଦେଇ ଏବେ ପ୍ରାୟ ୭୦ ଯୋଡ଼ା ଟ୍ରେନ୍ ଚାଲୁଥିବା ବେଳେ ଏହାର ଉନ୍ନତୀକରଣ ପାଇଁ ରାଜ୍ୟ ସରକାର ୨୦୧୪ରୁ ଯୋଜନା କରିଥିଲେ। କିନ୍ତୁ ସ୍ମାର୍ଟ ସିଟି ଯୋଜନାରେ ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳର ଉନ୍ନତୀକରଣ ହେବାକୁ ଥିବାରୁ ଏହାର ଡିଜାଇନ୍ ପ୍ରସ୍ତୁତ କରିବାକୁ ସିଙ୍ଗାପୁରର ସୁବର୍ଣ୍ଣ ଜୁରୋଙ୍ଗ ସଂସ୍ଥାକୁ ନିୟୋଜିତ କରାଯାଇଛି। ଏଥିରେ ନୂଆ ଟର୍ମିନାଲ ବିଲଡି˚, ସିଟି ବସ୍‌ ଟର୍ମିନାଲ, ପବ୍ଲିକ କାର‌୍‌ ପାର୍କି˚ ଏବ˚ ରେଳ ଷ୍ଟେସନ୍‌ ମଲ୍ଟି ମୋଡାଲ୍‌ ହବ୍‌ ହେବ। ଏବେ ପୁରୁଣା ଯାତ୍ରୀ ସ˚ରକ୍ଷଣ ଟିକେଟ କେନ୍ଦ୍ର ବିଡିଏ ଦ୍ବାରା ନିର୍ମିତ ହୋଇଥିବା କୋଠାକୁ ସ୍ଥାନାନ୍ତର ହୋଇଯାଇଥିବାରୁ ଏହାକୁ ଭଙ୍ଗାଯିବ। ୨ଲକ୍ଷ ବର୍ଗଫୁଟ ଅଞ୍ଚଳରେ ନୂଆ ଷ୍ଟେସନ ଅଞ୍ଚଳ ଉନ୍ନତୀକରଣ ହେବ। ଏଥିରେ ପ୍ଲାଟଫର୍ମ ୧ରୁ ୬କୁ ସ˚ଯୋଗ କରି ଏକ କନକୋର୍ସ ନିର୍ମାଣ କରାଯିବ। ଏହା ମାଷ୍ଟରକ୍ୟାଣ୍ଟିନ୍ ପାର୍ଶ୍ବରୁ ପୁରୁଣା ଷ୍ଟେସନ୍ ବଜାର ଅଞ୍ଚଳକୁ ସଂଯୋଗ କରିବ। ଏହାକୁ ବିଡିଏ ନିର୍ମାଣ କରିବ। ଏହି ସମସ୍ତ କାର୍ଯ୍ୟ ପାଇଁ ରାଜ୍ୟ ସରକାର ଏବ˚ ପୂର୍ବତଟ ରେଳପଥ ଅଧିକାରୀଙ୍କୁ ନେଇ ତିନିଟି କମିଟି ଗଠନ ହେବ। ଏଥିରେ ମୁଖ୍ୟ ଶାସନ ସଚିବଙ୍କ ଅଧୢକ୍ଷତାରେ ହାଇପାଵାର ଷ୍ଟିଅରି˚ କମିଟି, ବିଡିଏ ଉପାଧୢକ୍ଷଙ୍କ ଅଧୢକ୍ଷତାରେ କୋର୍ଡିନେସନ୍‌ କମିଟି, ବିଡିଏ ମୁଖ୍ୟଯନ୍ତ୍ରୀଙ୍କ ଅଧୢକ୍ଷତାରେ ଫିଲ୍ଡ ଲେଭେଲ୍‌ ଟିମ୍‌ ଗଠନ ହେବ।

ଆଉ ଦୁଇଟି ପ୍ଲାଟଫର୍ମ ହେବ, ପ୍ଲାଟଫର୍ମ-୬ ପାର୍ଶ୍ବର ରୂପ ବଦଳିବ

ପୂର୍ବତଟ ରେଳପଥର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ବର ରେଳ ଷ୍ଟେସନରେ ଏବେ ଥିବା ଷ୍ଟେସନ ବିଲଡି˚କୁ ଭଙ୍ଗା ଯାଇ ଅତ୍ୟାଧୁନିକ ଷ୍ଟେସନ୍‌ ବିଲଡି˚ ନିର୍ମାଣ କରାଯିବ। ଏହାସହ ଏବେ ୬ଟି ପ୍ଲାଟଫର୍ମ ଥିବା ବେଳେ ଏହାକୁ ୮କୁ ବୃଦ୍ଧି କରାଯିବ। ଏଥିପାଇଁ ପ୍ଲାଟଫର୍ମ ୧କୁ ଭଙ୍ଗାଯାଇ ସମ୍ପ୍ରସାରଣ କରାଯିବ। ଏହି ପାର୍ଶ୍ବରେ ଆଉ ଦୁଇଟି ପ୍ଲାଟଫର୍ମ ନିର୍ମାଣ ହେବ। ଏହାପରେ ବର୍ତ୍ତମାନ ଥିବା ପ୍ଲାଟଫର୍ମ ୧ ଭବିଷ୍ୟତରେ ପ୍ଲାଟଫର୍ମ ୩ ହୋଇଯିବ। ଏହାପରେ ଆଉ ସମ୍ପ୍ରସାରଣ ପାଇଁ କିନ୍ତୁ ସ୍ଥାନ ରହିବନି। ସେହିପରି ଷ୍ଟେସନର ୬ଟି ପ୍ଲାଟଫର୍ମକୁ ଏବେ ୮ଟି ରେଳ ଧାରଣା ସ˚ଯୋଗ କରୁଥିବା ବେଳେ ଏହାକୁ ୧୦କୁ ବଢ଼ାଯିବ। ସେହିପରି ରେଳ ‌େ‌ଷ୍ଟସନ୍ ଉନ୍ନତୀକରଣ ପାଇଁ ପ୍ଲାଟଫର୍ମ-୧ ପାର୍ଶ୍ବରେ ଭଙ୍ଗାରୁଜା ହେବାକୁ ଥିବାରୁ ଏବେ ଏହି ପାର୍ଶ୍ବରେ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ପ୍ଲାଟଫର୍ମ-୬ ପାର୍ଶ୍ବରେ ନିର୍ମାଣ ହେବ। ଅଧିକ ଯାତ୍ରୀଙ୍କ ପାଇଁ ବିଶ୍ରାମ ସ୍ଥଳୀ, ଲଗେଜ୍ ସ୍କାନର, ଅଧିକ ଗାଡ଼ି ଯେପରି ସୁବିଧାରେ ପ୍ଲାଟଫର୍ମ ନିକଟକୁ ଆସିପାରିବ ସେଥିପାଇଁ ରାସ୍ତା ପ୍ରଶସ୍ତୀକରଣ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ଉପଲବ୍ଧ ହେବ। ପ୍ରାୟ ଦୁଇରୁ ତିନିବର୍ଷ ଧରି ଆଧୁନିକୀକରଣ କାମ ଚାଲିବାକୁ ଥିବାରୁ ପ୍ଲାଟଫର୍ମ-୬ ପାର୍ଶ୍ବ ମୁଖ୍ୟ ଫାଟକ ଭଳି କାମ କରିବ।

ସମ୍ବନ୍ଧିତ ଖବର