ଚନ୍ଦ୍ରଶେଖରପୁର: ‘ରେଲୱେ କଲୋନି ଉଚ୍ଚପ୍ରାଥମିକ ବିଦ୍ୟାଳୟ ବନ୍ଦ ସମ୍ପର୍କରେ କାହିଁକି ମୁହଁ ଖୋଲୁଛ। ଚୁପ୍‌ ରୁହ। ନହେଲେ ଭଲ ହେବନି। ରାଜ୍ୟ ସରକାରଙ୍କ ଦୟାରୁ ଯେଉଁ କିଛି ସହାୟତା ପାଉଛ ତାହା ବନ୍ଦ କରିଦିଆଯିବ।’ ରେଲୱେ କଲୋନି ଉଚ୍ଚପ୍ରାଥମିକ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ବିରୋଧରେ ମୁହଁ ଖୋଲୁଥିବା ଅଭିଭାବକ, ପୁରାତନ ଛାତ୍ରମାନଙ୍କୁ ଆଜି ଏଭଳି ଚେତାବନୀ ଦିଆଯାଇଛି। ନିଜକୁ ସଚିବାଳୟର କର୍ମଚାରୀ ଦର୍ଶାଇ ଫୋନ୍‌ ମାଧ୍ୟମରେ ଏଭଳି ଧମକ ମିଳିଛି। କେବଳ ଲୋକସେବା ଭବନରୁ ନୁହେଁ, ଶିକ୍ଷା ଅଧିକାରୀମାନେ ମଧ୍ୟ ଖୋଲାଖୋଲି ଭାବେ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଗିଦ୍‌ କରୁଛନ୍ତି। ଗଣମାଧ୍ୟମ କିମ୍ବା କାହା ଆଗରେ ବିଦ୍ୟାଳୟ ବନ୍ଦ ସମ୍ପର୍କରେ ମୁହଁ ନ ଖୋଲିବାକୁ କହୁଛନ୍ତି। ପରିଣାମ ସ୍ବରୂପ ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ସମ୍ପୂର୍ଣ୍ଣ ନିରବ। ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷକ ଅସହାୟତା ପ୍ରକାଶ କରିଛନ୍ତି।

Advertisment

କ୍ଲାସରୁମ୍‌ ତାଲା ପଡ଼ିବା ଦ୍ବାରା ୧୦ ଦିନ ହେଲା ପିଲାମାନେ ବାହାରେ ବସୁଛନ୍ତି। କ୍ଲାସରୁମ୍‌ ତାଲା ଖୋଲୁନି କି ପିଲାଙ୍କୁ ଭିତରକୁ ଛଡ଼ାଯାଉ ନାହିଁ। ଯେତେ ନେହୁରା ହେଲେ ମଧ୍ୟ କେହି ନ ଶୁଣିବାରୁ ଆଜି ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ମିଶି ସକାଳୁ ବିଦ୍ୟ‌ାଳୟରେ ପହଞ୍ଚିଥିଲେ। କ୍ଲାସରୁମ୍‌ ସମ୍ମୁଖରେ ତଳେ ବସି ପଢ଼ିବା ସହ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ବାହାରେ ବସି ରହିବାକୁ ଅଭିଭାବକ ଅଡ଼ି ବସିଥିଲେ। ସକାଳ ୭ଟାରୁ ୯ଟା ହୋଇଥିଲେ ମଧ୍ୟ ଶିକ୍ଷା ବିଭାଗର କୌଣସି ଅଧିକାରୀଙ୍କ ଦେଖା ମିଳି ନ ଥିଲା। ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ଛାତ୍ରଛାତ୍ରୀଙ୍କ ସହ ଉତ୍କଳ ଅଭିଭାବକ ସଂଘ ସଭାପତି କୃଷ୍ଣଚନ୍ଦ୍ର ପତି, ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ଅଭିଭାବକ ଅଡ଼ି ବସିଥିଲେ। ଏହି ସମୟରେ ଗୁଇନ୍ଦା ବିଭାଗର ଅଧିକାରୀ ଓ ଆରପିଏଫ୍‌ କର୍ମଚାରୀ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ସହ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସାମାନ୍ୟ ଶାନ୍ତ ପଡ଼ିଥିଲା।

ମୁହଁ ଖୋଲିଲେ ଅନୁଦାନ ବନ୍ଦ କରିଦେବାକୁ ଧମକ
ଗଣଶିକ୍ଷା ଅଧିକାରୀଙ୍କ ତନାଘନା, ଯାଞ୍ଚ ପାଇଁ କମିଟି

ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ଯେ ପ୍ରଥମ ଶ୍ରେଣୀରୁ ଏଠାରେ ଶିକ୍ଷା ଗ୍ରହଣ କରି ଆସୁଥିଲୁ। ଏବର୍ଷ ୬ଷ୍ଠ ଶ୍ରେଣୀରେ ସ୍କୁଲ ବନ୍ଦ ହୋଇଥିବା ଆମକୁ କୁହାଯାଉଛି। ଯେଉଁଦିନ ଏହି ବିଦ୍ୟାଳୟରେ ଖଡ଼ିଛୁଆଁ ‌ଉତ୍ସବ ହେଉଥିଲା ସେଦିନ ଆମକୁ କ୍ଲାସରୁମ୍‌ରୁ ବାହାର କରାଯାଇଥିଲା। ସେବେଠାରୁ ମଧ୍ୟାହ୍ନଭୋଜନ ଖାଇବାକୁ ଦିଆଯାଉ ନାହିଁ। ଅନ୍ୟ ଶ୍ରେଣୀର ଛାତ୍ରଛାତ୍ରୀ ଅଣ୍ଡା, ମାଣ୍ଡିଆ ଲଡ଼ୁ, ଭାତ, ଡାଲମା ଖାଉଥିଲେ ମଧ୍ୟ ଆମକୁ କେହି ପଚାରୁ ନାହାନ୍ତି। ସେମିତି କ୍ଲାସରୁମ୍‌ ବାହାରେ ବସି ବସି ଘରକୁ ଯାଉଛୁ। ଅନ୍ୟ ସ୍କୁଲରେ ନାମ ଲେଖାଇବାକୁ ଏଠାକାର ଶିକ୍ଷକ ଶିକ୍ଷୟିତ୍ରୀ କହୁଛନ୍ତି। ଘର ପାଖରୁ ୪ କିମି ଦୂ‌ରରେ ଥିବା ଗାଡ଼କଣ ଓ ଡମଣା ବିଦ୍ୟାଳୟକୁ ଗଲେ ସେଠାରେ କହୁଛନ୍ତି ଆମର କ୍ଲାସରୁମ୍‌ ନାହିଁ। ଅଧିକ ପିଲା ଅଛନ୍ତି। ଆମେ ଆଉ ନାମ ଲେଖାଇପାରିବୁ ନାହିଁ। ଏବେ ଆମେ କେଉଁଠିକୁ ଯିବୁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ଅଭିଭାବକଙ୍କ କହିବା କଥା ହେଉଛି ଗୋଟିଏ ପରେ ଗୋଟିଏ ବିଦ୍ୟାଳୟ ବନ୍ଦ କରି ରାଜ୍ୟ ସରକାର ସରକାରୀ ଶିକ୍ଷା ବ୍ୟବସ୍ଥା ନଷ୍ଟ କରିବାକୁ ଚାହୁଛନ୍ତି। ଏଠାରେ ଯେଉଁମାନେ ଶିକ୍ଷାଗ୍ରହଣ କରୁଛନ୍ତି ସେମାନଙ୍କ ଆର୍ଥିକ ସ୍ଥିତି ସେତେଟା ଭଲ ନାହିଁ। ପିଲାଙ୍କ ଘର ନିକଟରେ ଆଉ କୌଣସି ବିଦ୍ୟାଳୟ ନାହିଁ। ତେଣୁ ଡମଣା ନ ହେଲେ ଗାଡ଼କଣ ଯିବାକୁ ପଡ଼ିବ। ନ ହେଲେ ପାଖରେ ଥିବା ଘରୋଇ ସ୍କୁଲ। ଘରୋଇ ବିଦ୍ୟାଳୟ ଫି’ ଯେଉଁଭଳି ରହିଛି ସେଥିରେ ପିଲା ପ୍ରତି ମାସରେ ଫି’ ଦେବା ସମ୍ଭବପର ନୁହେଁ। ତେଣୁ ଶତାଧିକ ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରାଥମିକ ବିଦ୍ୟାଳୟକୁ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟରେ ପରିଣତ କରି ସେଠାରେ ଶିକ୍ଷକ ନିୟୋଜିତ କରିବାକୁ ସେମାନେ ଦାବି କରିଥିଲେ। 
ଅନ୍ୟପକ୍ଷରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଆନ୍ଦୋଳନ ପରେ ଆଜି ବିଭାଗୀୟ ଅଧିକାରୀଙ୍କ ନିଦ ଭାଙ୍ଗିଛି। ସ୍କୁଲ ବନ୍ଦ ନିଷ୍ପତ୍ତିର ତନାଘନା କରାଯିବା ସହ ଭିତ୍ତିଭୂମି ଯାଞ୍ଚ ପାଇଁ ଏକ କମିଟି ଗଠନ ହୋଇଛି। ଶୁକ୍ରବାର ଦୁଇ ଜଣିଆ କମିଟି ବିଦ୍ୟାଳୟକୁ ଗସ୍ତ କରିବେ ବୋଲି ଜଣାପଡ଼ିଛି। ସେମାନଙ୍କ ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।