ନୂଆ କୃଷି ଆଇନ ବିରୋଧରେ ରେଳରୋକ

ଭୁବନେଶ୍ୱର: ସଂଯୁକ୍ତ କିଷାନ ମୋର୍ଚ୍ଚା ଓ ମିଳିତ କୃଷକ ସଂଘର୍ଷ ସମନ୍ବୟ ସମିତି ପକ୍ଷରୁ ଆଜି ଭୁବନେଶ୍ବର ରେଳ ଷ୍ଟେସନରେ ରେଳରୋକ କରାଯାଇଥିଲା। କୃଷି ଓ କୃଷକ ବିରୋଧୀ କଳା କୃଷି ଆଇନ ପ୍ରତ୍ୟାହାର କରିବା ଏବଂ ଦିଲ୍ଲୀ ସୀମାରେ ଚାଲିଥିବା ଐତିହାସିକ କୃଷକ ଆନ୍ଦୋଳନ ବିରୋଧରେ ଦମନଲୀଳା ବନ୍ଦ କରିବା, ଆନ୍ଦୋଳନକାରୀଙ୍କ ବିରୋଧରେ ମିଥ୍ୟା କେସ୍‌ ବନ୍ଦ କରିବା ଦାବିରେ ଏହି ଆନ୍ଦୋଳନ କରାଯାଇଥିଲା। ଦେଶବ୍ୟାପୀ ଆୟୋଜିତ ହୋଇଥିବା ଏହି ୪ ଘଣ୍ଟିଆ ରେଳରୋକ୍‌ କାର୍ଯ୍ୟକ୍ରମକୁ ସିବିଟିୟୁ, ଆମ ଅଧିକାର,ଏଆଇକେଏସ୍‌, ବିକେଏମ୍‌ୟୁ ଓ ବିଭିନ୍ନ କୃଷକ ସଂଗଠନ ସମର୍ଥନ ଜଣାଇଥିଲେ।

ସମସ୍ତ ସଙ୍ଗଠନର କର୍ମକର୍ତ୍ତାମାନେ ପ୍ରଥମେ ମାଷ୍ଟରକ୍ୟାଣ୍ଟିନ ଛକରୁ ଏକ ଶୋଭାଯାତ୍ରା ବାହାର କରିଥିଲେ। ପରେ ବିକ୍ଷୋଭକାରୀମାନେ ଭୁବନେଶ୍ୱର ରେଳ ଷ୍ଟେସନରେ ରେଳ ଧାରଣା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦରଦାମ ବୃଦ୍ଧି, କୃଷି ଆଇନ ବାତିଲ, ଭାଗଚାଷୀମାନଙ୍କୁ ଅଧିକାର ଦେବା ଦାବିରେ ସ୍ଲୋଗାନ ଦେଇଥିଲେ। ବିକେଏମ୍‌ୟୁ ରାଜ୍ୟ ସମ୍ପାଦକ ସୁର ଜେନାଙ୍କ ଅଭିଯୋଗ ଅନୁସାରେ ୭୨ ଦିନ ହେଲା କୃଷକମାନେ ଦିଲ୍ଲୀ ରାଜରାସ୍ତାରେ ବସିଛନ୍ତି। ପେଟ୍ରୋଲ୍‌ ଓ ଡିଜେଲ୍ ଦର ଦିନକୁ ଦିନ ବୃଦ୍ଧି ପାଉଛି। ଅଥଚ କେନ୍ଦ୍ର ସରକାର ଏହି ଦିଗରେ ପଦକ୍ଷେପ ଗ୍ରହଣ ନକରି ଓଲଟା ଆନ୍ଦୋଳନକାରୀଙ୍କୁ ବଦନାମ୍‌ କରିବାକୁ ବିଭିନ୍ନ ହୀନ ଉଦ୍ୟମ ଚଳାଇଛନ୍ତି।

ଏହି ଆନ୍ଦୋଳନରେ ଏଆଇଟିୟୁସି ଜାତୀୟ ପରିଷଦ ସଭ୍ୟ ଜୟନ୍ତ ଦାସ, ଅଖିଳ ଭାରତ କୃଷକ ସଭାର ରାଜ୍ୟ କାର୍ଯ୍ୟକାରୀ ସଭାପତି ସନାତନ ପାତ୍ର, କୃଷ୍ଣଚନ୍ଦ୍ର ରାଉତ, ଓଡ଼ିଶା ରାଜ୍ୟ କୃଷକ ସଭାର ସମ୍ପାଦକ ସୁରେଶ ପାଣିଗ୍ରାହୀ, ସଂଘର୍ଷ ସମିତିର ମହେନ୍ଦ୍ର ପରିଡ଼ା ଓ ଏଆଇଏସ୍‌ଏଫ୍‌ ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା ପ୍ରମୁଖଙ୍କ ନେତୃତ୍ୱରେ ବିକ୍ଷୋଭକାରୀମାନେ ରେଳଧାରଣାରେ ବସି ରହିଥିଲେ। ଫଳରେ ନନ୍ଦନକାନନ ଏକ୍ସପ୍ରେସ୍ ସମେତ ବିଭିନ୍ନ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପୁଲିସ କିଛି ବିକ୍ଷୋଭକାରୀଙ୍କୁ ଅଟକ ରଖି ପରେ ଛାଡ଼ି ଦେଇଥିଲା।

ସମ୍ବନ୍ଧିତ ଖବର