ଚନ୍ଦ୍ରଶେଖରପୁର: ରେଲୱେ କଲୋନି ଉଚ୍ଚପ୍ରାଥମିକ ବିଦ୍ୟାଳୟର ୧୩୦ ପିଲାଙ୍କ ପାଠପଢ଼ା ବନ୍ଦ। କ୍ଲାସ୍‌ରୁମ୍‌ରେ ତାଲା ପକାଇ ପିଲାଙ୍କୁ ବାହାରେ ବସାଇବା ଘଟଣାକୁ ନେଇ ଅଭିଭାବକଙ୍କ ଅସନ୍ତୋଷ ପରେ ଆଜି ସକାଳୁ କ୍ଲାସ୍‌ରୁମ୍‌ ଖୋଲିଛି। ସକାଳ ୭ଟା ବେଳକୁ ପିଲାମାନେ ବିଦ୍ୟାଳୟରେ ପହଞ୍ଚିବା କ୍ଷଣି କ୍ଲାସ୍‌ରୁମ୍‌ ଖୋଲାଯାଇ ସେମାନଙ୍କୁ ବସିବାକୁ ସୁଯୋଗ ଦିଆଯାଇଥିଲା। ମାତ୍ର ପଢ଼ାଇବାକୁ କୌଣସି ଶିକ୍ଷକ ଶିକ୍ଷୟିତ୍ରୀ ଆସି ନ ଥିଲେ। ପିଲାମାନେ ନିଜେ ନିଜେ ପଢ଼ିଥିଲେ। ଗତକାଲି ପରି ଆଜି ମଧ୍ୟ ବହୁ ଅଭିଭାବକ ସ୍କୁଲ ବାହାରେ ଅପେକ୍ଷା କରି ରହିଥିଲେ।

Advertisment

ମାନବାଧିକାର କମିସନରେ ପହଞ୍ଚିଲା ମାମଲା
୧୫ ଦିନ ମଧ୍ୟରେ ରିପୋର୍ଟ ନେବାକୁ ନିର୍ଦ୍ଦେଶ
କ୍ଲାସରୁମ୍‌ ‌ଖୋଲିଲେ, ମଧ୍ୟାହ୍ନଭୋଜନ ଦେଲେନି

ଏହି ସମୟରେ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଭୁବନେଶ୍ବର ବ୍ଲକ୍‌ ଅତିରିକ୍ତ ଶିକ୍ଷା ଅଧିକାରୀ(ଏବିଇଓ) ଓ ସିଆର୍‌ସିସି ବିଦ୍ୟାଳୟ ଭିତ୍ତିଭୂମି ଯାଞ୍ଚ କରିବାକୁ ପହଞ୍ଚିଥିଲେ। ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିବା ସହ କ୍ଲାସ୍‌ରୁମ୍‌ ବୁଲି ଦେଖିଥିଲେ। ୩୦ ମିନିଟ୍‌ ପରେ କ୍ୟାମ୍ପସ୍‌ରୁ ବାହାରିବା ସମୟରେ ବାହାରେ ଉପସ୍ଥିତ ଥିବା ଅଭିଭାବକମାନେ ସେମାନଙ୍କୁ ଅଟକାଇବା ସହ ବିଦ୍ୟାଳୟ ବନ୍ଦ ନ କରିବାକୁ ଅନୁରୋଧ କରିଥିଲେ। ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଓ ଉପାଧ୍ୟକ୍ଷ ପ୍ରସନ୍ନ ବି‌ଶୋଇ ମଧ୍ୟ ଅଭିଭାବକଙ୍କ ସହ ମିଶି ସ୍କୁଲ ବନ୍ଦ ନିଷ୍ପତ୍ତିକୁ ବିରୋଧ କରିଥିଲେ। ଏଥିସହ କ୍ଲାସ୍‌ରୁମ୍‌ରେ ବସିଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପୂର୍ବାହ୍ନରେ ଅଭିଭାବକଙ୍କ ଏକ ପ୍ରତିନିଧି ଦଳ ଆଜି ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀଙ୍କୁ ସାକ୍ଷାତ କରି ସ୍କୁଲ ବନ୍ଦ ନ କରିବାକୁ ଅନୁରୋଧ କରିଛନ୍ତି। ଅଭିଭାବକ କହିଥିଲେ ଯେ ସ୍କୁଲ ବନ୍ଦ ହେବା ଦ୍ବାରା ୨ରୁ ୩ କିମି ଦୂରରୁ ଆସୁଥିବା ଆମ ପିଲାମାନେ ହଇରାଣ ହେବେ। ଏହି ବିଦ୍ୟାଳୟଠାରୁ ୩ କିମି ଦୂରରୁ ପିଲାମାନେ ଆସୁଛନ୍ତି। ତାହାକୁ ବନ୍ଦ କରାଗଲେ ଆମକୁ ଆହୁରି ଅନେକ ବାଟ ଯିବାକୁ ପଡ଼ିବ। ତେଣୁ ପିଲାଙ୍କ ଭବିଷ୍ୟତକୁ ଆଖିରେ ରଖି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଉ। ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଓ ସଚିବ ଘଟଣାରେ ହସ୍ତ‌କ୍ଷେପ କରନ୍ତୁ। ୧୩୦ ପିଲାଙ୍କ ପାଠରେ ଡୋରି ଲାଗିବା ପୂର୍ବରୁ ନିଷ୍ପତ୍ତି ବଦଳାନ୍ତୁ। ନ ‌ହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ବୋଲି ସେମାନେ ଚେତାଇ ଦେଇଛନ୍ତି।

ଅନ୍ୟପକ୍ଷରେ ବିଦ୍ୟାଳୟ ବନ୍ଦ ବିରୋଧରେ ଆଜି ରାଜ୍ୟ ମାନବାଧିକାର କମିସନରେ ଏକ ମାମଲା ହେବା ସହ ଅଧକ୍ଷ ଶତ୍ରୁଘ୍ନ ପୂଜାରୀଙ୍କ ଖଣ୍ଡପୀଠରେ ଜରୁରୀକାଳୀନ ଆବେଦନର ତ୍ୱରିତ ଶୁଣାଣି ହୋଇଛି। ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ ଯୁକ୍ତି ଉପସ୍ଥାପନ କରିବା ସହ ୧୩୦ ଛାତ୍ରଛାତ୍ରୀଙ୍କ ମାନବାଧିକର କିଭଳି କ୍ଷୁର୍ଣ୍ଣ ହେଉଛି ସେନେଇ ବର୍ଣ୍ଣନା କରିଛନ୍ତି। ୬ଷ୍ଠ ଓ ୭ମ ଶ୍ରେଣୀର ୧୩୦ଜଣ ଛାତ୍ରଛାତ୍ରୀ ମୁଖ୍ୟତଃ ବସ୍ତି ବାସିନ୍ଦା ତଥା ଦଳିତଙ୍କ ପୁଅ ଝିଅ। ସେମାନଙ୍କୁ ମାଗଣା ଶିକ୍ଷା ଅଧିକାରରୁ ସରକାର ବଞ୍ଚିତ କରିଛନ୍ତି। ମଧ୍ୟାହ୍ନଭୋଜନ ବନ୍ଦ କରିଥିବାରୁ ସେମାନଙ୍କ ମାନବାଧିକାର ଉଲ୍ଲଂଘନ ହୋଇଛି। ଅଭିଯୋଗ ଶୁଣିବା ପରେ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଗଣଶିକ୍ଷା ବିଭାଗ ସଚିବ, ଖୋର୍ଦ୍ଧା ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ  ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟରେ ତୁରନ୍ତ ଶିକ୍ଷକ ନିଯୁକ୍ତ କରି ଷଷ୍ଠ ଓ ସପ୍ତମ ଶ୍ରେଣୀ ଚାଲୁ କରିବାକୁ ଶ୍ରୀ ନାୟକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।